ଗ୍ରାସିମ୍ର ପୂର୍ବତନ ସୁରକ୍ଷା ଅଧିକାରୀଙ୍କ ଜାମିନ୍
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଓଡିଶା ଉଚ୍ଚ ନ୍ୟାୟଳୟର ନିର୍ଦ୍ଦେଶ କ୍ରମେ ଛତ୍ରପୁର ଏସ୍ଡିଜେଏମ୍ କୋର୍ଟରୁ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍ର ପୂର୍ବତନ ମୁଖ୍ୟ ସୁରକ୍ଷା ଅଧିକାରୀ ସଞ୍ଜୟ କୁମାର ଦାଶଙ୍କୁ ଶୁକ୍ରବାର ଜାମିନ୍ ମିଳିଛି । ୨୦ ହଜାର ମୁଚଲିକାରେ ୨ ଜଣ ଜାମିନ୍ଦାରଙ୍କ ଜିମାରେ ଏସ୍ଡିଜେଏମ୍ ସନ୍ତୋଷ କୁମାର ପାଣିଗ୍ରାହୀ ସର୍ତମୂଳ ଜାମିନ୍ ପ୍ରଦାନ କରିଛନ୍ତି । ତଦନ୍ତରେ ପୁଲିସକୁ ସହଯୋଗ କରିବା ସହ ସାକ୍ଷ୍ୟଙ୍କୁ ଧମକ ଚମକ ନ ଦେବା ଏବଂ ଏଭଳି କାର୍ଯ୍ୟରେ ସଂପୃକ୍ତି ନ ରହିବା ପାଇଁ ବିଚାରପତି ସର୍ତ ରଖିଛନ୍ତି । ଅଭିଯୁକ୍ତଙ୍କ ତରଫରୁ ଓକିଲ ନିରାକାର ମାଳି, ନିତ୍ୟାନନ୍ଦ ମୁଦୁଲି ଏବଂ ବି. ସୁଧୀର ପାତ୍ର ମକଦ୍ଦମା ପରିଚାଳନା କରିଥିଲେ । ପ୍ରକାଶ ଥାଉକି ଯେ, ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍ର ଜଣେ ଅସ୍ଥାୟୀ ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ଅଗଷ୍ଟ ୫ ତାରିଖରେ ଅଭିଯୁକ୍ତ ପୂର୍ବତନ ମୁଖ୍ୟ ସୁରକ୍ଷା ଅଧିକାରୀ ସଞ୍ଜୟ କୁମାର ଦାଶ ଏସ୍ଡିଜେଏମ୍ କୋର୍ଟରେ ଆତ୍ମ ସମର୍ପଣ କରିଥିଲେ । ପରେ ସୁରକ୍ଷା ଅଧିକାରୀ ଆବେଦନ କରିଥିବା ଜାମିନ୍ ଖାରଜ ହେବା ପରେ ତାଙ୍କୁ ଛତ୍ରପୁର ଉପକାରାଗାରାକୁ ପଠାଯାଇଥିଲା । ଦୀର୍ଘ ଏକମାସ ୨୨ ଦିନ ପରେ ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜାମିନ୍ ମଞ୍ଜୁର ହୋଇଥିଲା