ଗ୍ରୀଷ୍ମପ୍ରବାହର ସଫଳ ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କଟକ, (ଯୁଗାବ୍ଦ ନ୍ୟୁଜ):ଚଳିତ ଗ୍ରୀଷ୍ମ ଋତୁରେ କଟକ ଜିଲ୍ଲା ରେ ଗ୍ରୀଷ୍ମ ପ୍ରବାହର ସଫଳ ମୁକାବିଲା ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ଓସ୍ଵାନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍ଵତନ୍ତ୍ର ରିଲିଫ କମିଶନଙ୍କ ଆଦେଶନାମା ଅନୁଯାୟୀ ଅଂଶୁଘାତ ମୁକାବିଲା ପାଇଁ ସମ୍ପୃକ୍ତ ଅଧିକାରୀ ମାନେ ନିଜନିଜ ଭିତରେ ସମନ୍ଵୟ ରକ୍ଷା ପୂର୍ବକ କାର୍ଯ୍ୟ କରିବା ସହ ଜିଲ୍ଲାରେ ଅଂଶୁଘାତ ଜନିତ ମୃତ୍ୟୁହାରକୁ ଶୂନରେ ସୀମିତ ରଖିବା ଜିଲ୍ଲା ପ୍ରଶାସନର ମୂଳଲକ୍ଷ୍ୟ ବୋଲି ଜିଲ୍ଲାପାଳ ଶ୍ରୀ ଶିନ୍ଦେ ପ୍ରକାଶ କରିଛନ୍ତି ।ଜିଲ୍ଲା କାର୍ଯ୍ୟାଳୟର ଜରୁରୀକାଳୀନ ଉପବିଭାଗ ପକ୍ଷରୁ ଏକ ନିୟନ୍ତ୍ରଣ କକ୍ଷ ଏଥିନିମନ୍ତେ କାର୍ଯ୍ୟ କରିବା ସହିତ ଜିଲ୍ଲାର ସମସ୍ତ ପୌରପରିଷଦ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବ୍ଲକ, ତହସିଲ, ଜିଲ୍ଲା ଗ୍ରାମ୍ୟ ପାନୀୟଜଳ ଓ ପରିମଳ ବିଭାଗ , ଜନସ୍ୱାସ୍ଥ୍ୟ ବିଭାଗ , ଟିପିସିଓଡ଼ିଏଲ ଆଦି କାର୍ଯ୍ୟାଳୟରେ ଅନୁରୂପ ଭାବେ କଣ୍ଟ୍ରୋଲ ରୁମ କାର୍ଯ୍ୟ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ବିଗତ ବର୍ଷମାନଙ୍କରେ ଯେଉଁସ୍ଥାନରେ ବା ଅଞ୍ଚଳରେ ଅଂଶୁଘାତ ଜନିତ ସମସ୍ୟା ଦେଖାଦେଇଥିଲା , ସେହି ଅଞ୍ଚଳର ଭୌଗୋଳିକ ସ୍ଥିତିକୁ ଦୃଷ୍ଟିରେରଖି , ସେହି ସ୍ଥାନମାନଙ୍କରେ ସଂପୃକ୍ତ ଅଧିକାରୀମାନେ ତତ୍ପରତାର ସହ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଜଳକଷ୍ଟ ଦୂର କରିବା ନିମନ୍ତେ ଯୁଦ୍ଧ କାଳୀନ ଭିତ୍ତିରେ ଅଚଳ ନଳକୂପ ଗୁଡିକୁ ସଚଳ କରିବା ନିମନ୍ତେ ଜନସ୍ଵାସ୍ଥ୍ୟ ଓ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗୀୟ ଯନ୍ତ୍ରୀ ତଥା କଟକ ମହାନଗର ନିଗମ ଅଞ୍ଚଳରେ ୱାଟକୋ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ବିଡ଼ିଓ ମାନେ ନିଜନିଜ ବ୍ଲକରେ ନଳକୂପ ମରାମତି ସମ୍ପର୍କରେ ବୈଠକ ଡାକି ଏଥିନିମନ୍ତେ ଆବଶ୍ୟକୀୟ ସରଞ୍ଜାମ ମହଜୁଦ ରଖିବାକୁ ବୈଠକରେ ପରାମର୍ଶ ଦିଆଯାଇଛି । ଏତଦଭିନ୍ନ ସଂପୃକ୍ତ ଅଞ୍ଚଳରେ ବିଡ଼ିଓମାନେ ପାଣି ଟ୍ୟାଙ୍କର ମାଧ୍ୟମରେ ବିଶୁଦ୍ଧ ପାନୀୟଜଳ ଯୋଗାଇବା ଓ ଗ୍ରାମମାନଙ୍କରୁ ପାନୀୟଜଳ ସମସ୍ୟା ସମ୍ବନ୍ଧିତ ଅଭିଯୋଗ ଗୁଡିକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ ପୂର୍ବକ ଏଥିସମ୍ବନ୍ଧିତ ତଥ୍ୟ ଜିଲ୍ଲା କାର୍ଯ୍ୟାଳୟକୁ ପ୍ରେରଣ କରିବାକୁ ମଧ୍ୟ ଆଦେଶ ଦିଆଯାଇଛି ।ପଞ୍ଚାୟତମାନଙ୍କ ପକ୍ଷରୁ ସ୍ଵେଚ୍ଛାସେବୀ ସଂଗଠନମାନଙ୍କ ସହାୟତାରେ ବସଷ୍ଟାଣ୍ଡ , ହାଟ, ମୁଖ୍ୟଛକ ଜାଗା, ଜନଗହଳି ପୂର୍ଣ୍ଣ ସ୍ଥାନ ଏବଂ ସହରାଞ୍ଚଳର ପ୍ରମୁଖ ସ୍ଥଳରେ ଜଳଛତ୍ର ବ୍ୟବସ୍ଥା କରିବାକୁ ପଦକ୍ଷେପ ନିଆଯିବ । ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ସହରରେ ଥିବା ୱାଟର କୁଲର (ଥଣ୍ଡା ପାନୀୟଜଳ ଯୋଗାଉଥିବା ଯନ୍ତ୍ର) ଗୁଡିକୁ ନିୟମିତ ଯାଞ୍ଚ କରାଯାଇ ସେଗୁଡିକର ଚଳକ୍ଷମ ପ୍ରତି ଧ୍ୟାନ ଦିଆଯିବ । ସେହିପରି ଗ୍ରୀଷ୍ମପ୍ରବାହ ସମୟରେ ଯେପରି ଲୋଭୋଲ୍ଟେଜ ଓ ବିଦ୍ୟୁତ ସରବରାହ ସମସ୍ୟା ନଉପୁଯେ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ଟିପିସିଓଡ଼ିଏଲ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି ।ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଭୟ ଓଡିଆ ଓ ଇଂରାଜୀ ବିଦ୍ୟାଳୟ ଗୁଡିକର ସମୟ ନିର୍ଘଣ୍ଟ ସ୍ଥିର କରିବା ସହ ବିଦ୍ୟାଳୟରେ ପର୍ଯ୍ୟାପ୍ତ ପରିମାଣରେ ବିଶୁଦ୍ଧ ପାନୀୟଜଳର ବ୍ୟବସ୍ଥା ସମ୍ବନ୍ଧରେ ପଦକ୍ଷେପ ନେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଦିନ ୧୧ ଘଟିକା ଠାରୁ ଅପରାହ୍ନ ୩ ଘଟିକା ମଧ୍ୟରେ ଶ୍ରମିକମାନେ ଶାରୀରିକ ଶ୍ରମ ଭିତ୍ତିକ କାର୍ଯ୍ୟ ବନ୍ଦ କରିବା , କାର୍ଯ୍ୟସ୍ଥଳୀରେ ପାନୀୟଜଳ ଓ ବିଶ୍ରାମସ୍ଥଳୀ ବ୍ୟବସ୍ଥା କରିବାକୁ ଜିଲ୍ଲା ଶ୍ରମ ଅଧିକାରୀ କାର୍ଯ୍ୟ କରାଉଥିବା ସମ୍ପୃକ୍ତ ସଂସ୍ଥା ବା ଅନୁଷ୍ଠାନକୁ ନିର୍ଦ୍ଦେଶନାମା ଜାରି କରିବାକୁ ପରାମର୍ଶ ଦିଆଯାଇଛି ।ଡ଼ାକ୍ତରଖାନା ଗୁଡିକରେ ଜୀବନ ରକ୍ଷାକାରୀ ଔଷଧ ,ବରଫ ପ୍ୟାକେଟ,ଓ.ଆର.ଏସ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବା ସହ ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପୂର୍ବାହ୍ନ ୧୧ ଘଟିକା ଠାରୁ ଅପରାହ୍ନ ୪ଘଟିକା ପର୍ଯ୍ୟନ୍ତ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ଉପସ୍ଥିତ ରହିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ଅଂଶୁଘାତ ରୋଗୀଙ୍କୁ ସ୍ଥାନାନ୍ତର ନିମନ୍ତେ ଆମ୍ବୁଲାନ୍ସକୁ ସର୍ବଦା ପ୍ରସ୍ତୁତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।ଜିଲ୍ଲାର ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ ଅଂଶୁଘାତ ମୁକାବିଲା ପାଇଁ ପ୍ରତ୍ୟେକ କେନ୍ଦ୍ରରେ ବିଶୁଦ୍ଧ ପାନୀୟଜଳ, ଓ.ଆର.ଏସ ପ୍ୟାକେଟ ରଖିବାକୁ ସ୍ଥିର କରାଯାଇଛି।ଗ୍ରୀଷ୍ମଋତୁରେ ଜଙ୍ଗଲରେ ଯେପରି ନିଆଁ ନଲାଗେ ,ସେଥିପ୍ରତି ଜଙ୍ଗଲ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ସର୍ବଦା ସଜାଗ ରହିବା, ବନ୍ୟପ୍ରାଣୀମାନଙ୍କ ପାଇଁ ପାନୀୟଜଳ ଯୋଗାଣ ଏବଂ ସରଂକ୍ଷିତ ଜଙ୍ଗଲରେ ରହୁଥିବା ଅଧିବାସୀମାନଙ୍କୁ ପାନୀୟଜଳ ଯୋଗାଣ ବ୍ୟବସ୍ଥା ନିଶ୍ଚିନ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଜିଲ୍ଲା ପରିବହନ ଅଧିକାରୀ ଯାତ୍ରୀବାହୀ ବସ ଗୁଡିକରେ ଯଥେଷ୍ଟ ପରିମାଣରେ ବିଶୁଦ୍ଧ ପାନୀୟଜଳ , ବରଫ ପ୍ୟାକେଟ, ଓ .ଆର.ଏସ ମହଜୁତ ରଖିବା , ଜାତୀୟ ରାଜପଥରେ ଜଳଛତ୍ର ବ୍ୟବସ୍ଥା କରିବା ସହ ଆବଶ୍ୟକ ସ୍ଥଳେ ତାପମାତ୍ରାକୁ ଦୃଷ୍ଟିରେ ରଖି ବସ ଚଳାଚଳ ସମୟର ପୁନଃ ନିର୍ଘଣ୍ଟ କରିବାକୁ ପରାମର୍ଶ ଦିଆଯାଇଛି ।ସେହିପରି ଗ୍ରୀଷ୍ମପ୍ରବାହରୁ ପ୍ରାଣୀସମ୍ପଦକୁ ସୁରକ୍ଷିତ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଜୀବନ ରକ୍ଷାକାରୀ ଔଷଧ ମହଜୁଦ ରଖିବା ସହ ଭିଭିନ୍ନ ବ୍ଲକର ଭିନ୍ନଭିନ୍ନ ସ୍ଥାନରେ ଗୋରୁଗାଈଙ୍କୁ ପାନୀୟଜଳ ଯୋଗାଇଦେବା ଉଦ୍ଦେଶ୍ୟରେ ଜଳକୁଣ୍ଡ ମାନ ସଂସ୍ଥାପନ କରିବାକୁ ଜିଲ୍ଲା ପ୍ରାଣୀ ସମ୍ପଦ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଆଦେଶ ମୁତାବକ ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଅଂଶୁଘାତଜନିତ ହୁଏ, ତେବେ ସେକ୍ଷେତ୍ରରେ ତହସିଲଦାର /ଅତିରିକ୍ତ ତହସିଲଦାର / ମେଡିକାଲ ଅଫିସର/ ସିଡିଏମଓଙ୍କ ଦ୍ଵାରା କ୍ଷମତା ପ୍ରାପ୍ତ ଅଧିକାରୀ ଓ ସମ୍ପୃକ୍ତ ଅଞ୍ଚଳ ଥାନାର ଭାରପ୍ରାପ୍ତ ଅଧିକାରୀ ଯୁଗ୍ମ ଭାବରେ ତଦନ୍ତ କରିବେ ଏବଂ ଉକ୍ତ ଅନୁସନ୍ଧାନର ତଦନ୍ତ ରିପୋର୍ଟ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲା କାର୍ଯ୍ୟାଳୟକୁ ପ୍ରେରଣ କରିବେ ।ବୈଠକରେ ଅଂଶୁଘାତର ମୁକାବିଲା ଓ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟିକୁ ଦୃଷ୍ଟିରେ ରଖି ବିଭିନ୍ନ ବିଡ଼ିଓ, ଚିକିତ୍ସା ଅଧିକାରୀ,ସିଡ଼ିପିଓ, ସାମାଜିକ ସଂଗଠନ ଓ କର୍ପୋରେଟ ପ୍ରତିଷ୍ଠାନ ମାଧ୍ୟମରେ ପାନୀୟଜଳ ସେବାକେନ୍ଦ୍ର ସ୍ଥାପନ ଓ ଏଥିସମ୍ବନ୍ଧିତ ସମ୍ଭାବ୍ୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ନିମନ୍ତେ ବିଭିନ୍ନ କେନ୍ଦ୍ରରେ ସରକାରଙ୍କ ତରଫରୁ ଯୋଗାଇ ଦିଆ ଯାଉଥିବା ପ୍ରଚାର ପତ୍ର ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପାନୀୟ ଜଳର ଅଭାବି ଅଞ୍ଚଳ, ଜଳ ପ୍ରଦୂଷଣ ଉପରେ ବିଶେଷ ଭାବେ ଦ୍ରୁଷ୍ଟି ଦବାକୁ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ନିର୍ଦ୍ଦେଶ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ଦିବ୍ୟଲୋଚନ ମହନ୍ତ , ସଦର ଉପଜିଲ୍ଲାପାଳ ଶ୍ରୀ ଜ୍ଯୋତି ଶଙ୍କର ରାୟ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବୀରଞ୍ଚି ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ରାଉତ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ, ଜିଲ୍ଲା ଜରୁରୀକାଳିନ ଅଧିକାରୀ ସୁଶ୍ରୀ ନିଷ୍ଠା ମହାପାତ୍ର, ଅନ୍ଯାନ୍ଯ ବିଭାଗୀୟ ଅଧିକାରୀ ଏବଂ ଆଭାସୀ ମାଧ୍ୟମରେ ଯୋଡି ହୋଇଥିବା ସମସ୍ତ ଉପଖଣ୍ଡ, ବ୍ଲକ ଓ ତହସିଲ ର ଅଧିକାରୀମାନେ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ