ଗ୍ରାହକଙ୍କୁ ସେବା ଯୋଗାଇବାରେ ଡାକ ବିଭାଗ ବିଫଳ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶଙ୍ଖୋ ସ୍ଥିତ ଶାଖା ଡାକଘର ଅଧିନରେ ଥିବା ୮ଗୋଟି ଗ୍ରାମର ୧୫ହଜାରରୁ ଉର୍ଦ୍ଧ ଲୋକ ୨୦୨୦ ନଭେମ୍ବର ମାସରୁ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି । ଖବରରୁ ଜଣାଯାଇଛି ଯେ ସେଠାକାର ପୋଷ୍ଟ ଅଫିସର ପୋଷ୍ଟମାଷ୍ଟର ପଦୋନ୍ନତି ହୋଇ ବଦଳି ହୋଇଯିବା ପରେ ଯେଉଁ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା ତାଙ୍କୁ କୌଣସି ନେଣଦେଣ କାରବାର କରିବାର କ୍ଷମତା ଦିଆଗଲା ନାହିଁ । ଫଳରେ ଆର.ଡି ଓ ସଞ୍ଚୟଜମା ଖାତାଧାରୀଙ୍କୁ ନାହିଁ ନଥିବା ଅସୁବିଧା ଭୋଗ କରିବାକୁ ପଡୁଛି । ସନାତନ ସାହୁ ନାମକ ଜଣେ ଆର.ଡି ଖାତାଧାରୀ, ତାଙ୍କର ମିଆଦି ପୁରଣ ହୋଇଥିଲେ ମଧ୍ୟ ସେ ବର୍ତ୍ତମାନ ସୁଧା ତାଙ୍କର ପ୍ରାପ୍ୟ ପାଇପାରୁ ନାହାନ୍ତି । ସେ ପକ୍ଷାଘାତ ରୋଗରେ ପିଡିତ ହୋଇ ଡାକ୍ତରଙ୍କ ପାଖକୁ ଚିକିତ୍ସାପାଇଁ ଦୌଡୁଥିବାବେଳେ ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ ହୋଇଛନ୍ତି । ଡାକଘରେ ଥିବା ତାଙ୍କ ଜମାଖାତାରୁ ଟଙ୍କା ଉଠାଇ ପାରୁ ନଥିବାରୁ ଚିକିତ୍ସାରେ ବାଧକ ସାଜୁଥିବା ସେ କହିଛନ୍ତି । ଖାଲି ଏକା ସନାତନ ନୁହଁନ୍ତି ସେହିପରି ଅନେକ ଲୋକ ଏହି ଡାକସେବା ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହି କ୍ଷେତ୍ରରେ ଅଞ୍ଚଳବାସୀମାନେ ଆନନ୍ଦପୁର ପୋଷ୍ଟାଲ ଇନସପ୍ଟେରଙ୍କୁ ଯୋଗାଯୋଗ କରିବାରୁ ସେ ଜଣେ ପୋଷ୍ଟମାଷ୍ଟରଙ୍କୁ ନିଯୁକ୍ତି ଦେବାର ପ୍ରତିଶୃତି ଦେଇଥିବାବେଳେ ଆଜି ପର୍ଯ୍ୟନ୍ତ ତାହା ପୁରଣ ହୋଇନାହିଁ ବୋଲି ଶଙ୍ଖୋ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।ଏହି ସମସ୍ୟାର ଯଦି ତୁରନ୍ତ ସମାଧାନ କରାନଯାଏ ତେବେ ଜମାଖାତାଧାରୀ ମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ