ଗ୍ରାମାଞ୍ଚଳ କ୍ରିକେଟର ସଫଳ ଭାଷ୍ୟକାର ପ୍ରତ୍ୟୁଷ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା):କ୍ରିକେଟ ଏକ ସର୍ବାଦୃତ କ୍ରୀଡା ଭାବେ ଭାରତର କୋଣ ଅନୁକୋଣରେ ପ୍ରସିଦ୍ଧିଲାଭ କରିଛି । ଜାତୀୟ ଓ ଆନ୍ତର୍ଜାତୀୟ ଖେଳକୁ ବାଦଦେଲେ ଗ୍ରାମାଞ୍ଚଳ କ୍ରିକେଟ ଖେଳ ଆଜି ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି । ଖେଳକୁ ସଠିକ ଭାବେ ପରିଚାଳନା କରିବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଥିବାବେଳେ ଏହାର ତଥ୍ୟକୁ ଡାକବାଜିରେ ଉପସ୍ଥାପନ କରିବା ଅଧିକ ଗୁରୁତ୍ୱ ଆଣିଥାଏ । ଦୀର୍ଘ ୬ଘଣ୍ଟା ଧରି ଜଣେ କ୍ରିକେଟ ଭାଷ୍ୟକାରଙ୍କ ବାକଚାତୁରୀ ଧାରାବିବରଣୀ ପ୍ରଦାନ ଦର୍ଶକଙ୍କୁ ବାନ୍ଧି ରଖିଥାଏ । ସେମିତି ଜଣେ ଗ୍ରାମାଞ୍ଚଳ କ୍ରିକେଟର ଭାଷ୍ୟକାର ହେଲେ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର ପ୍ରତ୍ୟୁଷ ସାହୁ । ବ୍ଲକ ଅଧିନ ଜଗନ୍ନାଥପ୍ରସାଦ, ହରପାର୍ବତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଖୁଆପଦା, ହରମୋହନ ମହାପାତ୍ର କ୍ରିକେଟ ପ୍ରତିଯୋଗିତା ଚନ୍ଦ୍ରଭାନୁପୁର, ମହାବୀର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଯଶୋଟିକିରି, ମଞ୍ଜୁରୀରୋଡ ପ୍ରମୁଖ ସ୍ଥାନରେ ଖେଳର ଧାରା ବିବରଣୀ ପ୍ରଦାନ କରିଥାଆନ୍ତି । ପ୍ରତ୍ୟକ ବର୍ଷ ଉକ୍ତ ସ୍ଥାନ ଗୁଡିକରେ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ଖେଳାଳିଙ୍କ ପ୍ରତିଯୋଗିତା ଚାଲିଥିବାବେଳେ ପ୍ରତ୍ୟୁଷଙ୍କ ହିନ୍ଦୀ ଓ ଓଡିଆ ଧାରା ବିବରଣୀ ଦର୍ଶକଙ୍କୁ ବେଶ ଆତ୍ମ ସନ୍ତୋଷ ଦେଇଥାଏ । ଏହାଛଡା ବିଭିନ୍ନ ଅଞ୍ଚଳର ଛୋଟବଡ ଟୁର୍ଣ୍ଣାମେଣ୍ଟରେ ଭାଷ୍ୟକାର ପ୍ରତ୍ୟୁଷଙ୍କ ଉପସ୍ଥିତି ଧାରାବିବରଣୀକୁ ସରସସୁନ୍ଦର କରିଥାଏ । ବୃତ୍ତିଗତ ଭାବେ ସେ ଜଣେ କ୍ଷୁଦ୍ର ବ୍ୟବସାୟୀ ହେଲେ ସୁଦ୍ଧା ନିଶା ତାଙ୍କର ଗ୍ରାମାଞ୍ଚଳ କ୍ରିକେଟ ପାଇଁ ଧାରା ବିବରଣୀ ପ୍ରଦାନ କରିବା । ଅଦ୍ୟାବଧି ପ୍ରାୟ ୧୦ବର୍ଷ ହେବ ୫୦୦ରୁ ଅଧିକ ଟୁର୍ଣ୍ଣାମେଣ୍ଟରେ ସେ ନିର୍ଭୁଲ ଧାରାବିବରଣୀ ପ୍ରଦାନ କରି ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛନ୍ତି ।