ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ମାନ୍ୟତା ଦେବା ପାଇଁ ବିଧାନସଭାରେ ଦାବି ଉଠାଇଲେ ଆନନ୍ଦପୁର ବିଧାୟକ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ଡାକ୍ତରଖାନାକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମାନ୍ୟତା ଦେବା ପାଇଁ ବିଧାନସଭାରେ ଆଜି ଦାବି ଉଠାଇଛନ୍ତି ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନିକଟରେ ଅବସ୍ଥିତ ଏହି ଡ଼ାକ୍ତରଖାନା ଉପରେ ହାଟଡିହି, ଶାସଙ୍ଗ, ବଞ୍ଚୋ, ଅକରୁଆ , ପନ୍ଦାଡୋ, ମରେଇଗାଁ, ବଡରମ୍ପାସ, ସୁଲଣ ଆଦି ପଞ୍ଚାୟତର ୪୫ରୁ ଉର୍ଦ୍ଧ୍ବ ଗ୍ରାମର ୪୦ହଜାରରୁ ଊର୍ଦ୍ଧ୍ବ ଗ୍ରାମବାସୀ ନିର୍ଭର କରିଥାନ୍ତି। ଏହି ଡ଼ାକ୍ତରଖାନାଟି ଆନନ୍ଦପୁର ଭଦ୍ରକ ରାଜ୍ୟ ରାଜପଥ କଡ଼ରେ ଅବସ୍ଥିତ ଥିବାରୁ ଅଧିକାଂଶ ସମୟରେ ଦୁର୍ଘଟଣା ଜନିତ ରୋଗୀଙ୍କ ସଂଖ୍ୟା ଅଧିକ ଥାଏ। କିନ୍ତୁ ଡାକ୍ତର କି ନର୍ସ ଅଭାବରୁ ରୋଗୀମାନେ ବାଧ୍ୟ ହୋଇ ଆନନ୍ଦପୁର କିମ୍ବା ଭଦ୍ରକ ଡାକ୍ତରଖାନାକୁ ଯାଉଛନ୍ତି । ତେଣୁ ଏହି ଡାକ୍ତରଖାନାଟିକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ଦେବା ଅଥବା ଅପଗ୍ରେଡେଡ଼ କରିବାକୁ ବିଧାନସଭାର ପ୍ରଶ୍ନୋତ୍ତର କାଳରେ ବିଧାୟକ ଶ୍ରୀ ସେଠୀ ଦାବି ଉପସ୍ଥାପିତ କରିଛନ୍ତି। ତାଙ୍କ ପ୍ରଶ୍ନର ଉତ୍ତରରେ ସରକାର ଏନେଇ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଏହି ଡାକ୍ତରଖାନାଟିରେ ୨୪ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାର ବ୍ୟବସ୍ଥା ରହିଛି। ଏଠାରେ ଜଣେ ମାତ୍ର ଡାକ୍ତର, ୪ଜଣ ଷ୍ଟାଫ ନର୍ସ ଓ ୪ଜଣ ଆଟେଣ୍ଡାଣ୍ଟ ରହିବାକୁ ଥିବା ବେଳେ ଏଠାରେ ଡାକ୍ତର ପଦବି ଅଧିକାଂଶ ସମୟ ଖାଲି ପଡୁଥିବା ବେଳେ ଦୁଇଜଣ ଷ୍ଟାଫ ନର୍ସ ପଦବୀ ଖାଲି ପଡ଼ିଛି। ଫାର୍ମାସିଷ୍ଟ ଜଣକ ଗୋଟିଏ ଓଳି ଆସୁଥିବା ବେଳେ ଆଉ ଗୋଟିଏ ଓଳି ଆସୁ ନାହାନ୍ତି। କର୍ମଚାରୀ ମାନେ ନିଜ ମନ ଇଚ୍ଛା ଯା ଆସ କରୁଛନ୍ତି। ଫଳରେ କେତେ ଆଶା ଭରସା ନେଇ ସ୍ବାସ୍ଥ୍ୟ ସେବା ପାଇବା ପାଇଁ ଦୌଡି ଆସୁଥିବା ରୋଗୀମାନେ ଚିକିତ୍ସା ନ ପାଇ ନିରାଶ ହୋଇ ଫେରୁଛନ୍ତି। ଏପରିକି ଏହାକୁ ନେଇ ବହୁ ସମୟରେ ଏଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଏହି ଡାକ୍ତରଖାନା କୁ ବ୍ଲକର ସବୁସ୍ଥାନରୁ ଯୋଗାଯୋଗର ସୁବିଧା ଥିବାରୁ ଏହାକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଅପ ଗ୍ରେଡଡ଼ ପିଏଚସି କରିବାକୁ ପୂର୍ବରୁ ବାରମ୍ବାର ଦାବି ହୋଇ ଆସୁଥିଲା। ମାତ୍ର ଏହା ରାଜନୈତିକ ଅପାରଗତା ଯୋଗୁ ଏହି ଦାବି ଫାଇଲ ତଳେ ଚାପି ହୋଇଗଲା। ଯାହାଦ୍ୱାରା ଏ ଅଞ୍ଚଳର ଲୋକମାନେ ଦୀର୍ଘ ବର୍ଷ ହେଲା ଉପଯୁକ୍ତ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହୋଇ ଦୁଃଖ ଦୁର୍ଦ୍ଦଶାରେ କାଳ କାଟୁଛନ୍ତି। ରାଜ୍ୟ ସରକାର ବିଧାୟକଙ୍କ ଏହି ଦାବିକୁ ଗୁରୁତ୍ୱ ଦେଇ ହାଟଡ଼ିହି ଡାକ୍ତରଖାନାଟିକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ମାନ୍ୟତା ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ