ଗ୍ରୁପ୍-ଏସ୍ ୪ ସିକ୍ୟୁରିଟି କର୍ମଚାରୀ ସଂଘର ଆନ୍ଦୋଳନ ପଞ୍ଚମ ଦିନରେ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବିଜୁ ଶ୍ରମିକ ସାମ୍ମୁଖ୍ୟ ସହିତ ଅନୁବନ୍ଧିତ ଗ୍ରୁପ୍ ଏସ୍୪ ସିକ୍ୟୁରିଟି କର୍ମଚାରୀ ସଂଘର ଆନ୍ଦୋଳନ ଆଜି ପଞ୍ଚମ ଦିନରେ ପହଞ୍ôଚଛି । କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ଓ ଦାବି ନେଇ ଗତ ୨୨ ତାରିଖରୁ ଭୁବନେଶ୍ୱର କଳ୍ପନା ଛକସ୍ଥିତ ଗ୍ରୁପ୍-ଏସ୍ ୪ ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଏହି ଆନ୍ଦୋଳନ ଆଜି ତୀବ୍ର ରୂପ ନେଇଛି । ୧୦ ଦଫା ଦାବି ନେଇ ହୋଇଥିବା ଏହି ଆନ୍ଦୋଳନକୁ ସଂସ୍ଥାର ପରିଚାଳନା କର୍ତ୍ତୃପକ୍ଷ ବାରମ୍ବାର ଅଣଦେଖା କରୁଥିବାରୁ କର୍ମଚାରୀମାନେ ଦୁଃଖ ପ୍ରକାଶ କରି ଆସୁଛନ୍ତି । ଏପରିକି ୨୯.୦୪.୨୦୨୨ରେ ଭୁବନେଶ୍ୱରସ୍ଥିତ ଯୁଗ୍ମ ଶ୍ରମ କମିଶନର, କମ୍ପାନୀର ପରିଚାଳନା କର୍ତ୍ତୃପକ୍ଷ ଏବଂ କର୍ମଚାରୀ ସଂଗଠନ ସହିତ ଏକ ତ୍ରିପାକ୍ଷିକ ଚୁକ୍ତି ହୋଇଥିଲା ଯେ, କର୍ମଚାରୀମାନଙ୍କ ସମସ୍ତ ଦାବି ଗୁଡ଼ିକ ଉପରେ ପରିଚାଳନା କର୍ତ୍ତୃପକ୍ଷ ଖୁବ୍ ଶୀଘ୍ର ସଠିକ ପଦକ୍ଷେପ ନେବେ । କିନ୍ତୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ପରିଚାଳନା କର୍ତ୍ତୃପକ୍ଷ ଦାବିଗୁଡ଼ିକ ଉପରେ ସୁବିଚାର କରିବା ପରିବର୍ତ୍ତେ ଚତୁଃଦିଗରୁ କର୍ମଚାରୀମାନଙ୍କର ବିଭିନ୍ନ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଇଛନ୍ତି ବୋଲି ସଂଘର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି । (୧) ୨୯.୪.୨୨ରେ ହୋଇଥିବା ତ୍ରିପାକ୍ଷିକ ଚୁକ୍ତିକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ସଙ୍ଗେ ସଙ୍ଗେ ପଦବୀ ଏବଂ ଦରମାରେ ଥିବା ତାରତମ୍ୟକୁ ଦୂର କରିବା (୨) ଅନ୍ୟାୟ ଭାବେ ସୁପର ଭାଇଜର ଏବଂ ଇନ୍ସପେକ୍ଟରଙ୍କ କମ୍ ଦରମାକୁ ବନ୍ଦ କରିବା ସହିତ ପୂର୍ବ ଦରମା ପ୍ରଦାନ କରିବା (୩) ଚାକିରୀ ଛାଡୁଥିବା ଏବଂ ମୃତ କର୍ମକଚାରୀଙ୍କ ପରିବାରକୁ ବୋନସ, ଛୁଟି ବାବଦ ଅର୍ଥ, ଗ୍ରାଚ୍ୟୁଇଟି ଓ ପେନସନ ଶ୍ରମ ଆଇନ ଅନୁଯାୟୀ ପ୍ରଦାନ କରିବା (୪) କର୍ମଚାରୀମାନଙ୍କ ରହିବା ପାଇଁ ବାରାକ, ରୋଷେୟା, ହେଲପର ବ୍ୟବସ୍ଥାର ପୁନଃ ପ୍ରଚଳନ କରିବା (୫) କର୍ମଚାରୀମାନଙ୍କୁ ପରିଚାଳନା କମିଟି ତରଫରୁ ସ୍ମାର୍ଟ ଫୋନ୍ ପ୍ରଦାନ କରିବା (୬) ମାସିକ ସଫେଇ ବାବଦରେ ୫୦୦ ଟଙ୍କା ପ୍ରଦାନ କରିବା ଆଦି ସଂଘର ୬ ଦଫା ଦାବିକୁ କର୍ତ୍ତୃପକ୍ଷ ଅଣଦେଖା କରୁଥିବାର ତୀବ୍ର ଅସନ୍ତୋଷ ଦେଖାଦେବାରୁ ରାଜରାସ୍ତାକୁ ଓହ୍ଲାଇଛନ୍ତି ବୋଲି ସଂଘର ସାଧାରଣ ସମ୍ପାଦକ ଦିବ୍ୟରଞ୍ଜନ ସେଠୀ ପ୍ରକାଶ କରିଛନ୍ତି । ଯଦି କର୍ତ୍ତୃପକ୍ଷ ଅଗାମୀ ଦିନରେ ଏହି ଦାବିଗୁଡ଼ିକୁ ତୁରନ୍ତ ବିଚାର କରି ନ୍ୟାୟ ପ୍ରଦାନ ନକରନ୍ତି, ତେବେ ସଂଘ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି ।