ଗ୍ରୀଷ୍ମ ପ୍ରଭାବ, ରାସ୍ତା ଫାଟିବା ଶବ୍ଦରେ ଭୟଭୀତ ହେଲେ ଅଞ୍ଚଳବାସୀ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଗୁରାଣ୍ଡି-ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତର ଭୁଷୁକୁଡି ଗ୍ରାମ ଠାରେ ସିମେଣ୍ଟ କଂକ୍ରିଟ ରାସ୍ତା ଫାଟିଯାଇଥିବାର ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ ସୁତ୍ରରୁ ପ୍ରକାଶ ଯେ, ଗତ ମଙ୍ଗଳବାର ୨ଘଣ୍ଟା ସମୟରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ପାଇଥିଲେ । ଏହି ଶବ୍ଦ ଆଖପାଖ ଅଞ୍ଚଳକୁ ମଧ୍ୟ ଶୁଭା ଯାଇଥିବା ବେଳେ ସମଗ୍ର ଅଞ୍ଚଳ ଥରହର ହୋଇଥିବାର ଗ୍ରାମବାସୀ ପ୍ରକାଶ କରିଛନ୍ତି । ପ୍ରଥମେ ଶବ୍ଦ ଶୁଣି ଗ୍ରାମବାସୀ ଭୟଭୀତ ହୋଇ ପଡିଥିଲେ । କିଏ କଣ ହେଲା ବୋଲି ବୁଝିପାରିନଥିଲେ । ଏହା ସହ ଶବ୍ଦର ଧ୍ୱନୀ ପ୍ରକମ୍ପରେ ଘରର ବାସନକୁସନ ଦୋହଲି ହୋଇପଡିବା ସହ ପୁରୁଣା ବାସଗୃହ ଗୁଡିକ ଦୋହଲିଥିବାର ପ୍ରକାଶ କରିଛନ୍ତି । ଏହାପରେ ରାସ୍ତା ଫାଟିଥିବା ସ୍ଥାନ ନିକଟରେ ଗ୍ରାମର ହରିଜନ ସାହିର ଲୋକେ ଏହାକୁ ଦେଖି ଆହୁରି ଭୟଭୀତ ହୋଇପଡିଥିଲେ । କାରଣ ରାସ୍ତାଟି ପ୍ରାୟ ୧ରୁ ଉର୍ଦ୍ଧ ଫୁଟ ଉପରକୁ ଉଠିଯାଇଛି ହମ୍ପ୍ସ ସଦୃଶ୍ୟ ସୃଷ୍ଟି ହେବା ସହ ଏହି ରାସ୍ତା ଉପର ଦେଇ ଗଲେ ଦବିଯାଉଛି ଏବଂ ପରେ ପୁଣି ଉପରକୁ ହମ୍ପ୍ସ ସଦୃଶ୍ୟ ଉଠିପଡୁଛି । ସମ୍ଭବତଃ ଏହି ରାସ୍ତା ଫାଟିଥିବା ଶବ୍ଦ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଏହି ଗ୍ରାମାଞ୍ଚଳବାସୀ ଶବ୍ଦର ପ୍ରକୃତ କାରଣ ଖୋଜୁଛନ୍ତି । ଆଜି ସୁଦ୍ଧା ରାସ୍ତା ଫାଟିଥିବା ସ୍ଥାନକୁ କୌଣସି ବିଭାଗୀୟ ଅଧିକାରୀ କିମ୍ବା ସ୍ଥାନୀୟ ପ୍ରଶାସନ ଆସିନଥିବାର ଜଣାଇଛନ୍ତି । ଏନେଇ ଆଜି ବି ଲୋକେ ଆତଙ୍କିତ ଅବସ୍ଥାରେ ଲୋକେ ରହିଛନ୍ତି ବୋଲି କେତେକ ଗ୍ରାମବାସୀ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଉକ୍ତ ରାସ୍ତାଟି ନିର୍ମାଣ ବେଳେ ନିମ୍ନମାନର କାମ ଯୋଗୁଁ ଏପରି ଗ୍ରୀଷ୍ମର ଉତ୍ତାପ ଯୋଗୁଁ ଏପରି ଫାଟ ଦେଇଛି ବୋଲି ଚର୍ଚ୍ଚା ହେଉଛି । ଗଜପତି ଜିଲ୍ଲାରେ ଗ୍ରୀଷ୍ମର ପ୍ରକୋପ ଜାରି ରହିଛି । ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳରେ ତାପମାତ୍ରା ଦୈନନ୍ଦିନ ବୃଦ୍ଧି ପାଉଛି । ଏପରିକି ଗତକାଲି ଛେଳିଗଡ ଗ୍ରାମରେ ଗ୍ରୀଷ୍ମ ଉତ୍ତାପରେ ଏକ ବାଇକରେ ନିଆଁ ଲାଗିଯାଇଥିବାର ଜଣାପଡିଛି ।