ଗ୍ରାମଦେବତୀଙ୍କ ପୀଠରେ ଚାଲିଛି ଜନ୍ତାଳ ଭୋଜି
ନିମାପଡା (ସନ୍ତୋଷ ଦାଶ) : ପ୍ରାଚୀ ଉପତ୍ୟକା ଅଞ୍ଚଳ ରେ ଆରମ୍ଭ ହୋଇ ଯାଇଛି ଶାରଦୀୟ ଦୁର୍ଗାପୂଜା । ପ୍ରତ୍ୟେକ ଗାଁ ର ଗ୍ରାମଦେବତୀ/ଦେବୀପୀଠ ମାନଙ୍କ ରେ ପାରମ୍ପରିକ ପ୍ରଥାନୁସାରେ ଷୋଳ ପୂଜା ଅନୁଷ୍ଠିତ ହେଉଛି । ଷୋଳ ପୂଜା ସମୟ ରେ ସବୁ ଦିନ ଦେବୀ ଙ୍କ ନିକଟରେ ଆମିଷ ଭୋଗ ଲାଗି ହେବାର ବିଧି ରହିଛି। ଗ୍ରାମ ଦେବତୀଙ୍କୁ ଗ୍ରାମର ସୁରକ୍ଷାକର୍ତ୍ତି ଭାବେ ବିଶ୍ଵାସ କରା ଯାଉଥିବାରୁ ଗ୍ରାମର ମଙ୍ଗଳ ପାଇଁ ଓ ଗ୍ରାମକୁ ପଡ଼ିବାକୁ ଥିବା ବିପତ୍ତି କୁ ଦୂର କରିବାକୁ ଗ୍ରାମବାସୀ ମାନେ ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକତ୍ର ହୋଇ ଗୋଟିଏ ଦିନ ସମୂହ ପଂକ୍ତି ଭୋଗ ମା ଙ୍କ ନିକଟରେ ଲାଗି କରି ସମସ୍ତେ ଆବାଳ ବୃଦ୍ଧ ବନିତା ଏକତ୍ର ଭୋଜନ କରିଥାନ୍ତି। ଏହାକୁ ଯନ୍ତାଳ ଭୋଜି କୁହାଯାଇଥାଏ। ପରିବାର ପରିବାର ମଧ୍ୟରେ ମନୋମାଳିନ୍ୟ ଥିଲେ ମଧ୍ଯ ଦେବୀ ଙ୍କ ପୀଠରେ ସେମାନେ ଏକତ୍ର ବସି ଯନ୍ତାଳ ଭୋଜି ଖାଇଥାନ୍ତି । ଏହି ଯନ୍ତାଳ ଭୋଜି ଭାଇଚାରା ର ଏକ ଅପୂର୍ବ ନିଦର୍ଶନ ଭାବେ ରହିଆସିଛି କାହିଁ କେତେ କାଳରୁ । ପ୍ରାୟ ୬ଷ୍ଠ ଶତାବ୍ଦୀ ସମୟ ରୁ ପ୍ରତି ଗାଁ ର ଠାକୁରାଣୀ ଙ୍କ ନିକଟରେ ଷୋଳପୂଜା ଓ ଯନ୍ତାଳ ଭୋଜି ଗ୍ରାମ ର ଏକ ମୁଖ୍ୟ ଉତ୍ସବ ଭାବେ ପାଳିତ ହୋଇ ଆସୁଥିବା ଗବେଷକ ବ୍ରଜ ମୋହନ ମହାନ୍ତି ତାଙ୍କ ପୁସ୍ତକ ଓଡ଼ିଶା ର ଯାନିଯାତ୍ରା ପର୍ବ ପର୍ବାଣୀ ଓଷା ବ୍ରତ ରେ ପ୍ରକାଶ କରିଛନ୍ତି ।