ଘନ କୁହୁଡ଼ି ଯାତାୟତ ବାଧାପ୍ରାପ୍ତ
ହିଞ୍ଜିଳିକାଟ (ଶେଷଦେବ ସାହୁ) : ଗତ ଦୁଇ ଦିନ ଧରି ହିଞ୍ଜିଳିକାଟୁ ସହରରେ ଘନ କୁହୁଡ଼ି ଦେଖାଦେଉଛି । ଫଳରେ ସକାଳ ଓ ସନ୍ଧ୍ୟାରେ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହେଉଛି । ସକାଳୁ ଓ ସନ୍ଧ୍ୟାରେ କିଛିଟା ଥଣ୍ଡା ଶୀତ ଅନୁଭୂତ ହେଉଥିବା ବେଳେ ଘନ କୁହୁଡ଼ି ଅନେକଙ୍କୁ ବିସ୍ମିତ କରିଛି । କୁହୁଡ଼ି ଯୋଗୁଁ ପ୍ରତ୍ୟୁଷରୁ ରାସ୍ତା ଠିକ ଭାବେ ଦେଖାଯାଉନଥିବାରୁ ଯିବା ଆସିବାରେ ସମସ୍ୟା ଦେଖାଦେଇଛି । ଦୀର୍ଘ ସମୟ ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହୁଥିବାରୁ ସକାଳୁ ରାସ୍ତାରେ ୨ ଚକିଆ ଓ ୪ ଚକିଆ ଗାଡ଼ି ଚଳାଚଳ ମଧ୍ୟ ହ୍ରାସ ପାଉଛି । ବିଶେଷ କରି ପ୍ରତ୍ୟୁଷରୁ ପ୍ରାତଃଭ୍ରମଣ କରିବାକୁ ଯାଉଥିବା ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଘନ କୁହୁଡ଼ି ଲାଗି ରହୁଥିବା ଯୋଗୁଁ ସକାଳ ପ୍ରାୟ ୯ ଘଂଟା ପର୍ଯ୍ୟନ୍ତରାସ୍ତା ଠିକ୍ ଭାବେ ଦେଖାଯାଉନାହିଁ । ଘନ କୁହୁଡ଼ି ଲାଗି ରହିବା ଯୋଗୁଁ ଉକ୍ତ ସମୟରେ ବହୁ ସ୍ଥାନରେ ଛୋଟବଡ଼ ଦୂର୍ଘଟରା ଘଟି ବହୁ ଧନଜୀବନ ନଷ୍ଟ ହେଉଥିବାର ନଜିର ରହିଛି । ସକାଳ ବ୍ୟତିତ ସନ୍ଧ୍ୟା ପରେ ମଧ୍ୟ ସହରର ଆକାଶ ଘନ କୁହୁଡ଼ିରେ ଆଛାଦିତ ହୋଇ ରହୁଛି ।ଏଥି ଯୋଗୁଁ ରାତି ୧୦ ଟା ପରେ ମଧ୍ୟ ମୁଖ୍ୟ ରାସ୍ତାରେ ଯାତାୟତରେ ସମସ୍ୟା ଦେଖାଦେଉଛି ।ଘନ କୁହୁଡ଼ି ଯୋଗୁଁ ପରିବା ଫସଲ ନଷ୍ଟ ହୋଇଯାଉଥିବାରୁ ଚାଷୀ ମାନଙ୍କ ମଧ୍ୟରେ ନାନା ଆଶଙ୍କା ସୃଷ୍ଟି ହୋଇଛି ।


