ଗୋରୁ ବୋଝଇ ଗାଡ଼ି ଜବତ; ୭ ଗୋରୁ ଉଦ୍ଧାର, ୨ ଗିରଫ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ସାପ୍ତାହିକ ଶନିବାର ଗୋରୁହାଟ ଦୀର୍ଘ ଦିନ ଧରି ବନ୍ଦ ହୋଇଯାଇଛି । କିଛି ଦିନର ନିରବତା ପରେ ସ୍ଥାନୀୟ ଅଂଚଳର ଗୋ ଦଲାଲ ମାନେ ପୁଣି ତରେ ସକ୍ରିୟ ହୋଇ ଉଠିଛନ୍ତି । ସ୍ଥାନୀୟ ଅଂଚଳର ଦଲାଲ ମାନଙ୍କ ସହଯୋଗରେ ପଡୋଶୀ ପଶ୍ଚିମବଙ୍ଗ ଅଂଚଳର ଦଲାଲ ମାନେ ହିଞ୍ଜିଳିକାଟୁ ସମମେତ ନିକଟବର୍ତି ଗ୍ରାମାଂଚଳରୁ ଗୋରୁ ମାନଙ୍କୁ ପଡ଼ୋଶୀ ରାଜ୍ୟକୁ ରପ୍ତାନି କରୁଥିବାର ଜଣାପଡ଼ିଛି । ମଙ୍ଗଳବାର ବିଳମ୍ବିତ ରାତିରେ ହିଞ୍ଜିଳି ପୁଲିସ ପ୍ରଶାସନ ପକ୍ଷରୁ ପେଟ୍ରୋଲିଂ କରାଯାଉଥିବା ସମୟରେ ସ୍ଥାନୀୟ ଥାନା ଖଣ୍ଡରା-ଚାନ୍ଦୁଲି ତୋଟା ନିକଟରେ ସନ୍ଦେହ ଜନକ ଅବସ୍ଥାରେ ଏକ ବୋଲେରୋ ପିକ୍ଅପ୍ ଭ୍ୟାନ୍()ଓଡ଼ି୨୫ସି ୨୩୦୫କୁ ଅଟକାଇ ଯାଂଚ କରିଥିଲା । ଯାଂଚ ସମୟରେ ସଂପୃକ୍ତ ଭ୍ୟାନରୁ ୭ଟି ଗୋରୁକୁ ଉଦ୍ଧାର କରାଯାଇଥିଲା । ଗୋରୁ ବୋଝେଇ ଗାଡ଼ିକୁ ଜବତ କରାଯିବା ସହ ଗୋଚାଲାଣ କରୁଥିବା ଅଭିଯୋଗରେ ୨ଜଣଙ୍କୁ ଗିରଫ କରାଯାଇଛି । ଗିରଫ ମାନେ ହେଲେ ନୟାଗଡ଼ ଜିଲ୍ଲା ବାଲୁଗାଁର ଇନ୍ଦ୍ରମଣି ଦଳବେହେରା ଓ ହରିପୁର ମଝି ସାହିର ଭାଲୁ ସେନାପତି । ଏ ନେଇ ହିଞ୍ଜିଳି ଥାନାରେ ନଂ- ୬୦/୨୧ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଲାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ଉଦ୍ଧାର ଗୋରୁକୁ ହିଞ୍ଜିଳିକାଟୁ ବ୍ଳକ ଗିରିଆ ନିକଟସ୍ଥ ଗୋଶଳାକୁ ପଠାଯାଇଥିବା ଜଣାପଡ଼ିଛି ।


