ଗ୍ରୀଟ ଅଧ୍ୟକ୍ଷ ସମ୍ବର୍ଦ୍ଧିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ରାଜ୍ୟର ବିଭିନ୍ନ ନିଗମ,ବୋର୍ଡର ନୁଆଁ ଅଧ୍ୟକ୍ଷ,ସଦସ୍ୟ ଓ ପରାମର୍ଶଦାତା ଭାବେ ରାଜ୍ୟ ସରକାର ଦଳର ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ମନୋନୀତ କରିଛନ୍ତି।ହିଞ୍ଜିଳିକାଟୁ ପୋୖରାଞ୍ଚଳର ପୂର୍ବତନ ଉପାଧ୍ୟକ୍ଷ ତଥା ସମ୍ପ୍ରତି ଗଞ୍ଜାମ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ପବିତ୍ର ମୋହନ ପାଣିଗ୍ରାହୀଙ୍କୁ ରାଜ୍ୟ ସରକାର ଗଞ୍ଜାମ ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ମନୋନୀତ କରିଛନ୍ତି।ରାଜ୍ୟ ସରକାରଙ୍କ ଦ୍ଵାରା ସଦ୍ୟ ଘୋଷିତ ତାଲିକାରେ ନୂତନ ଅଧ୍ୟକ୍ଷ ଭାବେ ସ୍ଥାନିତ ହୋଇଥିବା ଯୋଗୁଁ ତାଙ୍କୁ ବିଭିନ୍ନ ମହଲରେ ସମ୍ବର୍ଦ୍ଧିତ କରାଯାଇଛି।ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପୌର ପରିଷଦ କାର୍ଯ୍ୟାଳୟ ଓ ପାରିଷଦବର୍ଗଙ୍କ ଦ୍ଵାରା ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ପୋୖରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇଙ୍କ ଦ୍ୱାରା ଆହୁତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପୌର ଉପାଧ୍ୟକ୍ଷା ସୁଚିତ୍ରା କୁମାରୀ ପଣ୍ଡା ମଞ୍ଚସିନ ଥିଲେ।ନୂତନ ଗ୍ରୀଟ ଅଧ୍ୟକ୍ଷଙ୍କୁ ସମସ୍ତ ପାରିଷଦ ଅଭିନନ୍ଦନ ଜଣାଇ ତାଙ୍କୁ ପୁଷ୍ପମାଲ୍ୟ,ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ ନୂତନ ଅଧ୍ୟକ୍ଷ ଶ୍ରୀ ପାଣିଗ୍ରାହୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ।ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବେଳେ ପାରିଷଦ ସୁପ୍ରଭା ମହାରଣା, ବିଭୁ ପ୍ରସାଦ ପଣ୍ଡା,ବସନ୍ତ କୁମାର ନାୟକ ଙ୍କ ସମେତ ସମସ୍ତ ପାରିଷଦ ଓ ପୌର କର୍ମଚାରୀ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି, ଶ୍ରୀ ପାଣିଗ୍ରାହୀ ହିଞ୍ଜିଳିକାଟୁ ଅଞ୍ଚଳର ଜଣେ ଅନୁଭବୀ ଓ ପ୍ରଭାବଶାଳୀ ସଙ୍ଗଠକ ଭାବେ ବେଶ ଜଣାଶୁଣା। ୨୦୦୩ ରୁ ୨୦୦୮ ମସିହାରେ ହିଞ୍ଜିଳିକାଟୁ ଉପନଗରପାଳ ସହ ମୁଖ୍ୟମନ୍ତ୍ରୀଙ୍କ ନଗର ପ୍ରତିନିଧି ଓ ୨୦୦୮ ରୁ ୨୦୧୩ ମସିହାରେ ହିଞ୍ଜିଳିକାଟୁ ସହରାଞ୍ଚଳ ଉପାଧ୍ୟକ୍ଷ ଥିଲେ ।୨୦୧୩ ମସିହାରୁ ୨୦୧୮ରେ ତାଙ୍କରି ଧର୍ମପତ୍ନୀ ଗୈାରୀ ପାଣିଗ୍ରାହୀ ହିଞ୍ଜିଳିକାଟୁ ପୈାରାଞ୍ଚଳର ପ୍ରଥମ ଅଧ୍ୟକ୍ଷା ଥିଲେ।


