ଗୋବିନ୍ଦଙ୍କ ସ୍ମୃତିରେ ‘ସ୍ମୃତି ଅର୍ଘ୍ୟ’ ଲୋକାର୍ପିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବିଶିଷ୍ଟ ଭାଷା ଯୋଦ୍ଧା, ଓଡ଼ିଆ ସାହତ୍ୟ, ସଂସ୍କୃତିପ୍ରେମୀ, ସମାଜସେବୀ ତଥା ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମାହୁନ୍ତଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଓ ସ୍ମୃତିଚାରଣ ସଭା ସ୍ଥାନୀୟ ବୁଦ୍ଧମନ୍ଦିରଠାରେ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ ଅଭିମନ୍ୟୁ ସ୍ମୃତି ସଂସଦ ଆନୁକୂଲ୍ୟରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ‘ସମ୍ବାଦ’ର ସମ୍ପାଦକ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ, ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ବିଧାୟକ ତଥା ଅଭିମନ୍ୟୁ ସ୍ମୃତି ସଂସଦର ଅଧ୍ୟକ୍ଷ ଅମର ପ୍ରସାଦ ଶତପଥୀ ସମ୍ମାନିତ ଅତିଥି ଭାବେ, ବିଶିଷ୍ଟ ବାଗ୍ମୀ, ସଂସ୍କୃତି ପୁରୁଷ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଡଃ କୃଷ୍ଣକେଶବ ଷଡ଼ଙ୍ଗୀ, ଅଭିମନ୍ୟୁ ସ୍ମୃତି ସଂସଦର ସାଧାରଣ ସମ୍ପାଦକ ଖତୁ ଚରଣ ବିଶ୍ୱାଳ ଯୋଗଦେଇ ସ୍ୱର୍ଗତ ଗୋବିନ୍ଦ ବାବୁ ମା’, ମାଟି, ମାତୃଭାଷାର ସମର୍ପିତ ବ୍ୟକ୍ତିତ୍ୱ ଭାବରେ ତାଙ୍କ କାର୍ଯ୍ୟଧାରା ଆଜି ବି ପ୍ରାସଙ୍ଗିକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା ଓ ସଂଯୋଜନା ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ପୂଜ୍ୟ ପୂଜା ସଂସ୍କୃତି ଅଭିଯାନର ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରି କହିଲେ ଯେ, ଏକାଧାରରେ ସ୍ୱର୍ଗତ ମାହୁନ୍ତ ଥିଲେ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି, ସମାଜସେବା ଓ ପୂଜ୍ୟପୂଜାର ମହାନ୍ କାଣ୍ଡାରୀ । ମଣିଷକୁ ଭଲ ପାଇବା ସହିତ ଗୋପବନ୍ଧୁଙ୍କ କର୍ମ ଓ ଶରୀର ସହିତ ତାଙ୍କ ସାମଞ୍ଜସ୍ୟ ରହୁଥିବାରୁ ଗୋପବନ୍ଧୁଙ୍କ ନାମରେ ସେ ସମସ୍ତଙ୍କ ଶ୍ରଦ୍ଧାଭାଜନ ହେବା ଓ ଗୋପବନ୍ଧୁଙ୍କ ଆଦର୍ଶରେ ସର୍ବଦା ଅନୁପ୍ରାଣିତ ହୋଇ ଅବିରତ ଭାବରେ କାମ କରିଚାଲିଥିଲେ । ଜଣେ ମିଷ୍ଟଭାଷୀ, ନିଷ୍ଠାପର କର୍ମଯୋଗୀ, ସରଳ, ଅମାୟିକ ଭାଷାବିତ୍ ଭାବେ ତାଙ୍କର ଅବଦାନ ଅତୁଳନୀୟ ତଥା ଅହଙ୍କାର ବିବର୍ଜିତ ବ୍ୟକ୍ତିତ୍ୱ ଭାବେ ସେ ବେଶ୍ ଜଣାଶୁଣା ଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଗୋବିନ୍ଦ ବାବୁଙ୍କ ସ୍ମରଣରେ ଏକ ସ୍ମରଣିକା ‘ସ୍ମୃତି ଅର୍ଘ୍ୟ’ ଲୋକାର୍ପିତ ହେବା ସହିତ ତାଙ୍କ ସ୍ମୃତି ଏବଂ ତାଙ୍କ ସୁପୁତ୍ର ଦେବବ୍ରତଙ୍କ ସ୍ମୃତିରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବିଭିନ୍ନ ପ୍ରକାର ସମାଜସେବା ମୂଳକ କାର୍ଯ୍ୟକ୍ରମ ତାଙ୍କ ସ୍ମୃତିରେ କରାଯିବ ବୋଲି ମତ ବ୍ୟକ୍ତ କରାଯାଇଥିଲା । ଉକ୍ତ ସ୍ମୃତିଚାରଣ ସଭାରେ ସାରସ୍ୱତ ପ୍ରତିଭାଧାରୀ ଲକ୍ଷ୍ମୀଧର ବେହେରା, ପୂର୍ଣ୍ଣଚନ୍ଦ୍ର ଜେନା, ବିଜୟ ପରିଡ଼ା, ଅରବିନ୍ଦ ତ୍ରିପାଠୀ, ସଂଯୋଜକ ନାରାୟଣ ଓଝା, ବି. ମୁରଲୀଧର ପ୍ରମୁଖ ଗୋବିନ୍ଦପ୍ରେମୀ ଯୋଗଦେଇ ସ୍ମୃତିଚାରଣ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଦେବାଶିଷ ପରିଡ଼ା ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ