ଗୋରୁ ବୋଝେଇ ଟ୍ରକ୍ ଜବତ, ୨ ଗିରଫ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳି ଥାନା ଆଡପଡା ଇଶାଣେଶ୍ୱର ମନ୍ଦିର ନିକଟରୁ ହିଞ୍ଜିଳି ପୁଲିସ ଏକ ଗୋରୁ ବୋଝେଇ ଟ୍ରକ(ଏପି୩୯ୟୁଏଚ୍ ୧୭୬୭)କୁ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦୁହେଁ ହେଲେ ଗାଡି ଚାଳକ ଆନ୍ଧ୍ରପ୍ରଦେଶ କାଞ୍ଚିଲି ଅଞ୍ଚଳର ଆନ୍ନା ଉମ୍ପତି ଓ ହେଲପର ଚିକିଟି ଥାନା ରାମପୁର ଗ୍ରାମର କାଳିଆ ଗୌଡ । ଏ ନେଇ ହିଞ୍ଜିଳି ଥାନା କେସ ନଂ- ୩୧୫/୨୩ରେ ଏକ ମାମଲା ରୁଜୁ କରି ଗିରଫ ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୂତ୍ରରୁ ପ୍ରକାଶ । ପ୍ରକାଶ ଥାଉକି, ହିଞ୍ଜିଳିକାଟୁର ସାପ୍ତାହିକ ହାଟ ଶନିବାରରେ ନିୟନ୍ତ୍ରିତ ବଜାର କମିଟି ପରିସରରେ ଗୋରୁହାଟ ଚାଲୁଥିଲା । ଚାଷୀ ମାନେ ନିଜ ନିଜର ଚାଷ କାର୍ଯ୍ୟ ସକାଶେ ପ୍ରତି ଶନିବାର ଦିନ ହିଞ୍ଜିଳିକାଟୁ ଗୋରୁହାଟକୁ ଆସି ଗାଇଗୋରୁ କିଣାବିକା କରୁଥିଲେ । ସ୍ଥାନୀୟ ଆରଏମସି ପରିସରରେ ଉପଖଣ୍ଡ ଚିକିତ୍ସାଳୟ ନିର୍ମଣ ପରେ ଗୋରୁହାଟକୁ ରାଳବ ଗ୍ରାମ ପଡିଆକୁ ସ୍ଥାନାନ୍ତରିତ କରାଯାଇଥିଲା । ଗତ କିଛି ବର୍ଷ ପୂର୍ବେ ଗାଇଗୋରୁଙ୍କ ଦେହରେ ଚର୍ମବିଣ୍ଡି ରୋଗର ଲକ୍ଷଣ ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରୁ ଗୋରୁହାଟକୁ ସମ୍ପୁର୍ଣ୍ଣ ବନ୍ଦ କରି ଦିଆଯାଇଥିଲା । ଏହାପରେ ଗୋଦଲାଲ ମାନେ ଗ୍ରାମାଞ୍ଚଳର କିଛି ଗୋଦଲାଲଙ୍କ ସହାୟତରେ ଗାଇଗୋରୁଙ୍କୁ ସ୍ଥାନୀୟ ଅଞ୍ଚଳରୁ କିଣି ଆନ୍ଧ୍ରପ୍ରଦେଶ ଓ ପଶ୍ଚମିବଙ୍ଗ ଅଞ୍ଚଳକୁ ଗୋମାଂସ ସକାଶେ ରପ୍ତାନି କରୁଥିବା ଜଣାପଡିଛି । ମଙ୍ଗଳବାର ରାତିରେ ସ୍ଥାନୀୟ ଥାନା ଆଡପଡା ଦେଇ ଗୋଚାଲାଣ ହେଉଥିବା ନେଇ ହିଞ୍ଜିଳି ପୁଲିସକୁ କୌଣସି ସୂତ୍ରରୁ ଖବର ମିଳିଥିଲା । ଖବର ପାଇ ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଆଡପଡାରେ ପହଞ୍ଚି ଗୋଚାଲାଣ ଟ୍ରକକୁ ଜବତ କରିଥିଲେ । ଚଢାଉରେ ଥାନା ଏସ.ଆଇ. ସିଦ୍ଧାର୍ଥ ଶଙ୍କର ଜେନପା, ଏଏସଆଇ ଅନନ୍ତ ଶବର, କନେଷ୍ଟବଳ ଜିତେନ୍ଦ୍ର ଗୌଡ ଓ ସନ୍ତୋଷ ରେଡ୍ଡି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।