ଗ୍ରାମ ବିକାଶ ଠାରୁ ବହୁ ଦୂରରେ କଳମାସିଂ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତିର କଳମାସିଂ ଗ୍ରାମବାସୀଙ୍କ ପାଇଁ ବିକାଶ ସାତ ସପନ ପାଲଟିଛି. ରାସ୍ତା ଘାଟ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା ଏବଂ ଭତ୍ତା ଓ ପିଡିଏସ ଚାଉଳ ଆଣିବା ପାଇଁ ପ୍ରତେକଙ୍କୁ ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି. ମୋଟା ମୋଟି ଭାବେ କହିବାକୁ ଗଲେ ଏହି ଗ୍ରାମବାସୀ ବିକାଶ ଠାରୁ ବହୁ ଦୂରରେ ରହି ବହୁ ଦୁଃଖ କଷ୍ଟ ପାଇ ଆସୁଛନ୍ତି. ସରକାର ଏମାନଙ୍କ ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦେକ୍ଷପ ଗ୍ରହଣ ନ କଲେ ଆଗାମୀ ନିର୍ବାଚନୀରେ ଭୋଟ ବର୍ଜନୀ କରିବାକୁ ବାଧ୍ୟ ହେବେ ବୋଲି ଏହି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି. ସରକାର ଗାଁ ଗାଁରେ ବିକାଶ ପହଞ୍ଚିବା ଲକ୍ଷ୍ୟ ନେଇ ସରକାର ଯୋଜନା ପରେ ଯୋଳନା ପ୍ରସ୍ତୁତ କରିବା ସହ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ଏମିତି ଏକ ଗାଁ ଅଛି ଯେଉଁଥିରେ ନା ଅଛି ଭଲ ରାସ୍ତା ନା ମିଳୁଛି ଉଚିତ୍ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା। କେବଳ ସେତିକି ନୁହେଁ, ପାନୀୟଚଳ କହିଲେ ପଥର ଖୋଲ ତଳର ପାଣି ଏବଂ ଆମ୍ବୁଲାନ୍ସ କହିଲେ ଖଟିଆ ଭାରା। ସ୍ଵାଧୀନତାର ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ଜିତୁଙ୍ଗ ସିଂ ନାଳ ଡେଇଁ ଏସ୍ କଳମାସିଂ ଗ୍ରାମରେ ପହଞ୍ଚିପାରୁନି ବିକାଶ । ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ଦିନଟିଏ ବି କାହାର ପାଦ ପଡିନି ଏଠାରେ । କେବଳ ନିର୍ବାଚନ ବେଳେ ନେତା ମୁଣ୍ଡପୋତି ଭୋଟ ମାଗିବା ପରେ ସ୍ଥିତି ଯେମିତିକୁ ସେମିତି ରହିଯାଏ । ବିକାଶ ଏଠାରେ କେବଳ ପ୍ରତିଶ୍ରୁତିରେ ସୀମିତ ରହିଛି । ଗ୍ରାମରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବା ସହ ବିଭିନ୍ନ ସମୟରେ ଦାବି କରାଯାଉଛି, ହେଲେ ଏହାର କୌଣସି ସମାଧାନ ହୋଇପାରୁନାହିଁ । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ସମାଧାନ କରାନଗଲେ ସାମୁହିକ ଭାବରେ ଭୋଟ ବର୍ଜନ କରାଯିବ ବୋଲି ସୁରେଶ ଭୂୟାଁ, ସାଇମନ ଶବର, ପ୍ରଶ୍ନ ରୂୟାଁ ହରି ବଡ଼ରଇତ, ଦମୟନ୍ତୀ ଶବନ, ରତ୍ନୀ ବଡ଼ରଇତ, ସମୁନା ଶବର, ଭାଗବତି ଶବରଙ୍କ ସମେତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ପ୍ରକାଶ ଯେ, ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧୀନ କରଡାସିଂ ପଞ୍ଚାୟତର ଏସ୍. କଲମାସିଂ ଗ୍ରାମ ବିକାଶ ଯେମିତି ଏଠାରେ ସାତସପନ । ଯେଉଁଠି କି ଆଜିଯାଏଁ ବି ଲୋକଙ୍କ ପାଇଁ ନିତିଦିନିଆ ଭଲ ରାସ୍ତା ଖଣ୍ଡିଏ ନାହିଁ । ଉକ୍ତ ଗ୍ରାମକୁ ଯିବାକୁ ହେଲେ ବିଲ ହୁଡ଼ା ପାଲଟିଛି ପାଦଚଲା ରାସ୍ତା ଓ ବିଜୁଙ୍ଗସିଂ ନାଳ ଦେଉଛି ଦାରୁଣ ଦୁଃଖ | ବର୍ଷା ହେଲେ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ । ଏସ କଲମାସିଂ ଗାଁ ବ୍ଲକ ସଦର ମହକୁମା ଠାରୁ ପ୍ରାୟ ପନ୍ଦର କିମି ଦୂରରେରହିଛି। ପଡୋଶୀ ଗୁମ୍ମା ବ୍ଳକର କୁଜାସିଂ ଗ୍ରାମ ଦେଇ ଏଠାକୁ ଯିବାକୁ ପଡେ । ଗ୍ରାମରେ ପ୍ରାୟ ୨୦ ପରିବାରର ପାଖାପାଖ‌ି ୧୦୦ ଜଣ ବସବାସ କରୁଛନ୍ତି | ଶିକ୍ଷା ବ୍ୟବସ୍ଥା ଏଠି ବିପର୍ଯ୍ୟସ୍ତ । ତିନି କିମି ଦୂରରେ ଅବସ୍ଥିତ କଲମାସିଂ ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ହିଁ ସାହା ଭରଷା। ସେହିପରି ଉଚ୍ଚ ବିଦ୍ୟାଳୟରେ ପଢିବା ପାଇଁ ପିଲାମାନେ ପ୍ରାୟ ୧୨ କିମି ଦୂର କରଡ଼ାସିଂ ବିଦ୍ୟାଳୟକୁ ଯାଉଛନ୍ତି। କିନ୍ତୁ ବର୍ଷା ହେଲେ ଯିବା ବନ୍ଦ ଅଧିକାଂଶ ଗ୍ରାମବାସୀ ଗୃହପାଳିତ ପଶୁ ପକ୍ଷୀ ପାଳନ, ଦିନ ମଜୁରୀକୁ ଜୀବିକା ଭାବେ ଗ୍ରହଣ କରୁଛନ୍ତି | ମନରେଗା ଯୋଜନାରେ କାମ ମିଳୁନଥ‌ିବାରୁ ବହୁ ଯୁବକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ପଳାଉଛନ୍ତି । ବହୁ ଲୋକଙ୍କ ନାମ ଆବାସ ଯୋଜନାରେ ବି ସାମିଲ ହୋଇପାରିନାହିଁ । ଗାଁକୁ ମୁଖ୍ୟରାସ୍ତା ନଥିବାରୁ ଜରୁରୀକାଳୀନ ସ୍ବାସ୍ଥ୍ୟସେବା ପାଇଁ ଖଟିଆ ଜିମ୍ବା ଦୋଳରେ ପ୍ରାୟ ୨ କିମି ପର୍ଯ୍ୟନ୍ତ ବୋହି ନେଇ ନାଳ ପାର କଲା ପରେ ହିଁ ରୋଗୀକୁ ରାୟଗଡ଼ କିମ୍ବା ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ପଡୁଛି | ରାସ୍ତା ସମସ୍ୟା ଲାଗି କାହାର ଦେହ ଅସୁସ୍ଥ ହେଲେ ଠିକ୍ ସମୟରେ ମେଡିକାଳରେ ପହଞ୍ଚି ପାରୁନଥିବା ଯୋଗୁଁ ପ୍ରାୟତଃ ରୋଗୀ ଅଧାରାସ୍ତାରେ ମୃତ୍ୟୁବରଣ କରିଥାନ୍ତି । ଗ୍ରାମ୍ୟ ବଇଦ ଓ କ୍ୱାକ୍ ହିଁ ଏମାନଙ୍କ ସାହା ଭରଷା। ଯାହା ଫଳରେ ରକ୍ତ ଗ୍ରାମରେ ପ୍ରାପ୍ତ ବୟସ୍କ ଲୋକେ ବଞ୍ଚିପାରନ୍ତି ନାହିଁ। ଗ୍ରାମବାସୀ ସ୍ବାସ୍ଥ୍ୟ ସେବା ଉପରେ କୌଣସି ସଚେତନତା କିମ୍ବା ସରକାରୀ ଯୋଜନା ସମ୍ପର୍କିତ ସଚେତନତା ପାଇଁ ପାରୁନଥ‌ିବା ଅଭିଯୋଗ କରିଛନ୍ତି | ସରକାରଙ୍କ ପକ୍ଷରୁ ଯୋଗାଯାଉଥିବା ପିଡିଏସ୍ ଚାଉଳ ଆଣିବାକୁ ଏବଂ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ୫୦୦ ଟଙ୍କା ଆଣିବାକୁ ପଞ୍ଚାୟତକୁ ଯିବାକୁ ହେଲେ ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଆମକୁ କେବଳ ଭାଗବାନ ସାହା ବୋଲି ଗ୍ରାମବାସୀ କହିଛନ୍ତି । ଏ ସଂକ୍ରାନ୍ତରେ ବିଡିଓ ସୁଧୀର କୁମାର ସିଂଙ୍କ ସହ ଯୋଗାଯୋଗ କରାଯିବାରୁ ବ୍ଲକ ପକ୍ଷରୁ ଏମଜିଏନ୍‌ଆରଇଜିଏସ୍ ରେ ପ୍ରପୋଜାଲ ଦିଆଯାଇଛି। ସେହି ଗ୍ରାମରେ ଲାଗି ରହିଥ‌ିବା ସମସ୍ୟାର ସମାଧାନ ତୁରନ୍ତ କରାଯିବା ନେଇ ଚେଷ୍ଟା କରାଯାଉଛି । ଏନେଇ ଜିଲ୍ଲାପାଳଙ୍କୁ ମଧ୍ୟ ଏହି ସମସ୍ୟା ନେଇ ଦୃଷ୍ଟି ଗୋଚର କରାଯାଇଛି ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ