ଗ୍ରୀଷ୍ମ ଋତୁରେ ମାଟି ପାତ୍ରର ଚାହିଦା ବୃଦ୍ଧି ପାଉଛି
ନିମାପଡ଼ା,(ସନ୍ତୋଷ କୁମାର ଦାଶ ): ଆଧୁନିକ ଯୁଗରେ ଲୋକଙ୍କ ରୁଚି ବଦଳୁଛି । ସାମାଜିକ ଜୀବନ ସହ ସମ୍ପୃକ୍ତ ରହିଥିବା ମାଟିହାଣ୍ଡିର ଚାହିଦା ମଧ୍ୟ ଧିରେ ଧିରେ କମିବାରେ ଲାଗିଛି । ଏଥି ସହ କୁମ୍ଭକାରଙ୍କ ଜୀବନ ଜୀବିକା ମଧ୍ୟ ସଙ୍କଟରେ ରହିଛି । ଦିନ ଥିଲା ଲୋକମାନେ ଅଧିକ ମାତ୍ରାରେ ମାଟି ସାମଗ୍ରୀ ଉପରେ ନିର୍ଭର କରୁଥିଲେ । ପୂଜାପାର୍ବଣ ସମେତ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମାଟିପାତ୍ର ବ୍ୟବହାର କରାଯାଉଥିଲା । ବିଶେଷକରି ଗ୍ରୀଷ୍ମ ଋତୁରେ ମାଟି ପାତ୍ରର ଚାହିଦା ବେଶ୍ ଜମୁଥିଲା । କିନ୍ତୁ ବର୍ତ୍ତମାନ ଥଣ୍ଡାପାଣି ପିଇବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ବାହାରିବା ଫଳରେ ଲୋକେ ମାଟିପାତ୍ରର ଚାହିଦା ଆଗଭଳି ନଥିଲେ ମଧ୍ୟ ଖରା ବଢିବା ସହ ମାଟିହାଣ୍ଡି, ମାଠିଆ, ସୁରେଇ ଆଦି ପାତ୍ରର ଚାହିଦା ବଢିବାରେ ଲାଗିଛି । ସାଇକେଲ ହେଉ କି ମୁଣ୍ଡରେ ହେଉ କୁମ୍ଭକାର ପରିବାରର ସଦସ୍ୟ ମାନେ ମାଟିପାତ୍ର ଆଣି ଚାରିଛକ ବଜାରରେ ଓ ନୟାହାଟ ର ସାପ୍ତାହିକ ହାଟରେ ପସରା ମେଲାଇ ବେପାର କରୁଥିବା ଦେଖିବାକୁ ମିଳୁଛି । ଖରାଦିନେ ଅସହ୍ୟ ଗରମକୁ ଲକ୍ଷ୍ୟ କରି ବହୁଲୋକେ ମାଟିପାତ୍ର କିଣୁଛନ୍ତି । ବିଶେଷକରି ପାଣିକୁ ଥଣ୍ଡା ରଖିବାକୁ ମାଟିହାଣ୍ଡି, ସୁରେଇ ଓ ମାଠିଆର ବିଳ୍ପକ ନାହିଁ । ପରିବେଷ ଅନୁକୂଳ ମାଟିପାତ୍ର ଶରୀର ପାଇଁ ମଧ୍ୟ ଉପକାରୀ । କୌଣସି ରାସାୟନିକ ଦ୍ରବ୍ୟ ବିନା ପ୍ରାକୃତିକ ଉପାୟରେ ଏହା ତିଆରି ହୋଇଥିବାରୁ ମାଟିପାତ୍ରର ପାଣି ପିଇବା ଦ୍ୱାରା ଶରୀରକୁ ନିରୋଗ ରଖିଥାଏ । କୁମ୍ଭକାରଙ୍କ ପାରମ୍ପରିକ ଜୀବିକାର ଏହି ମାଧ୍ୟମ ପୂର୍ବରୁ ବେଶ୍ ଭଲ ଭାବରେ ଚାଲିଥିଲା । କିନ୍ତୁ ସମୟ ବଦଳିବା ସହ ଏହି ଧାରା ମଧ୍ୟ ବଦଳିଗଲା । ଏସବୁ ମାଟିପାତ୍ରର ଚାହିଦାକୁ ଆଲୁମିନିୟମ, ଷ୍ଟିଲ ଆଦି ସାମଗ୍ରୀ ସ୍ଥାନ ନେଲା । ମାଟିପାତ୍ର ଓ ଅନ୍ୟପାତ୍ରର ସ୍ୱଳ୍ପ ଆୟୁ ଦୃଷ୍ଟିରୁ ଲୋକେ ଏହି ମାଟିପାତ୍ର ସାମଗ୍ରୀକୁ ଛାଡିଲେ ଓ ଆଧୁନିକ ସମୟ ସହ ତାଳ ଦେଇ ବର୍ତ୍ତମାନ ସମୟରେ ଆଲୁମିନିୟମ, ଷ୍ଟିଲ ସୁଅରେ ନିଜର ଘରୋଇ ସାମଗ୍ରୀ କଲେ । ଫଳରେ କୌଳିକ ବୃତ୍ତି ସଙ୍କଟର ସମ୍ମୁଖୀନ ହେଲା । କେବଳ ମାଟିଦୀପ, କଳସ, ସରା,କେତେକ ପୂଜାନୀତି ଓ ଓଡ଼ିଆ ସଂସ୍କୃତି ର ବିବାହ, ବ୍ରତ, ଅନ୍ତେଷ୍ଟି କ୍ରିୟା ଓ କର୍ମ ପାଇଁ ଆବଶ୍ୟକ ସାମଗ୍ରୀ ହିଁ ଲୋକଙ୍କୁ ଆବଶ୍ୟକ ହେଉଛି । ପୁରୀ ଜିଲ୍ଲା ର ବିଭିନ୍ନ ଗ୍ରାମାଞ୍ଚଳରେ କୁମ୍ଭାର ମାନେ ବିଭିନ୍ନ ପ୍ରକାର ମାଟିପାତ୍ର ତିଆରି କରି ନିଜ ପରିବାର ପ୍ରତିପୋଷଣ କରି ଆସୁଥିଲେ। ବର୍ତ୍ତମାନ ପୂର୍ବପରି ମାଟି ପାତ୍ର ପ୍ରତି ଆଦର ଲୋକଙ୍କ ମଧ୍ୟରେ ନାହିଁ । କେବଳ ଗ୍ରୀଷ୍ମ ଋତୁରେ ଏହାର ଚାହିଦା ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ମାଟିହାଣ୍ଡି ଗଢିବା ପାଇଁ ଯେତିକି ପରିଶ୍ରମ କରିବାକୁ ପଡ଼ୁଛି ସେହି ଅନୁପାତରେ ପାରିଶ୍ରମିକ ମିଳୁନାହିଁ କି ସରକାରଙ୍କ ତରଫରୁ କୌଣସି ପ୍ରକାର ସହାୟତା ମିଳୁନାହିଁ ବୋଲି କୁମ୍ଭକାର ପରିବାର ମାନେ କହିଛନ୍ତି । ଯଦି କୁମ୍ଭକାର ପରିବାର କୁ ଚିହ୍ନଟ କରି ସରକାର ପ୍ରୋତ୍ସାହନ , ସାହାଯ୍ୟ ସହଯୋଗ ଯୋଗାଇ ଦିଅନ୍ତେ ତେବେ କୌଳିକ ବୃତ୍ତି କୁମ୍ଭକାର ମାନେ ଆପଣେଇ ପାରିବା ସହ ସୁନ୍ଦର କଳା କୁଟିର ଶିଳ୍ପର ଅସ୍ୱିତ୍ୱ ବଜାଇ ରଖିବାରେ ସମର୍ଥ ହୁଅନ୍ତେ ବୋଲି ବିଭିନ୍ନ ଗ୍ରାମାଞ୍ଚଳର କୁମ୍ଭକାର ପରିବାର କହିଛନ୍ତି ।