ଗ୍ରେଡ୍ ରେ ଅନିୟମିତତା କରି ରୟାଲଟି ଫାଙ୍କି ଅଭିଯୋଗରେ ତିନଟି ଖଣିକୁ ନୋଟିସ୍
ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳ ଅନ୍ତର୍ଗତ ୩ଟି ଖଣିକୁ ଷ୍ଟାକରେ ଅନିୟମିତତା କରି ଲୁହାପଥର ଗ୍ରେଡ୍ରେ ହେର୍ଫେର୍ କରିଥିବା ଅଭିଯୋଗରେ ଯୋଡା ଖଣି ଯୁଗ୍ମ ନିର୍ଦ୍ଦେଶାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଯୋଡା ଖଣି ଯୁଗ୍ମ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜଣାପଡିଛି ଯେ, ଜରିବାହାଲସ୍ଥିତ କାଶ୍ଭି ଇନ୍ଟରନେଶନାଲ ପ୍ରାଇଭେଟ୍ ଲିମିଟେଡ, ଦେଓଝରସ୍ଥିତ ତାରିଣୀ ମିନେରାଲ ଓ ମୁର୍ଗାବେଡା ଆଇରନ ଓର ମାଇନ୍ସକୁ ଶୁକ୍ରବାର ନୋଟିସ୍ ଜାରି ହୋଇଛି । ଉକ୍ତ ୩ଟି ଖଣିକୁ ଖଣିଜର ମାନ (ଗ୍ରେଡ୍)ରେ ଅନିୟମିତତା କରି ହେର୍ଫେର୍ କରିଥିବା ନେଇ ଖଣିବିଭାଗ ଜାଣିବାପରେ ଖଣିକାର୍ଯ୍ୟ ଉପରେ ଅଙ୍କୁଶ ଲଗାଇ ସାମୟିକ ନିଲମ୍ବନ କରାଯାଇଛି । କିଛି ଲିଜ୍ଧାରୀ ପରିବହନ ନିମନ୍ତେ ଖଣିଜର ମାନ ନିର୍ଦ୍ଦର୍ାରଣ କରି ଖଣିଜ ଗଚ୍ଛିତ ରଖିଥାନ୍ତି । ଏହି ଖଣିଜର ମାନ ଅନୁଯାୟୀ ଖଣି ବିଭାଗ ପକ୍ଷରୁ ରାଜସ୍ୱ(ରୟାଲଟି) ଧାର୍ଯ୍ୟ କରାଯାଇଥାଏ । ରାଜସ୍ୱ ପ୍ରାପ୍ତି ପରେ ଏହି ଖଣିଜକୁ ପରିବହନ ଅନୁମୋଦନ ଖଣିବିଭାଗ ପକ୍ଷରୁ ଦିଆଯାଇଥାଏ । ତେବେ ଲିଜ୍ଧାରୀ ମାନେ ସମୟ ସମୟରେ ଷ୍ଟାକ୍ରେ ଗଚ୍ଛିତ ଥିବା ନିର୍ଦ୍ଧିଷ୍ଟ ଖଣିଜ ପରିବର୍ତେ ଅଧିକ ମାନ ଥିବା ଖଣିଜକୁ ପରିବହନ କରିଥାନ୍ତି । ଅର୍ଥାତ୍ ନିମ୍ନମାନର ଖଣିଜ ଦର୍ଶାଇ ଉନ୍ନତମାନର ଲୁହାପଥରକୁ ବିକ୍ରୟ କରିଥାନ୍ତି । ଫଳରେ ସରକାର ରାଜସ୍ୱ ହରାଇଥାନ୍ତି, ଖଣି ମାଲିକ ମାନେ ମୁନାଫା କମାଇଥାନ୍ତି । ଗତ ଅକ୍ଟୋବର ମାସରେ ଯୋଡା ଖଣିମଣ୍ଡଳସ୍ଥିତ ଏକ ବୃହତ୍ ଖଣିରେ ଖଣି ବିଭାଗ ପକ୍ଷରୁ ଯାନ୍ଚ କରାଯିବା ପରେ ସେଠାରେ ଖଣିଜ ଷ୍ଟାକ୍ରେ ଅନିୟମିତତା ଜଣାପଡିଥିଲା । ଉକ୍ତ ଖଣିଟିକୁ ସାମୟିକ ଭାବେ ବନ୍ଦ ନୋଟିସ୍ କରାଯାଇଥିଲା ଏବଂ ଏଥିରେ ଅବହେଳା ପାଇଁ ଯୋଡା ଖଣି ଯୁଗ୍ମ ନିର୍ଦ୍ଦେଶାଳୟର ୨ଜଣ ଖଣି ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିଲା । ଭୁବନେଶ୍ୱରସ୍ଥିତ ଖଣି ନିର୍ଦ୍ଦେଶାଳୟର ବରିଷ୍ଠ ଖଣି ଯୁଗ୍ମ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଯୋଡା ଖଣିମଣ୍ଡଳର ୩ଟି ଖଣିକୁ ଷ୍ଟାକ୍ରେ ଅନିୟମିତତା କରିଥିବାରୁ ନୋଟିସ୍ ଜାରି କରାଯାଇଛି । ରାଜସ୍ୱ ଫାଙ୍କି, ଟିକସ ଫାଙ୍କି ଏବଂ ବେଆଇନ ଖଣି ଖନନ ଉପରେ ସରକାରଙ୍କର ଆଭିମୁଖ୍ୟ ସ୍ପଷ୍ଟ ଯେ, ଏହାକୁ ଦୃଢହସ୍ତରେ ଦମନ କରାଯିବ । ଆବଶ୍ୟକସ୍ଥଳେ ଦୃଢ କାର୍ଯ୍ୟନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ।