ଗ୍ରାମାଞ୍ଚଳ ପ୍ରବାସୀ ଶ୍ରମିକଙ୍କୁ ଘର ପାଖେ କାମ ଯୋଗାଇଦିଆଯିବ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗରିବ କଲ୍ୟାଣ ରୋଜଗାର ଅଭିଯାନର ଶୁଭାରମ୍ଭ କରିଛନ୍ତି । କୋଭିଡ-୧୯ ବୈଶ୍ଵିକ ମହାମାରୀ ଯୋଗୁଁ କ୍ଷତିଗ୍ରସ୍ତ ହୋଇ ନିଜ ଗ୍ରାମକୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଏହା ସେମାନଙ୍କ ନିଜ ଗ୍ରାମ ନିକଟରେ ଜୀବିକା ସୁଯୋଗ ଯୋଗାଇବ । ବିହାର ରାଜ୍ୟର ଖଗରିଆ ଜିଲ୍ଲା ବେଲଦାଉ ବ୍ଲକର ତେଲିହାର ଗ୍ରାମରୁ ଭିଡିଓ କନଫରେନ୍ସ ଦ୍ଵାରା ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି । ଏଥିରେ ବିହାର ମୁଖ୍ୟମନ୍ତ୍ରୀଙ୍କ ସମେତ 6ଟି ରାଜ୍ୟର ପ୍ରତିନିଧି, କେନ୍ଦ୍ରମନ୍ତ୍ରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଦୂର ସମ୍ବେଦୀ ଦୃଶ୍ୟ ଶ୍ରାବ୍ୟ ସମ୍ମିଳନୀ ଜରିଆରେ ଖଗରିଆ ଜିଲ୍ଲାର ତେଲିହାର ଗ୍ରାମବାସୀଙ୍କ ସହ ମତ ବିନିମୟ କରିଥିଲେ । ଏହି ଗ୍ରାମରୁ ହିଁ ଆଜି ଏହି ଅଭିଯାନର ଶୁଭାରମ୍ଭ ହୋଇଛି । କେତେକ ପ୍ରବାସୀ ଶ୍ରମିକଙ୍କ ଠାରୁ ସେମାନଙ୍କର ବର୍ତ୍ତମାନ ରୋଜଗାର ପନ୍ଥା ଓ ଲକଡାଉନ କାଳରେ ଘୋଷିତ ବିଭିନ୍ନ କଲ୍ୟାଣମୁଲକ କାର୍ଯ୍ୟର ସୁବିଧା ସେମାନେ ପାଉଛନ୍ତି କି ନାହିଁ, ତାହା ପଚାରି ବୁଝିଥିଲେ । ପ୍ରଧାନମନ୍ତ୍ରୀ ମତ ବିନିମୟରେ ଖୁସି ହେବା ସହ କୋଭିଡ-୧୯କୁ ମୁକାବିଲା କରିବାରେ ଗ୍ରାମୀଣ ଭାରତ କିପରି ସକ୍ଷମ ହୋଇଛି ତାହା ସମଗ୍ର ଭାରତ ବର୍ଷ ପାଇଁ ଆଶ୍ଵାସନାର ପ୍ରତୀକ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଓ ପ୍ରବାସୀମାନଙ୍କ କଲ୍ୟାଣ ପାଇଁ ଚିନ୍ତିତ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ୧.୭୫ଲକ୍ଷ କୋଟି ଟଙ୍କାର ପ୍ୟାକେଜ ସହିତ ଆତ୍ମନିର୍ଭର ଭାରତ ଅଭିଯାନ ଆରମ୍ଭ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଘରକୁ ଫେରିବାକୁ ଇଚ୍ଛୁକ ପ୍ରବାସୀ ଶ୍ରମିକମାନଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସ୍ଵତନ୍ତ୍ର ସ୍ପେଶାଲ ଟ୍ରେନ ଚଳାଇଥିଲେ । ଗରିବଙ୍କ କଲ୍ୟାଣ ପାଇଁ ଆରମ୍ଭ କରାଯାଇଥିବା ଏହି କର୍ମନିଯୁକ୍ତି ଯୋଜନା ଦୃଷ୍ଟିରୁ ଆଜି ଏକ ଐତିହାସିକ ଦିନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆମ ଗ୍ରାମାଞ୍ଚଳର ଶ୍ରମିକ ଭାଇ ଭଉଣୀ ଓ ଯୁବ ସମାଜ ପାଇଁ ଏହି ଅଭିଯାନ ଉତ୍ସର୍ଗୀକୃତ । ଶ୍ରମିକମାନଙ୍କୁ ନିକ ଗ୍ରାମ ନିକଟରେ କାମ ଯୋଗାଇଦେବା ଏହି ଯୋଜନାର ଲକ୍ଷ୍ୟ । ଗରିବ କଲ୍ୟାଣ ରୋଜଗାର ଅଭିଯାନ ଅଧୀନରେ ଗ୍ରାମାଞ୍ଚଳର ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ପାଇଁ ୫୦ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଗ୍ରାମାଞ୍ଚଳରେ କାମ ଯୋଗାଇଦେବା ପାଇଁ ୨୫ପ୍ରକାରର କାର୍ଯ୍ୟ କରାଯିବା ଲାଗି ଚିହ୍ନଟ କରାଯାଇଛି । ଚିହ୍ନଟ କରାଯାଇଥିବା କାର୍ଯ୍ୟ ପ୍ରଣାଳିଗୁଡିକ ମଧ୍ୟରେ ଗ୍ରାମାଞ୍ଚଳରେ ଗରିବମାନଙ୍କୁ ଗୃହ ଯୋଗାଣ, ବୃକ୍ଷ ରୋପଣ, ଜଳ ଜୀବନ ମିଶନ ଅଧୀନରେ ପାନୀୟ ଜଳ ସୁବିଧା, ପଞ୍ଚାୟତ ଭବନ, ଗୋଷ୍ଠୀ ଶୌଚାଳୟ, ଗ୍ରାମାଞ୍ଚଳ ହାଟ, ଗ୍ରାମ ସଡକ, ଗୋରୁ ଗୁହାଳ, ଅଙ୍ଗନୱାଡି କେନ୍ଦ୍ର ଇତ୍ୟାଦି ଅନ୍ତର୍ଭୁକ୍ତ । ଏହି ଅଭିଯାନ ଗ୍ରାମାଞ୍ଚଳରେ ଆଧୁନିକ ସୁବିଧା ସୁଯୋଗ ମଧ୍ୟ ଯୋଗାଇଦେବ । ପ୍ରତ୍ୟେକ ଘରକୁ ଦ୍ରୁତ ଗତି ଯୁକ୍ତ ଇଣ୍ଟରନେଟ ଯୋଗାଇ ଦେବା ଯୋଗୁଁ ଏହା ଯୁବକ, ଯୁବତୀ ଓ ପିଲାମାନକୁ ସହାୟକ ହେବ । ପ୍ରଥମଥର ପାଇଁ ଗ୍ରାମାଞ୍ଚଳ ସହରାଞ୍ଚଳ ତୁଳନାରେ ଅଧିକ ଇଣ୍ଟରନେଟ ବ୍ୟବହାର କରୁଛି ବୋଲି ସେ କହିଥିଲେ । ସେ ଦୃଷ୍ଟିରୁ ଫାଇବର କେବୁଲ ବିଛାଯାଇ ଇଣ୍ଟରନେଟ ସଂଯୋଗ ଦେବା ଏହି ଅଭିଯାନର ଏକ ଅଂଶବିଶେଷ ହେବ ବୋଲି ସେ କହିଛନ୍ତି । ନିଜ ଗ୍ରାମ ଓ ପରିବାର ସହିତ ରହି ପ୍ରବାସୀ ଶ୍ରମିକମାନେ ଏହି କାର୍ଯ୍ୟ କରିବେ । ଆତ୍ମନିର୍ଭର ଭାରତ ପାଇଁ ଆତ୍ମନିର୍ଭର କୃଷକଙ୍କର ମଧ୍ୟ ଆବଶ୍ୟକତା ରହିଛି । ସରକାର ନେଇଥିବା କେତେକ ବ୍ୟବସ୍ଥା ଯୋଗୁଁ ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀଗୁଡିକୁ ଦେଶର ଯେକୌଣସି ସ୍ଥାନରେ ଏବଂ ବ୍ୟବସାୟୀ ମାନଙ୍କ ସହିତ ପ୍ରତ୍ୟକ୍ଷ ଯୋଗାଯୋଗ କରି ବିକ୍ରି କରି ଅଧିକ ଲାଭବାନ ହୋଇପାରିବେ । ଚାଷୀମାନେ ବଜାର ସହିତ ଯେପରି ପ୍ରତ୍ୟକ୍ଷ ଯୋଗାଯୋଗରେ ରହିବେ ସେଥିପାଇଁ ସରକାର ୧ଲକ୍ଷ କୋଟି ପୁଞ୍ଜି ବିନିଯୋଗ କରି ଶୀତଳ ଭଣ୍ଡାର ଇତ୍ୟାଦିର ବ୍ୟବସ୍ଥା କରିଛନ୍ତି । ୧୨୫ ଦିନିଆ ଏହି ଅଭିଯାନ ମିଶନ ମୋଡରେ ଚାଲିବ ଓ ୧୧୬ଟି ଜିଲ୍ଲାରେ ପ୍ରବାସୀ ଶ୍ରମିକମାନେ ୨୫ଟି ବିଭିନ୍ନ ପ୍ରକାର କାର୍ଯ୍ୟରେ ନିୟୋଜିତ ହେବେ । ସର୍ବାଧିକ ପ୍ରବାସୀ ଶ୍ରମିକ ଥିବା ଏହି ୬ଟି ରାଜ୍ୟ ହେଲା ବିହାର ୩୨, ଉତ୍ତରପ୍ରଦେଶ ୩୧, ମଧ୍ୟପ୍ରଦେଶ ୨୪, ରାଜସ୍ଥାନ ୨୨, ଓଡିଶା ୪, ଝାଡଖଣ୍ଡ ୩ ଟି ରହିଛି । ଏହି ଅଭିଯାନ କାଳରେ ହେଉଥିବା କାର୍ଯ୍ୟ ପାଇଁ ୫୦ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଅଭିଯାନରେ ୧୨ଟି ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ସଂଶ୍ଳିଷ୍ଟ ରହିବେ । ବିଭାଗଗୁଡିକ ହେଲା ଗ୍ରାମାଞ୍ଚଳ ବିକାଶ, ପଞ୍ଚାୟତିରାଜ, ସଡକ ପରିବହନ ଓ ରାଜମାର୍ଗ, ଖଣି, ପାନୀୟ ଜଳ ଓ ପରିମଳ, ପରିବେଶ, ରେଳବାଇ, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ନୂତନ ଓ ଅକ୍ଷୟ ଶକ୍ତି, ସୀମା ସଡକ, ଦୂରସଞ୍ଚାର ଏବଂ କୃଷି । ଏହି ଅଭିଯାନର ମୂଳ ଲକ୍ଷ୍ୟଗୁଡିକ ହେଲା ଫେରିଥିବା ପ୍ରବାସୀମାନଙ୍କୁ ରୋଜଗାରର ସୁଯୋଗ ଯୋଗାଇବା, ଗ୍ରାମଗୁଡିକୁ ରାସ୍ତା, ଘର, ଅଙ୍ଗନୱାଡି, ପଞ୍ଚାୟତ ଭବନ, ଗୋଷ୍ଠୀ କେନ୍ଦ୍ର ଭଳି ବିଭିନ୍ନ ଭିତ୍ତିଭୂମି ଯୋଗାଇ ରୋଜଗାର ସୁଯୋଗ ସୃଷ୍ଟି କରିବା । ବିଭିନ୍ନ ପ୍ରକାରର କାର୍ଯ୍ୟ ଯୋଗୁଁ ପ୍ରତ୍ୟେକ ପ୍ରବାସୀ ଶ୍ରମିକ ଆସନ୍ତା ୧୨୫ ଦିନ ପାଇଁ ନିଜର କୌଶଳ ମୁତାବକ ରୋଜଗାର ସୁଯୋଗ ପାଇପାରିବ । କାର୍ଯ୍ୟକ୍ରମ ଦୀର୍ଘକାଳୀନ ଭିତ୍ତିରେ ଜୀବିକା ବିକାଶର ରାସ୍ତା ଖୋଲିବ । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଅଭିଯାନର ମୁଖ୍ୟ ମନ୍ତ୍ରଣାଳୟ ହୋଇଥିବା ବେଳେ କାର୍ଯ୍ୟକ୍ରମଗୁଡିକ ରାଜ୍ୟ ସରକାରମାନଙ୍କ ଉତ୍ତମ ସମନ୍ଵୟ ବଳରେ ତ୍ୱରାନ୍ୱିତ ହେବ । ଜଣେ ଯୁଗ୍ମ ସଚିବ ଭଳି ଉଚ୍ଚ ପଦାଧିକାରୀ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଉପରେ ନଜର ରଖିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ