ଗ୍ରାମବାସୀ ଓ ବନ ବିଭାଗ ଦ୍ୱାରା ବୟସ୍କା ମାଈ ହାତୀର ଶବ ସତ୍କାର

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ବହଳଦା ବନାଞ୍ଚଳ ଅନ୍ତର୍ଗତ ଜାମଦା ବ୍ଲକର ଗିରିଆମଜାର ଜଙ୍ଗଲରେ ଏକ ବୃଦ୍ଧା ମାଈ ହାତୀର ମୃତଦେହକୁ ଶବ ସତ୍କାର ଶନିବାର ଦିନ ଗ୍ରାମବାସୀ ଓ ବନ ବିଭାଗ ଦ୍ୱାରା ସଂପନ୍ନ କରାଯାଇଛି । ସୂଚନାଯୋଗ୍ୟ ଯେ ଗତ ୪/୫ ଦିନ ହେଲା ଏକ ବୟସ୍କା ଅସୁସ୍ଥ ମାଈ ହାତୀ ବୁଲୁଥିଲା ବନ ବିଭାଗ କର୍ମଚାରୀ ତା’ର ଗତିବିଧି ଉପରେ ନଜର ରଖିଥିଲେ । ଗୁରୁବାର ଠାରୁ ହାତୀ ଖାଇବା ପିଇବା ବନ୍ଦ କରି ଦେଇଥିଲା । ଗ୍ରାମବାସୀ ଅସୁସ୍ଥ ମାଈ ହାତୀର ଯତ୍ନ ଓ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବନବିଭାଗକୁ ଜଣାଇଲେ ମଧ୍ୟ ବନ ବିଭାଗ ଶୁଣିଲେ ନାହିଁ । ଗାଁ ବାଲା ତିନି ଦିନ ଧରି ହାତୀର ସେବା ଶୁଶ୍ରୁଷା କରୁଥିଲେ । ଶେଷରେ ହାତୀଟି ଶନିବାର ସକାଳ ୬.୨୫ ରେ ଠିଆ ଅବସ୍ଥାରେ ପଡ଼ି ଯାଇଥିଲା ଓ ୬.୪୫ରେ ତା’ର ପ୍ରାଣବାୟୁ ଉଡି ଯାଇଥିଲା । ପରେ ରାଇରଙ୍ଗପୁର ବନବିଭାଗ କର୍ମଚାରୀ ଏବଂ ବାରିପଦା ବନ୍ଦ ବିଭାଗ କର୍ମଚାରୀ ପହଞ୍ଚିଥିଲେ । ସମସ୍ତଙ୍କର ଉପସ୍ଥିତିରେ ଗ୍ରାମବାସୀ ପୁଜାର୍ଚନା କରି ବନ ବିଭାଗ ସହାୟତାରେ ଶେଷକୃତ୍ୟ ସଂପନ୍ନ କରାଇଥିଲେ । ବନଖଣ୍ଡ ଅଧିକାରୀ ଡ଼ଃ ଅରୁଣ ମିଶ୍ରଙ୍କୁ ହାତୀର ଚିକିତ୍ସାରେ ବନ ବିଭାଗର ଅବହେଳା ନେଇ ଦୋଷାରୋପ କରିଥିଲେ । ଗ୍ରାମବାସୀଙ୍କ ପ୍ରଶ୍ନବାଣରେ ଡିଏଫଓ ସଠିକ୍ ଉତ୍ତର ଦେଇ ନ ପାରି ଘାଇଲା ହୋଇଥିଲେ ଓ ଆଡେଇ ଦେଇଥିଲେ ।ଗଣମାଧ୍ୟମ ପ୍ରତିନିଧିଙ୍କୁ ରାଇରଙ୍ଗପୁରେ ବାଇଟ ଦେବାକୁ କହିଥିଲେ ଓ ପରେ ଯେତେ ଫୋନ ଲଗାଇଲେ ବି ଉଠାଇ ନ ଥିଲେ । ହାତୀର ମୃତ୍ୟୁରେ ଗ୍ରାମରେ ଶୋକରେ ଛାୟା ଖେଳି ଯାଇଥିଲା । ବନ ବିଭାଗର ଦାଇତ୍ୱହୀନତାକୁ ସାଧାରଣରେ ନିନ୍ଦା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ