ଘଟେ ନାଟୁଆ
ତୁମେ ସର୍ବ ଘଟେ
ତୁମେ ବାଟେଘାଟେ
ନାଟ ଲଗାଇଛ ହରି,
ନଟକୁଟ କରି
ଖଟ୍ ଖଟ୍ କରି
ଲୁଚ ନ ପାରୁଛୁ ଧରି ।
ତୁମରି ମାୟାକୁ
କିଏ ବା ଧରିବ
ଯୋଗମାୟା ଗଲେ ହାରି,
ବ୍ରହ୍ମା ବିଷ୍ଣୁ ଶିବ
ବାଟବଣା ହେଲେ
ଆଉ କେ ପାରିବ ଧରି ।
ମୁନି ଋଷିଗଣ
ତପ ଜପ କରି
ଯୁଗଯୁଗ ଗଲା ବିତି,
ତଥାପି କି ମାୟା
କରୁ ମାୟାଧର
ତପସ୍ୟାର ନାହିଁ ଇତି ।
ଧରି ନ ପାରିବେ
ସଭିଏଁ ଜାଣନ୍ତି
ଭେଟ ପାଇଁ ମନେ ଇଛା,
ଥରେ ଭେଟ ହେଲେ
ବାଟ ଫିଟିଯିବ
ପୂର୍ଣ୍ଣ ହେବ ମନୋବାଞ୍ଛା ।
ଆହେ ଇଛାମୟ
ଇଛା ହେ ତୁମର
ନଟ ନାଗର ନାଟୁଆ,
ଥରେ ଧରା ଦିଅ
ଅବା ଭେଟ ହୁଅ
ବାଟ ଭୁଲାଉଛ କିୟାଁ ।
ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ