ଗ୍ରାମାଂଚଳରେ ଜୋର ଧରୁଛି ବିଜେଡ଼ିର ପ୍ରଚାର
ହିଂଜିଳିକାଟୁ, (ଶେଷଦେବ ସାହୁ) : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମାପ୍ତ ହୋଇଥିବା ବେଳେ ୨ୟ ପର୍ଯ୍ୟାୟ ମତଦାନ ଆସନ୍ତା ୧୮ ତାରିକରେ ଅନୁଷ୍ଠିତ ହେବାକୁ ଯାଉଛି । ଆସିକା ସଂସଦୀୟ କ୍ଷେତ୍ର ଗୋଟିଏ ଲୋକସଭା ଆସନ ସମେତ ଉକ୍ତ ସଂସଦୀୟ କ୍ଷେତ୍ର ଅଧିନସ୍ଥ ୭ ଟି ବିଧାନସଭା ଆସନରେ ଭୋଟ ଅନୁଷ୍ଠିତ ହେବାକୁ ଯାଉଛି । ଭୋଟର ସାବ୍ୟସ୍ତ କରିବେ ନିଜର ମୁଲ୍ୟବାନ ଭୋଟ ଏବଂ ପୁଣିଥରେ ଲୋକ ପ୍ରତିନିଧି ବଛାହେବ ଏବଂ ସରକାର ଗଢିବ । ଏ ନେଇ ସମସ୍ତ ରାଜନେତ÷ତିକ ଦଳର ପ୍ରଚାର ଜୋର ଧରିଛି । ଭୋଟର ମାନଙ୍କୁ ମନେଇବା ପାଇଁ ସବୁ ଦଳ ଲାଗିପଡ଼ିଛନ୍ତି । ବର୍ତମାନ ରାଜ୍ୟ ମୁଖିଆଙ୍କଗଡ଼ ଭାବେ ପରିଚିତ ହିଂଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ି ପକ୍ଷରୁ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ୮ ଜଣ ପ୍ରାର୍ଥୀ ରହିଛନ୍ତି । ସେମାନେ ହେଲେ କଂଗ୍ରେସରୁ ବରିଷ୍ଟ ଆଇନଜିବୀ ତଥା ହିଞ୍ଜିଳିକାଟୁ ମାର୍ଚ୍ଚେଂଟ ଏସୋସିଏସନ ଓ ତରାତାରିଣୀ ମଜଦୁର ସଙ୍ଘର ସଭାପତି ଶମ୍ଭୁ ପାଣିଗ୍ରାହୀ, ବିଜେପିରୁ ବରିଷ୍ଟ ଆଇନଜିବୀ ତଥା ବିଜେପିର ମୁଖପାତ୍ର ତଥା ରାଜ୍ୟ ଉପସଭାପତି ପିତାମ୍ବର ଆଚାର୍ଯ୍ୟ, ବହୁଜନ ସମାଜପାର୍ଟିର ଭାସ୍କର ଚୌଧୁରୀ, ଏସୟୁସିଆଇ(ସି)ର ଡ଼ି. ତିରୁପତି ଦୋରା, ଆମ୍ବେଦକର ଜାତୀୟ କଂଗ୍ରେସର ରଂଜନ କୁମାର ଆପଟ, ସ୍ୱାଧିନ ପ୍ରୟାର୍ଥୀ ବାବୁଲା ସାହୁ, ସି. ଲକ୍ଷ୍ମୀ ଆଚାରୀ, ଓ ସୁକାନ୍ତ କିଶୋର ପଣ୍ଡା । ଚଳିତ ମାସ ୧୮ ତାରିଖରେ ମତଦାନ ଗ୍ରହଣ ରହିଥିବାରୁ ସମସ୍ତ ପ୍ରାର୍ଥୀ ଦିନରାତି ଏକ କରି ପ୍ରଚାର ପ୍ରସାର ଜୋରଦାର କରିଛନ୍ତି । ଚଳିତ ନିର୍ବାଚନରେ ବିଜେଡ଼ି, କଂଗ୍ରେସ ଓ ବିଜେପି ମଧ୍ୟରେ କଡ୍ଡା ଟକ୍କର ହେଉଥିବାର ଦେଖିବାକୁ ମିଳୁଛି ।
ଗତକିଛି ଦିନ ଧରି ବିଜୁ ଜନତା ଦଳ ପକ୍ଷରୁ ଲଗାତାର ହଂଜିଳିକାଟୁ ବ୍ଳକର ବିଭିନ୍ନ ପଂଚାୟତ ଓ ପୌରାଂଚଳର ବିଭିନ୍ନ ୱାର୍ଡ଼ରେ ସ୍ଥାନୀୟ ଅଂଚଳର ବତଜେଡ଼ି ନେତା ଓ କର୍ମୀ ମାନେ ଦିନରାତି ଏକାକାର କରି ପ୍ରଚାରରେ ଲାଗି ପଡ଼ିଛନ୍ତି । ହିଂଜିଳି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିବା ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୦୦୦ ମସିହା ପରଠାରୁ ହିଞ୍ଜିଳିରେ ପାଦ ଥାପିବା ପର ଠାରୁ ବିଜେଡ଼ିର ଗଡ଼ ଭାବେ ପରିଗଣିତ ହୋଇ ଆସୁଛି । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଗଡ଼ ଭାବେ ପରିଚିତ ଥିବାରୁ ଏଠାରେ ଶାସକ ବିଜେଡ଼ିର ସମ୍ପୂର୍ଣ୍ଣ ଦବଦବା ରହିଛି । ଗତ ୨୦୦୦ ମସିହା ଠାର ଲଗାତାର ଭାବେ ୪ ଥର ହିଞ୍ଜିଳି ବିଧାନସଭା ଆସନରୁ ନବୀନ ପଟ୍ଟନାୟକ ବିଜୟୀ ହେବା ସହ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରି ଆସୁଛନ୍ତି । ଚଳିତ ନିର୍ବାଚନରେ ନବୀନ ପଟ୍ଟନାୟକ, ତାଙ୍କ ବିରୋଧରେ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଈଥିବା ସମସ୍ତ ପ୍ରାର୍ଥୀଙ୍କୁ ବିପୁଳ ଭୋଟ ବ୍ୟବଧାନରେ ପରାସ୍ତ କରି ୫ମ ଥର ସକାଶେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପାଇଁ ସମସ୍ତ ପ୍ରକାର ଯୋଜନା ପ୍ରସ୍ତୃତି କରି ସାରିଛନ୍ତି ।ଶୁକ୍ରବାର ଦିନ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀ ହିଂଜିଳି ଗ୍ରସ୍ତରେ ଆସୁଥିବାରୁ ଦଳୀୟ କର୍ମୀଙ୍କ ମହଲରେ ଉତ୍ସାହ ବୃଦ୍ଧି ପାଇଛି । ଅନ୍ୟ ପକ୍ଷରେ ଗତ ୧୯ ବର୍ଷ ମଧ୍ୟରେ ହୋଇଥିବା ବିଭିନ୍ନ ଦୁର୍ନିତିର ଖୁଲାସା କରି ଭାରତୀୟ ଜନତା ପାର୍ଟି ଲୋକଙ୍କ ନିକଟତର ହେଉଥିବା ଦେଖିବାକୁ ମିଳିଛି ।ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଡଧମେନ୍ଦ୍ର ପ୍ରଧାନ ହିଂଜିଳି ଗ୍ରସ୍ତରେ ଆସି ରାଜ୍ୟ ସରକାରଙ୍କ ବିରୋଧରେ ବିଷେଦଗାର କରିବା ସହ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବା ସହ ମୋଦିଙ୍କହାତ ମୁଠାକୁ ଟାଣ କରିବା ପାଇଁ ଅନୁରୋଧ କରି ଫେରିଯାଇଥିଲେ । ସେହିପରି ସ୍ଥାନୀୟ ସମସ୍ୟାର ସ୍ଥାୟୀ ସମାଧାନ ଦାବୀ କରି ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶମ୍ଭୁ ପାଣିଗ୍ରାହୀ ପ୍ରଚାର ଚଲାଇ ଆସୁଥିଲେ ମଧ୍ୟ କଂଗ୍ରେସ ଦଳ ପକ୍ଷରୁ ସେପରି କୌଣସି ଦଳର ଷ୍ଟାର ପ୍ରଚାରକ ହିଂଜିଳି ଗ୍ରସ୍ତରେ ଆସିନଥିବାରୁ ଶମ୍ଭୁ ନିଜେ ନିଜର ପ୍ରଚାର ଚଲାଇ ଆସୁଛନ୍ତି । ହିଂଜିଳିକାଟୁ ବ୍ଳକର ବହୁ ପଂଚାୟତ ଓ ପୌରାଂଚଳରେ ଶାସକ ବିଜେଡ଼ି ପ୍ରଚାରରେ ଆଗୁଆ ଥିବାର ଜଣାପଡ଼ିଛି ।ସ୍ଥାନୀୟ ଅଂଚଳର ଜନସାଧାରଣ ବିଜେଡ଼ି ପ୍ରତି ଆସ୍ଥା ପ୍ରକଟ କରୁଥିବାର ଶୁଣିବାକୁ ମିଳୁଛି ।


