ଘଟଙ୍ଗା ବିଇଓଙ୍କୁ ଭିଜିଲାନସ ଧରିବାପରେ ହାଟଡିହି ବିଇଓ ଅଫିସରେ ଛନକା
ହାଟଡ଼ିହି, (ବିକାଶ ବିଶ୍ୱାଳ):ଘଟଙ୍ଗା ବ୍ଲକ ଶିକ୍ଷା ଅଧିକାରୀ ଅଭୟ କୁମାର ବେହେରାଙ୍କୁ ଆଜି ଭିଜିଲାନସ ବିଭାଗ ଧରିବାପରେ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କ ମଧ୍ୟରେ ଛନକା ପସିଛି । କାରଣ ଆଜି ଧରାପଡିଥିବା ବିଇଓ ଅଭୟ ବେହେରା ହାଟଡିହି ବ୍ଲକର ଶିକ୍ଷା ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟରତ ଥିଲେ । ସେ ଏଠାରେ ମଧ୍ୟ ବିଭିନ୍ନ କାର୍ଯ୍ୟ କରିଦେବା ପାଇଁ ଶିକ୍ଷକ ମାନଙ୍କ ଠାରୁ ମୋଟା ଅଙ୍କର ପିସି ଆଦାୟ କରିଆସୁଥିବା ନେଇ ପୁର୍ବରୁ ଅଭିଯୋଗ ହେଉଥିଲା । ଆଜି ସକାଳେ ସେ ଘଟଙ୍ଗାରୁ ହାଟଡିହି ଆସିବାକୁ ବାହାରୁ ଥିବାବେଳେ ହିଁ ଭିଜିଲାନସ ହାତରେ ଧରାପଡିଥିଲେ । କାଳେ ଭିଜିଲାନସ ଟିମ ହାଟଡିହି ଆସି କିଛି ଖେଳାତାଡ କରିବ ସେନେଇ କର୍ମଚାରୀ ମାନଙ୍କ ମଧ୍ୟରେ ଛନକା ପସିଥିଲା । ଏପରିକି କିଛି ଶିକ୍ଷକ ବିଇଓଙ୍କୁ ସାକ୍ଷାତ କରିବାକୁ ଅପେକ୍ଷା କରିଥିବାବେଳେ ଏ ଖବର ପାଇ ସେମାନେ କେଉଁଆଡେ ଅର୍ନ୍ତଧ୍ୟାନ ହୋଇ ଯାଇଥିଲେ । କାରଣ ହାଟଡିହିରେ ମଧ୍ୟ ଅନେକ ଏପଟ ସେପଟ କାର୍ଯ୍ୟ ହୋଇଥିବା ନେଇ ଆଲୋଚନା ହେଉଛି । କାଳେ ଭିଜିଲାନସ ଟିମ ଆସି ସେସବୁକୁ ଖୋଳତାଡ କରିବ ସେନେଇ କିଛି କର୍ମଚାରୀ ଭୟ ଓ ଆଶଙ୍କାରେ ଅଛନ୍ତି । ଏଥିପାଇଁ ଆଜି କାର୍ଯ୍ୟଳୟର କୌଣସି କର୍ମଚାରୀ ଆଉ ଚେୟାରରେ ନବସି ଏଣେତେଣେ ବୁଲୁଥିବା ଦେଖିବାକୁ ମିଳିଥିଲା । ପ୍ରତିଦିନ କିଛିନା କିଛି ଶିକ୍ଷକ କାର୍ଯ୍ୟାଳୟକୁ ଆସି ଟହଲ ମାରୁଥିବାବେଳେ ଆଜି କିନ୍ତୁ କୌଣସି ଶିକ୍ଷକଙ୍କ ଦେଖା ନଥିଲା । ଆଜି ଶିକ୍ଷକ ମାନଙ୍କର ଦରମା ବିଲ ବିଇଓଙ୍କ ନିକଟରୁ ଦସ୍ତଖତ ହେବାକୁ ଥିବାବେଳେ ତାହା ବନ୍ଦ ହୋଇଗଲା । ତେଣୁ ଚଳିତମାସ ଦରମା କେବେ ମିଳିବ ସେନେଇ ଚିନ୍ତାରେ ପଡିଯାଇଛନ୍ତି ଶିକ୍ଷକ ଓ କର୍ମଚାରୀ ମାନେ ।