ଗ୍ରାମବାସୀଙ୍କ ଦ୍ୱାରା ଜଂଗଲରୁ ନିଆଁ ଲିଭାଗଲା
ହାଟଡ଼ିହି, (ବିକାଶ ବିଶ୍ୱାଳ):ଜଂଗଲରେ ନିଆଁ ନଲାଗାଇବା ପାଇଁ ବନ ବିଭାଗ ପକ୍ଷରୁ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜନ କରିବା ସହିତ ସବୁଜ ବାହିନୀ, ଜଂଗଲ ସୁରକ୍ଷା କମିଟି ମାନ ଗଠନ କରାଯାଇ ଜଂଗଲ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ବାସ୍ତବରେ ଏହାର କାର୍ଯ୍ୟକାରିତା ହୋଇପାରୁ ନାହିଁଁ । ଫଳରେ ଜଂଗଲରୁ ଗଛ କାଟିବା, ଜଂଗଲରେ ପସି ବନ୍ୟଜନ୍ତୁ ଶୀକାର କରିବା, ଜଂଗଲରେ ନିଆଁ ଲଗାଇ ସବୁଜ ବନାନୀକୁ ଧ୍ୱଂସ କରିବା ଭଳି ଘଟଣାମାନ ଦେଖିବାକୁ ମିଳୁଛି । କିନ୍ତୁ କଅଁଳେଇବାଲିପାଳ ଅଞ୍ଚଳରେ ଥିବା ଜଂଗଲରେ ନିଆଁ ଲାଗିଥିବାବେଳେ ଗ୍ରାମବାସୀ ମାନଙ୍କ ଦ୍ୱାରା ନିଆଁ ଲିଭାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୁଚନାରୁ ଜଣାଯାଇଛି ଯେ ମୟୁରଭଞ୍ଜ ଜିଲ୍ଲାର ଶ୍ରୀପଦ୍ମଞ୍ଜରୀ ଜଂଗଲରୁ ନିଆଁ ବ୍ୟାପି ହଦଗଡ ଅଭୟାରଣ୍ୟର କପାଜଳା, ଆରାହାଙ୍ଗି, ହେମଗଡ, ଅଶନପାନି, ପେଣିପଥର, ଆଣ୍ଡିପାଣ ଆଦି ଜଂଗଳରେ ନିଆଁ ଲାଗି ଯାଇଥିଲା । ଏହି ନିଆଁ ଦିନକୁ ଦିନ ମାଡି ମାଡି ଚାଲିଥିବାବେଳେ କାଠକଟା ଫରେଷ୍ଟର କେଦାର ପାତ୍ରଙ୍କ ସହଯୋଗରେ ବଣିଆପଙ୍କ ସବୁଜ ବାହିନୀର ସଦସ୍ୟ ଓ କଅଁଳେଇବାଲିପାଳ ଗ୍ରାମର ବୁଦ୍ଧିରାମ ପୁର୍ତ୍ତୀ, ବିର୍ସାା ପୁର୍ତ୍ତୀ, ଇନ୍ଦ୍ରମଣି ହୋ, ସାମୁ ପୁର୍ତ୍ତୀ, ରତନ ଟୁଡୁ, ଭୋଗୁଲୁ ମୁର୍ମୁ, କାମିନି ମୁର୍ମୁ, ମୁଚିରାମ ହେମ୍ରମ, ଗୁରୁଚରଣ ମହାକୁଡ, ମଙ୍ଗୁଳୁ ହେମ୍ରମ, ପାର୍ଗାଣା ପୁର୍ତ୍ତୀ, ଗୁରୁଚରଣ ମହାକୁଡ, ସିଲା ସୋରେନ, ରଜିଆ ସୋରେନ ପ୍ରମୁଖଙ୍କ ସହଯୋଗରେ ନିଆଁକୁ ଆୟତ କରିଥିଲେ । ଗ୍ରାମବାସୀଙ୍କ ଏପରି ସହଯୋଗକୁ ବନ ବିଭାଗ ପକ୍ଷରୁ ସ୍ୱାଗତ କରାଯିବା ସହିତ ବନ ବିଭାଗ ଓ ଗ୍ରାମବାସୀଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ ଏହିପରି ଜଂଗଲ ସୁରକ୍ଷା ସୁରୁଖୁରୁରେ ହୋଇପାରିବ ବୋଲି ରେଞ୍ଜ ଅଫିସର ସୁମିତ ମହାନ୍ତି କହିଛନ୍ତି ।