ଗୋବର କଣ୍ଢେଇ
ଚାଲଯିବା ଐତିହ୍ୟ ଗ୍ରାମ
ରଘୁରାଜପୁର ସେ ଗାଁ ନାମ ।।ଘୋଷା।।
ଗୋବର କଣ୍ଢେଇ
ଏନ୍ତୁଡିଶାଳ ଏ
ଡର ଲାଗେ ନୋହୁ ଶ୍ମଶାନ ଭ୍ରମ ।
ପଦ୍ମୀନି, ଶିଳ୍ପୀ ସଖୀମଣି
ହାତ ତାଙ୍କ ପରଶମଣି,
ଗୋବରରେ ମାଟି
ଚକଟି ଚକଟି
କଣ୍ଢେଇ ଗଢନ୍ତି ଅତି ଉତ୍ତମ ।
ଡିବି କଳା,ସିପ, ହିଙ୍ଗୁଳ
ସିନ୍ଦୂର ସହ ଖଣ୍ଡନୀଳ,
ହରିତାଳ ସଙ୍ଗେ
କଇଁଥର ଅଠା
ପ୍ରଲେପେ ଚମକେ କଣ୍ଢେଇ ଲୋମ ।
ଝଲସେ ପ୍ରାକୃତିକ ରଙ୍ଗେ
ଘୋଡା ବାଘ ମିରିଗ ସଙ୍ଗେ,
ଆଣ୍ଠୁଆ ଗୋପାଳ
କଳସ, କଇଁଛ
ଚଢେଇ ଦିଶନ୍ତି କି ମନୋରମ ।
ଯୁଗ ଏବେ ଗଲା ବଦଳି
କାଗଜରେ ଗୋବର ବୋଳି,
ଆଜି ଗଢୁଛନ୍ତି
ହାତୀ ଘୋଡା ମୁଖା
ଦେବା ଦେବୀ ଜଗନ୍ନାଥଙ୍କ ଭ୍ରମ ।
ଆଗ ଭଳି ଘରର ବୋହୂ
ଆଦରୁନି ଏ କଳା ଆଉ,
ଭାଗ୍ଯକୁ ଆଦରି
ଦିନ ଗଣୁଛନ୍ତି
ଗୋବର କଣ୍ଢେଇ ଜ୍ଞାତି କୁଟୁମ୍ବ ।
ପଦ୍ମୀନି, ଶିଳ୍ପୀ ସଖିମଣି
ଶେଷବେଳ ଆସି ହେଲାଣି,
ଗୋବର କଣ୍ଢେଇ
ଉର୍ଦ୍ଧଶ୍ବାସ ଛାଡେ
ତାଙ୍କ ଅନ୍ତେ ଆମ ଅନ୍ତେଷ୍ଟି କର୍ମ ।
ଗଦଧର ସାହୁ,
କଙ୍କଡ଼ାଦ୍ଵୀପ,ବ୍ରହ୍ମଗିରି,ପୁରୀ