ଗ୍ରାମ୍ୟ ଜଙ୍ଗଲରେ ଜବର ଦଖଲକାରୀଙ୍କ ଚାଷକ୍ଷେତ୍ର ପ୍ରସ୍ତୁତିକୁ ବିରୋଧ

ସମ୍ବଲପୁର, (ଲିପନ ନାଏକ):ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ନୁଆଁଡ଼ିହି ଗ୍ରାମ୍ୟ ଜଙ୍ଗଲକୁ କିଛି ଦୁର୍ବୃତ ଜବରଦଖଲ କରି ସେଠାରେ ଚାଷଜମି ପ୍ରସ୍ତୁତି କରୁଥିବାରୁ ଏହାକୁ ଗ୍ରାମର ଲୋକେ ତୀବ୍ର ପ୍ରତିବାଦ କରିଛନ୍ତି। ଏପରିକି ସମ୍ପୃକ୍ତ ଜବର ଦଖଲକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଇଛନ୍ତି । ସୂଚନାନୁଯାୟୀ ସମ୍ବଲପୁର ଜିଲ୍ଲା ଜମନକିରା ତହସିଲ ଟାଙ୍ଗରାଣୀ ସର୍କଲ ନୁଆଁଡିହି ଗ୍ରାମର ଶାଗ ଟୁଁଗୁରୁ ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲକୁ ନୁଆଁଡ଼ିହି ଗ୍ରାମବାସୀ ପୂର୍ବ ପୁରୁଷରୁ ରକ୍ଷଣାବେକ୍ଷଣ କରିବା ସହିତ ଜଗି ଆସୁଛନ୍ତି l ଏବେ ଉକ୍ତ ସଂରକ୍ଷିତ ଜଙ୍ଗଲରୁ ଦେଢ଼ ଏକରୁ ଅଧିକ ଜମି ଭୋଜପୁର ପଞ୍ଚାୟତ ସାଉନ୍ତିମାଲ ଗ୍ରାମର ରେଶ ଛତ୍ରିଆଙ୍କ ପୁଅ ମନୋଜ ଛତ୍ରିଆ ବେଆଇନ ଭାବେ ଜବରଦଖଲ କରି ଚାଷ ଜମି କ୍ଷେତ୍ର ପ୍ରସ୍ତୁତି କରୁଥିବା ଘଟଣାକୁ ଗ୍ରାମବାସୀ ନାପସନ୍ଦ କରିବା ସହ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଗ୍ରାମବାସୀଙ୍କ କହିବାନୁଶାରେ ଜଙ୍ଗଲର ଯେଉଁ ସ୍ଥାନରେ ଚାରା ରୋପଣ ପାଇଁ ଗାଢ଼ ଖୋଳା ଯାଇଥିଲେ ଏବେ ସମସ୍ତ ଗାଢ଼କୁ ଜେସିବି ମେସିନ ଲଗାଇ ଅଭିଯୁକ୍ତ ଜଣଙ୍କ ଚାଷ ଜମି ନିର୍ମାଣ କରିଛି l ଗ୍ରାମ୍ଯ ସଂରକ୍ଷିତ ଜଙ୍ଗଲ କମିଟି ମେମ୍ବର ବିନୋଦ ବାଘଙ୍କ କହିବା ଅନୁଯାୟୀ ଉକ୍ତ ସ୍ଥାନରେ ଭେନୁ, ମହୁଲ ଓ ଶାଳଗଛ ଭଳି ବହୁ ମୂଲ୍ୟବାନ ଗଛ ଥିଲା । ମାତ୍ର ଅଭିଯୁକ୍ତ ମନୋଜ ଛତ୍ରିଆ ଏହି ସବୁ ଗଛକୁ କାଟି ସେଠାରେ ବେଆଇନ ଭାବେ ଜମି ତିଆରି କରୁଥିବା ଦେଖି ମୁଁ ଏହାର ପ୍ରତିବାଦ କରିଥିଲି । ମୋର ପ୍ରତିବାଦରେ ସେ ସଂଶୋଧନ ହେବା ବଦଳରେ ଓଲଟି ମୋତେ ପାଟି ବନ୍ଦ କରିବାକୁ ତାଗିଦ୍ କରି ଆବଶ୍ଯକ ପଡିଲେ ହାଇକୋର୍ଟକୁ ଟାଣି ନେବାର ତାକତ୍ ରଖିଛି ବୋଲି ଧମକ ଦେଇଥିଲା । ଗ୍ରାମବାସୀଙ୍କ ଅଭିଯୋଗ କେବଳ ଏତିକିରେ ସରିନି, ବଡ଼ମାଳ ପଞ୍ଚାୟତରେ ତିଆରି ହେବାକୁ ଥିବା ମାର୍କେଟ ୟାର୍ଡ଼ ଜମିରୁ ମଧ୍ୟ ଅଭିଯୁକ୍ତ ଜବରଦଖଲ କରିଛି । ଏସମ୍ପର୍କରେ ସ୍ଥାନୀୟ ତହସିଲଦାର ଏବଂ ପୋଲିସ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ପ୍ରଶାସନ ସମ୍ପୂର୍ଣ୍ଣ ନୀରବଦ୍ରଷ୍ଟା ସାଜିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରାଇଛି । ପୋଲିସ ଓ ତହସିଲରୁ ନ୍ୟାୟ ନମିଳିବାରୁ ଗ୍ରାମବାସୀ ବାଧ୍ୟ ହୋଇ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ । ସମସ୍ତ ଘଟଣା ଅବଗତ ହେବା ପରେ ଉପଜିଲ୍ଲାପାଳ ଦେଇଥିବା ନିର୍ଦେଶ କ୍ରମେ ଶୁକ୍ରବାର ଜମନକିରାରେ ପ୍ରାଶାସନିକ ହଲଚଲ ଦେଖିବାକୁ ମିଳିଛି । ତହସିଲଦାର ପ୍ରବୀଣା ବିଲୁଙ୍ଗ ଓ ଅତିରିକ୍ତ ତହସିଲଦାରଙ୍କ ସମେତ ପୋଲିସ ଅଧିକାରିଣୀ ପଦ୍ମାଳୟା ସାହୁଙ୍କ ସହ ତାଙ୍କ ଷ୍ଟାଫ, ବନବିଭାଗ ଫରେଷ୍ଟର ହେମନ୍ତ କୁମାର ମିଶ୍ର, ଟାଙ୍ଗରାଣୀ ରାଜସ୍ବ ନୀରିକ୍ଷକ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ସମ୍ପୃକ୍ତ ଜାଗା ଚିହ୍ନଟ କରାଯାଇଥିଲା l ଏହି ଜାଗାଟି ନୁଆଁଡ଼ିହି ଗ୍ରାମର ସୀମାରେ ରହିଥିବାରୁ ଜବରଦଖଲ କାରୀ ମନୋଜ ଛତ୍ରିଆର ପରିବାରକୁ କଟକଣା ଲଗାଯିବା ସହ ସମସ୍ତଙ୍କ ଉପସ୍ଥିତିରେ ଅଧିକାରୀମାନେ ସୀମା ଚିହ୍ନଟ କରି ଜଙ୍ଗଲ ସଂରକ୍ଷଣ ପାଇଁ ଉକ୍ତ ଜମିକୁ ଗ୍ରାମବାସୀଙ୍କୁ ହସ୍ତାନ୍ତର କରାଯାଇଛି । ସରକାରୀ ହେଉ ବା ବେସରକାରୀ ଜମିଜମାକୁ ବେଆଇନ ଜବରଦଖଲ ସମ୍ପର୍କିତ ଅଭିଯୋଗ ପାଇବା ପରେ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ କାଳକ୍ଷେପଣ ନୀତିରେ ଅଣଦେଖା କରୁଥିବା ଯୋଗୁଁ ଆଜି ଗ୍ରାମ୍ୟ ସଂରକ୍ଷଣ ଜଙ୍ଗଲରେ ଜବରଦଖଲ ଭଳି ସଂକ୍ରମଣ ଅପରାଧ ଘଟିଲା । ସେହିପରି ବେଆଇନ ଜବରଦଖଲକୁ ପ୍ରତିବାଦ କରିବାରୁ ଅଭିଯୁକ୍ତ ଜଣଙ୍କ ପାଲଟା ଧମକ ଦେବା ସମ୍ପ୍ରତି ପୋଲିସ ପ୍ରଶାସନର କାର୍ଯ୍ୟଦକ୍ଷତା ପ୍ରତି ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରାଇଛି । ଜବରଦଖଲ ଅଭିଯୋଗ ପାଇବା ପରେ ଯଦି ପୋଲିସ ଓ ତହସିଲ କର୍ତ୍ତୃପକ୍ଷ ଉଚିତ ସମୟରେ ଉଚିତ୍ ପଦକ୍ଷେପ ନେଇ ପାରିଥାଆନ୍ତେ, ତେବେ ଉପ ଜିଲ୍ଲାପାଳଙ୍କ ବହୁ ମୂଲ୍ୟବାନ ସମୟ ଏବେ ନଷ୍ଟ ହୋଇନଥାଆନ୍ତା ବୋଲି କିଛି ସଚେତନ ଗ୍ରାମବାସୀ ଗଣମାଧ୍ୟମକୁ କହିଛନ୍ତି ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ