ଗ୍ରାମାଞ୍ଚଳରେ ଅତ୍ୟାଧୁନିକ ୩ଡି ଇ-ପାଠାଗାର ଦେଖି ଆଶ୍ଚର୍ଯ୍ୟ ହେଲେ ଧର୍ମଶାଳା ବିଧାୟକ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ଏକ ନିପଟ ମଫସଲରେ ୩ଡି ଇ- ପାଠାଗାର ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ । ଚାନ୍ଦବାଲିକୁ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ରବିବାର ବିଧାୟକ ଶ୍ରୀ ବଳବନ୍ତରାୟ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କେଶପୁର ପଞ୍ଚାୟତର ଅରୁଆ କଦଳୀବଣ ଉଚ୍ଚ ଶିକ୍ଷାଶ୍ରମ ପରିସରରେ ନୂତନ ଭାବେ ନିର୍ମିତ ହୋଇଥିବା ଏହି ୩ଡି ଇ- ପାଠାଗାରକୁ ବୁଲି ଦେଖିଥିଲେ । ସେଠାରେ ଉପସ୍ଥିତ କେଶପୁର ପଞ୍ଚାୟତର ସରପଞ୍ଚ ପୂର୍ଣ୍ଣେନ୍ଦୁ ପ୍ରେମାନନ୍ଦ ଘଡାଇ ଏହି ନବ ନିର୍ମିତ ୩ଡି ଇ- ପାଠାଗାର ସମ୍ପର୍କରେ ବିଧାୟକଙ୍କୁ ବୁଝାଇବାକୁ ଯାଇ କହିଥିଲେ ଯେ ବଡବଡ ସହରରେ ଏହି ସୁଯୋଗ ଛାତ୍ରଛାତ୍ରୀମାନଙ୍କୁ ମିଳିଥାଏ । କିନ୍ତୁ କେଶପୁର ଭଳି ଏକ ନିପଟ ମଫସଲ ଅଞ୍ଚଳରେ ସେଭଳି ସୁଯୋଗ ଗ୍ରାମାଞ୍ଚଳର ଛାତ୍ରାଛାତ୍ରୀମାନଙ୍କୁ ଯୋଗାଇଦେବା ଉଦେଶ୍ୟରେ ଏଭଳି ଅତ୍ୟାଧୁନିକ ପାଠାଗାରର ନିର୍ମାଣ କରାଯାଇଛି । ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ନିମନ୍ତେ ଆଉ ସହରକୁ ପାଠ ପଢିବା ପାଇଁ ନଯାଇ ଏଠାରେ ସେଭଳି ସୁଯୋଗ ଛାତ୍ରଛାତ୍ରୀମାନେ ପାଇପାରିବେ ବୋଲି କହିଛନ୍ତି କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସ । କାରଣ ଗ୍ରାମାଞ୍ଚଳରେ ପ୍ରତିଯୋଗିତା ମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ନିର୍ମିତ ହୋଇଛି ଏହି ଥ୍ରୀ-ଡି ପାଠାଗାର । ଏହି ପାଠାଗାରରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା କରାଯିବା ସହ ପାଠାଗାରକୁ ସମ୍ପୂର୍ଣ୍ଣ ଭାବେ ଶୀତତାପ ନିୟନ୍ତ୍ରିତ କରାଯାଇଛି । ଏଥିସହ ଅତ୍ୟାଧୁନିକ ବେଞ୍ଚ ଓ ଟେବୁଲ ଓ ଛାତ୍ରଛାତ୍ରୀଙ୍କ ପାଇଁ କମ୍ପ୍ୟୁଟରର ବ୍ୟବସ୍ଥା କରାଯାଇଛି ଓ ଇଣ୍ଟରନେଟ୍ ସେବା ପାଇବା ପାଇଁ ୱାଇ ଫାଇର ବ୍ୟବସ୍ଥା ମଧ୍ୟ କରାଯାଇଛି । ବିଧାୟକ ଶ୍ରୀ ବଳବନ୍ତରାୟ ଏହି ପାଠାଗାରକୁ ଦେଖି କେଶପୁର ସରପଞ୍ଚ ଶ୍ରୀ ଘଡାଇଙ୍କୁ ପ୍ରସଂଶା କରିବା ସହ ତାଙ୍କ ନିର୍ବାଚନ ମଣ୍ଡଳୀରେ ଏଭଳି ଏକ ପାଠାଗାର ନିର୍ମାଣ କରିବେ ବୋଲି କହିଛନ୍ତି ।


