ଗ୍ରେଡେସନ ମିଳିଲା ନାହିଁ ; ବ୍ୟାଙ୍କରେ ଜମାଖାତା ବନ୍ଦ କଲେ ସ୍ୱୟଂ ସହାୟକ ଗୋଷ୍ଠୀ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଗ୍ରାମାଞ୍ଚଳ ମହିଳାମାନଙ୍କର ଆର୍ଥିକ ବିକାଶ ପାଇଁ ରାଜ୍ୟ ସରକାର ଏସଏଚଜି ଗଠନ କରିଛନ୍ତି । ବିଶେଷକରି ବ୍ୱ୍କ ଓଡିଶା ଜିବୀକା ମିଶନ ବିଭାଗ ଓ ବିଭିନ୍ନ ବ୍ୟାଙ୍କ ଜରିଆରେ ମହିଳାମାନଙ୍କୁ ସ୍ୱାବଲମ୍ବି କରିବା ପାଇଁ ଅର୍ଥ ଯୋଗାଯାଉଛି । ହେଲେ ଅନେକ ଜାଗାରେ ଯୋଜନା ଫେଲ ମାରୁଥିବାବେଳେ ମହିଳାମାନେ ଆର୍ଥିକ ସହାୟତାରୁ ବଞ୍ଚିତ ହେଉଥିବା ଦେଖାଯାଉଛି । ଏଭଳି ଏକ ଘଟଣା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ମୁଢାପଦା ଗ୍ରାମରେ ଦେଖିବାକୁ ମିଳିଛି । ଉକ୍ତ ଗ୍ରାମରେ ପ୍ରାୟ ୩ବର୍ଷରୁ ଅଧିକ ହେବ ବାବା ବୈଦନାଥ ଏସଏଚଜି ନାମରେ ୧୦ଜଣ ମହିଳାଙ୍କୁ ନେଇ ଏକ କମିଟି ଗଠନ ହୋଇଥିଲା । ଉକ୍ତ ଏସଏଚଜିରେ ହରିଜନ ମହିଳାମାନେ କାର୍ଯ୍ୟ କରୁଥିବାବେଳେ ସେମାନେ ଆର୍ଥିକ ଭାବେ ଦୁର୍ବଳ ଅଟନ୍ତି । ସରକାରଙ୍କ ଯୋଜନା ଅନୁସାରେ ପରିବା ଚାଷ ପାଇଁ ଏସଏଚଜି ସଦସ୍ୟା ମାନେ ପ୍ରଥମଥର ୧ଲକ୍ଷ ଟଙ୍କାର ଋଣ ପାଇଁ କୋ-ଅପରେଟିଭ ବ୍ୟାଙ୍କରେ ଆବେଦନ କରିଥିଲେ । ପରିତାପର ବିଷୟ ଏସଏଚଜି ପାଇଁ କାର୍ଯ୍ୟ କରୁଥିବା ଓଡିଶା ଜୀବିକା ମିଶନ ବିଭାଗ ସେମାନଙ୍କୁ ଗ୍ରେଡିଂ ନଦେବାରୁ ମହିଳାମାନେ ଋଣ ପାଇବାରୁ ବଞ୍ଚିତ ହୋଇଛନ୍ତି । ବିନା ଗ୍ରେଡିଂରେ ଋଣ ଦେବା ନିୟମ ନଥିବା ବ୍ୟାଙ୍କ ରୋକଠୋକ କହିଦେଇଛି । ନିୟମ ଅନୁସାରେ ଗଠିତ ଏସଏଚଜି ଗ୍ରୁପ ଛଅ ମାସ ଯାଏଁ ଜମାଖାତରେ ଅର୍ଥ ଭରିନଥିବାରୁ ତାଙ୍କୁ ଗ୍ରେଡିଂ ମିଳିନଥିବା ଓଡିଶା ଜିବୀକା ମିଶନ ପକ୍ଷରୁ କୁହାଯାଇଛି । ଏପଟେ ବ୍ୟାଙ୍କ ଓ ବ୍ଲକ ଦୌଡିଦୌଡି ମହିଳା ମାନେ ନୟାନ୍ତ ହେବା ପରେ ଆଜି ବିରକ୍ତିଭାବ ପ୍ରକାଶ କରି ବ୍ୟାଙ୍କ ଜମାଖାତାକୁ ବନ୍ଦ କରିଦେଇଛନ୍ତି । ଏପରିକି ସରକାରଙ୍କ ତରଫରୁ ମିଳିଥିବା ପ୍ରୋତ୍ସାହନ ରାଶିକୁ ଖାତାରୁ ଉଠାଇବା ପରେ ଆଉ ଏସଏଚଜି ଗ୍ରୁପର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେ ଯାହାବି ହେଉ ଗ୍ରାମାଞ୍ଚଳ ମହିଳା ମାନଙ୍କୁ ସ୍ୱାବଲମ୍ବି କରିବା ପାଇଁ ସରକାର ଯୋଜନା କରୁଥିଲେ ସୁଦ୍ଧା ମହିଳା ମାନେ କିନ୍ତୁ ଏହାର ସଫଳ ରୂପାୟନ ପାଇପାରୁନାହାଁନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ବୈଦନାଥ ଏସଏଚଜି ଗ୍ରୁପ । ଏଭଳି ବ୍ୟବସ୍ଥା ଉପରେ ଉଚ୍ଚ ପଦାଧିକାରୀଙ୍କ ପୁନଃବିଚାର ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।
ବଳିଆ ଯୋଜନା ଫେଲ !