ଘଟଗାଁ ବିଦ୍ୟାଳୟ ସ୍ୱଚ୍ଛତା ଓ ପରିମଳ କର୍ମଶାଳା
ଘଟଗାଁ,(ନାରାୟଣ ପଲାଇ): ଘଟଗାଁ ତାରିଣୀ ବିଦ୍ୟାପୀଠ ଠାରେ ୟୁନିସେଫ୍ ତରଫରୁ ବିଦ୍ୟାଳୟ ସ୍ୱଚ୍ଛତା ଓ ପରିମଳ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଘଟଗାଁ ବି.ଇ.ଓ କ୍ଷେତ୍ର ମୋହନ ହାଁସ୍ଦା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏବିଇଓ ରମେଶ ଚନ୍ଦ୍ର ବେହେରା , ତପୋଧନ ସ୍ୱାଇଁ, ଶିକ୍ଷୟିତ୍ରୀ କବିତା ମଂଜରୀ ସାହୁ ପ୍ରମୁଖ ସମ୍ମାନୀୟ ଅତିଥିଭାବେ ଯୋଗ ଦେଇଥିଲେ । ସେହିପରି ୟୁନିସେଫ୍ ତରଫରୁ ସୁଧାଂଶୁ ପାଢୀ ସମ୍ବଳ ତାଲିମଦାତା ବାଟ୍ରେନର ଭାବେ ଯୋଗଦେଇ ବିଦ୍ୟାଳୟ ସ୍ୱଚ୍ଛତା ଓ ପରିମଳ କାର୍ଯ୍ୟଯୋଜନା ଉପରେ ଆଲୋଚନା କରିଥିଲେ । ମୁଖ୍ୟତଃ, ବିଦ୍ୟାଳୟ ଗୁଡିକରେ ସ୍ୱଚ୍ଛ ପାନୀୟ ଜଳର ବ୍ୟବହାର ଓ ପରିମଳ ବ୍ୟବସ୍ଥାର ସୁଦୃଢୀକରଣ ସହ ତତ୍ସଂପର୍କିତ କାର୍ଯ୍ୟଯୋଜନା ସ୍ଥାନୀୟ ପଂଚାୟତ ଓ ବ୍ଲକ ପ୍ରଶାସନ ନିକଟରେ ଦାଖଲ କରିବା ଓ ସମସ୍ତ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଏହି କର୍ମଶାଳାରେ ମୋଟ ୫୧ଟି ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ଯୋଗଦେଇଥିଲେ । ଶିକ୍ଷକ ରୋହିତ ବେହେରା ଓ ସିଆର୍ସିସି ଡମ୍ବରୁଧର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ କବିତା ମଂଜରୀ ସାହୁ ଧନ୍ୟବାଦ ଦେଇଥିଲେ ।


