ଗୋଷ୍ଠୀ ସଂଘର୍ଷ ମାମଲା ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ଦିଗପହଣ୍ଡି,(ଅଳକନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁର ଗ୍ରାମରେ ଗତ ଶନିବାର ଘଟିଥିବା ହୋଲି ଖେଳ କୁ ନେଇ ଘଟିଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ଗ୍ରାମର ଶୁକଦେବ ରେଡ୍ଡୀ ଏବଂ ଦୟା ରେଡ୍ଡୀ ଙ୍କୁ ଚିକିଟି ଏସଡିପିଓ ବିଶ୍ୱାମିତ୍ର ହରପାଲ ଗିରଫ କରି ବ୍ରହ୍ମପୁର ଜିଲ୍ଲା ଦୌରା ଜଜ କୋର୍ଟ କୁ ଚାଲାଣ କରିଛନ୍ତି।କେ.ନୂଆଗାଁ ଥାନା ମାମଲା ନଂ.୯୩/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ବୟ ଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ଶନିବାର ସକାଳେ ଗ୍ରାମର ଅବସରପ୍ରାପ୍ତ ଇଞ୍ଜିନିୟର ଶଙ୍କର ନାରାୟଣ ସୁବୁଦ୍ଧି ଙ୍କ ପ୍ରରୋଚନାରେ ଗୋଟିଏ ଗୋଷ୍ଠୀର ଯୁବକ ମାନେ ହୋଲି ଶୋଭାଯାତ୍ରା ର ଆୟୋଜନ କରି ନିଶାସକ୍ତ ଅବସ୍ଥାରେ ପ୍ରତିପକ୍ଷ ଗୋଷ୍ଠୀର ଯୁବକ ମାନେ ହୋଲି ଖେଳୁଥିବା ବେଳେ ସେମାନଙ୍କୁ ବିଭିନ୍ନ ଭାଷା ରେ ଗାଳି ଗୁଲଜ କରି ଧମକ ଦେଇଥିଲେ। ୨ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ସରପଞ୍ଚ ରଞ୍ଜନ କୁମାର ସାହୁ ଏବଂ ଗ୍ରାମର କିଛି ବ୍ୟକ୍ତି ଏଥିରେ ହସ୍ତକ୍ଷେପ କରି ଘଟଣାର ସମାଧାନ କରିଥିଲେ। ସନ୍ଧ୍ୟା ପ୍ରାୟ ସାଢେ ୭ ଟାରେ ଗାଁ ଛକ ରେ କାଳିଆ ପ୍ରଧାନ ନାମକ ଜଣେ ଯୁବକ ଠିଆ ହୋଇଥିବା ବେଳେ ତାଙ୍କ ବିପକ୍ଷ ଗୋଷ୍ଠୀର ପୂର୍ବତନ ସରପଞ୍ଚ କେ.ହରିବନ୍ଧୁ ରେଡ୍ଡୀ,କେ. ଦୟା ରେଡ୍ଡୀ,କେ.କାମେଶ୍ୱର ରେଡ୍ଡୀ ଏବଂ ଏସ.ଶୁକଦେବ ରେଡ୍ଡୀ ତାଙ୍କୁ ଆକ୍ରମଣ କରିବା ସହ ଜାତିଆଣ ଆକ୍ଷେପ କରିଥିଲେ। ଫଳରେ ଦୁଇ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏ ନେଇ କେ.ନୂଆଗାଁ ଥାନାରେ ଏତଲା ଦିଆଯିବା ପରେ ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତ ମାନଙ୍କ ନାଁ ରେ ମକଦ୍ଦମା ରୁଜୁ କରିଥିଲେ।ତଦନ୍ତକାରୀ ଅଧିକାରୀ ଏସଡିପିଓ ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲେ।