ଗ୍ରାମ୍ୟ ବଜାରରେ ଅବାଧ ନିଶାକାରବାର ବୃଦ୍ଧି
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ଥାନା ଅଧିନ ବିଭିନ୍ନ ଗ୍ରାମ୍ୟ ବଜାର ଗୁଡିକରେ ଏବେ ଅବାଧ ନିଶାକାରବାର ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି । ବିଶେଷକରି ସୀମାନ୍ତ ଅଞ୍ଚଳ ମଞ୍ଜୁରୀରୋଡ ଠାରୁ ଆରମ୍ଭ କରି ମଣିନାଥପୁର ଯାଏଁ ବିସ୍ତିର୍ଣ୍ଣ ସ୍ଥାନରେ ମହୁଲି ମଦ ସହିତ ଗଞ୍ଜେଇ ଏପରିକି ବ୍ରାଉନସୁଗାର କାରାବାର ହେଉଥିବା ସୂଚନା ଦିଆଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଷୋଳମପୁର ପଞ୍ଚାୟତ ଖୋଳାମୁହଁ ସ୍ଥିତ କ୍ଷୁଦ୍ର ଗ୍ରାମ୍ୟବଜାର ଠାରେ ଏବେ ଜନୈକ ଦୋକାନୀ ଗଞ୍ଜେଇ ସହିତ ପ୍ରାଣଘାତକ ବ୍ରାଉନସୁଗାର, ଚରସ ଭଳି ନିଶାଦ୍ରବ୍ୟ ବିକ୍ରୟ କରୁଥିବା ଜଣାପଡିଛି । ନିକଟ ଯାଜପୁର ସହରରୁ ଅବାଧରେ ବେଆଇନ ମଦ ସହିତ ଗଞ୍ଜେଇ ଓ ବ୍ରାଉନସୁଗାର ଉକ୍ତ ଅଞ୍ଚଳକୁ ଆସୁଥିବା କୁହାଯାଉଛି । ଫଳରେ ଯୁବପୀଢି ମାନେ ଉକ୍ତ ନିଶାରେ ଉବୁଟୁବୁ ହେଉଥିବାବେଳେ ବଜାର ନିକଟ ଗାଁଗାଁରେ ଏବେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବା ମଧ୍ୟ ଦେଖାଯାଉଛି । ଏତଦବ୍ୟତୀତ ପଡୋଶୀ କେନ୍ଦୁଝର ଜିଲ୍ଲାରୁ ଦୈନନ୍ଦିନ ହଜାରହଜାର ଟଙ୍କାର ରନ୍ଧାମଦ ଥାନା ଅଞ୍ଚଳକୁ ଆସୁଥିବାବେଳେ ସେଗୁଡିକ ବିଭିନ୍ନ ଗାଁ ଗଣ୍ଡା ଛକ ଗୁଡିକରେ ବିକ୍ରୟ ହେଉଛି । ବିଶେଷକରି ଚାହା ଓ ପାନ ଦୋକାନରେ ଅତି ଚତୁରତାର ସହିତ ଏହାକୁ ଚୋରା ବ୍ୟବସାୟୀ ମାନେ ବିକ୍ରୟ କରୁଥିବାବେଳେ ପୁଲିସ ଓ ଅବକାରୀ ବିଭାଗ ଏହାକୁ ରୋକିବାରେ ଶତପ୍ରତିଶତ ସଫଳ ହୋଇନାହାଁନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଚୋରା ନିଶାକାରବାର ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଥିବାବେଳେ ଏହା ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।