ଗ୍ରାମ୍ୟ ଉନ୍ନୟନ ରାସ୍ତା ମରାମତି ପାଇଁ ଦାବି
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ଼ ବଜାର ଠାରୁ ଭାୟା ସାରୋ ଦେଇ କୁଲଣା ବଜାରକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାଟି ଏବେ ଶୋଚନୀୟ ହୋଇପଡିଛି । ରାସ୍ତାଟି ର ଦୈର୍ଘ୍ୟ ପ୍ରାୟ ୫କିମି ରୁ ଅଧିକ ହୋଇଥିବା ବେଳେ କିଛି ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଏହାର ନବୀକରଣ କାର୍ଯ୍ୟ ହୋଇଥିଲା। କାର୍ଯ୍ୟାଦେଶ ପାଇଥିବା ଠିକାଦାର ସଠିକ ମାନରେ ରାସ୍ତା କାମ କରିନଥିବାରୁ କିଛିଦିନ ପରେ ପିଚ ଉଠିବା ସହିତ ରାସ୍ତାରୁ ମେଣ୍ଟାଲ, ମୋରମ ମଧ୍ୟ ବାହାରିଲାଣି । ରାସ୍ତାର ଏବେ ଅନେକ ଜାଗାରେ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ସାଧାରଣ ଯାତାୟତ ରେ ଘୋର ସମସ୍ୟା ସୃଷ୍ଟି ହେଉଥିବା ଦେଖାଯାଉଛି । ରାତିପାହିଲେ ଆଖପାଖ ୧୫/୨୦ଗୋଟି ଗାଁ ର ଲୋକ ଏହି ବାଟ ଦେଇ ମଞ୍ଜୁରୀରୋଡ଼ ବଜାର ଓ ଭଣ୍ଡାରିପୋଖରୀ କୁ ଯାଇଥାନ୍ତି। ପୂର୍ବରୁ ଯେତିକି ଗର୍ତ୍ତ ସୃଷ୍ଟି ହୋଇଥିଲା ଏବେ ବର୍ଷା ହେବା କାରଣରୁ ଆହୁରି ଅଧିକ ଗର୍ତ୍ତ ସୃଷ୍ଟି ହୋଇ ଆଣ୍ଠୁଏ ଲେଖାଏଁ ପାଣି ଠିଆ ହେଉଥିବା ଦେଖାଯାଉଛି । ଫଳରେ ସାଇକେଲ ଓ ମୋଟର ସାଇକେଲ ଆରୋହୀ ମାନେ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଜଣାପଡିଛି । ଏଥିପ୍ରତି ଗ୍ରାମ୍ୟ ଉନ୍ନୟନ ବିଭାଗ ଦୃଷ୍ଟି ଦେଇ ରାସ୍ତା ମରାମତି କରିବା ପାଇଁ ସାଧାରଣରେ ଦାବି ହୋଇଛି ।


