ଗ୍ରାମ୍ୟ ପୋଖରୀ ଖନନ ଓ ପୁନରୁଦ୍ଧାର କାର୍ଯ୍ୟରେ ପ୍ରବାସୀ ଶ୍ରମିକଙ୍କୁ ଉପେକ୍ଷା ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମପଂଚାୟତର କୋରୁଆ ଗ୍ରାମରେ ଗ୍ରାମ୍ୟ ପୋଖରୀ ଖନନ ଓ ପୁନରୁଦ୍ଧାର କାର୍ଯ୍ୟରେ ପ୍ରବାସୀ ଶ୍ରମିକମାନଙ୍କୁ ଉପେକ୍ଷା କରାଯାଇ ଜନୈକ ମାଫିଆ ଠିକାଦାରଙ୍କ ଦ୍ୱାରା କାର୍ଯ୍ୟ କରାଯାଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ ଚତୁର୍ଦ୍ଦଶ ଅର୍ଥ କମିଶନର ଅନୁଦାନ ଓ କେନ୍ଦ୍ରୀୟ ଯୋଜନା ଅର୍ଥରେ ପଂଚାୟତର ସରପଂଚଙ୍କ ଦ୍ୱାରା କୋରୁଆ ଗ୍ରାମର ହୁରା ପୋଖରୀ ଦୁଇଟିର ଖନନ ଓ ପୁନରୁଦ୍ଧାର ପାଇଁ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ କାର୍ଯ୍ୟାଦ୍ଦେଶ ପ୍ରଦାନ କରାଯାଇଛି । ୪ଏକର ଆୟତନ ଥିବା ଏହି ପୋଖରୀ ଦ୍ୱୟର କାର୍ଯ୍ୟ ନିମନ୍ତେ ଯଥାକ୍ରମେ ୫ଲକ୍ଷ ଓ ୩ଲକ୍ଷ ଟଙ୍କାର ବ୍ୟୟ ଅଟ୍ଟକଳ କରାଯାଇଛି । ଏହି କାର୍ଯ୍ୟରେ ଗ୍ରାମର ଜନସାଧାରଣଙ୍କ ସହମତି ଓ ସଂପୃକ୍ତି ଆଦୈା ନଥିବା ବେଳେ ଏବଂ ଗ୍ରାମର ପ୍ରବାସୀ ଶ୍ରମିକମାନଙ୍କୁ ଉପେକ୍ଷା କରାଯାଇ ସୁଧିର ବେହେରା ନାମକ ଜଣେ ମାଫିଆ ଠିକାଦାର ମାଧ୍ୟମରେ ଏହି କାର୍ଯ୍ୟ କରାଯାଉଥିବା ଗ୍ରାମବାସୀମାନେ ଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସଂପୃକ୍ତ ଠିକାଦାରଙ୍କ ପାଖରୁ ଉତ୍କଚ ନେଇ ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦିଆଯାଇ ଏଭଳି ଭାବରେ ବେନିୟମ ଭାବେ ପୋଖରୀ ଖନନ ଓ ପୁନରୁଦ୍ଧାର କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି । ଗ୍ରାମବାସୀମାନଙ୍କ ପକ୍ଷରୁ ସଂଗ୍ରାମକେଶରୀ ଦାସ, ଖଗେଶ୍ୱର ଦାସ, ନକୁଳ ଦାସ, ଅନିଲ ଦାସ, ଅମୁଲ୍ୟ ମଳିକ, ସୁରେଶ ମଳିକ, ସୁବାଷ ଚନ୍ଦ୍ର ସାହୁ, ରବୀନ୍ଦ୍ର ନାଥ ଦାସ, ନିର୍ମଳ କୁମାର ସାହୁ, ଜ୍ଞାନରଞ୍ଜନ ସାହୁ, ଉପେନ୍ଦ୍ର ଦାସ, ରଞ୍ଜିତ ଲେଙ୍କା ପ୍ରମୁଖ ଜିଲ୍ଲାପାଳ ଓ ପିଡି ଡିଆରଡିଏଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ