ଘରକରଣା କାମରେ ପୁରୁଣା ଖବରକାଗଜ

ସାଧାରଣତଃ ଖବରକାଗଜ ପଢ଼ିସାରିବା ପରେ ଅନେକ ଲୋକ ଏହାକୁ ଏଣେତେଣେ ପକାଇ ଦିଅନ୍ତି। ଆଉ କିଛି ଲୋକ ଏହାକୁ ଥାକ ମାରି ରଖନ୍ତି ଓ ପରେ କବାଡ଼ିବାଲାକୁ ବିକି ଦିଅନ୍ତି। କିନ୍ତୁ ପୁରୁଣା ଖବରକାଗଜକୁ ବି ବିଭିନ୍ନ ଉପାୟରେ ଘରକରଣା କାମରେ ବ୍ୟବହାର କରାଯାଇପାରେ।
୧. ଘରର ଝରକା, କବାଟକୁ ସମସ୍ତେ କପଡ଼ାରେ ପୋଛିଥା’ନ୍ତି ଏବଂ ପରେ ସେହି କପଡ଼ାକୁ ସଫା କରିଥା’ନ୍ତି। କିନ୍ତୁ ଆପଣ ଏଥିପାଇଁ ଖବରକାଗଜ ମଧ୍ୟ ବ୍ୟବହାର କରିପାରିବେ। କାଚ ଝରକା, କବାଟ ଏବଂ କାର୍‌ର କାଚକୁ ବି ଆପଣ ପେପର୍‌ ସାହାଯ୍ୟରେ ସଫା କରିପାରିବେ। ଆପଣ ଚାହିଁଲେ ଅଧିକ ସଫା ଦେଖାଯିବା ପାଇଁ ପେପର୍‌ ସହିତ ଲିକ୍ୱିଡ୍‌ କେମିକାଲ୍‌ର ସାହାଯ୍ୟ ନେଇପାରିବେ।
୨. କିଚେନ୍‌ କ୍ୟାବିନେଟ୍‌, ଡ୍ରେସର୍‌, ବାଥରୁମ୍‌କୁ ମଧ୍ୟ ପେପର୍‌ରେ ସଫା କରିପାରିବେ। ପେପର୍‌ ଶସ୍ତା ହୋଇଥିବାରୁ ସଫା କରିବା ପରେ ଆପଣ ଏହାକୁ ଫିଙ୍ଗି ଦେଇପାରିବେ। ଏହା ସହିତ ପେପର୍‌ ବାୟୋଡିଗ୍ରେଡେବୁଲ୍‌ ହୋଇଥିବାରୁ ମାଟିରେ ମଧ୍ୟ ସହଜରେ ମିଶି ଯାଇଥାଏ।
୩. ମାଇକ୍ରୋଓଭାନ୍‌ ଓ ରୋଷେଇ ଚୁଲାକୁ ସଫା କରିବା ପାଇଁ ପେପର୍‌ ବ୍ୟବହାର କରାଯାଇପାରିବ । ଏହିସବୁ ସ୍ଥାନରେ ଲାଗିଥିବା ତେଲକୁ ପେପର୍‌ ସହଜରେ ଅବଶୋଷଣ କରି ନେଇଥାଏ। ଏଥିଲାଗି ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିନଥାଏ।
୪. ଏକ ବଡ଼ କଥା ହେଉଛି, ପରିବେଶ ପ୍ରଦୂଷଣ କାରଣରୁ ପଲିଥିନ୍‌ ବ୍ୟବହାର କରିବା ପାଇଁ ବାରଣ କରାଯାଉଛି। ଏହାର ଏକ ବଡ଼ ବିକଳ୍ପ ହେଉଛି ଖବରକାଗଜ। କପଡ଼ା କିମ୍ୱା ଅନ୍ୟ ଗିଫ୍ଟ ପ୍ୟାକ୍‌ କରିବା ପାଇଁ ଖବରକାଗଜର ବ୍ୟବହାର କରିପାରିବେ।
୫. ସେହିପରି ପଲିଥିନ୍‌ ବ୍ୟାଗ୍‌ ବଦଳରେ ପୁରୁଣା ଖବରକାଗଜରେ ବ୍ୟାଗ୍‌ ପ୍ରସ୍ତୁତ କରି ମଧ୍ୟ ବିଭିନ୍ନ କାମ ପାଇଁ ବ୍ୟବହାର କରିପାରିବେ।
କିନ୍ତୁ ମନେ ରଖନ୍ତୁ କୌଣସି ଖାଦ୍ୟକୁ ଖବରକାଗଜରେ ପ୍ୟାକ୍‌ କରନ୍ତୁ ନାହିଁ। କାରଣ ଖବରକାଗଜ ପ୍ରିଣ୍ଟ କରିବା ପାଇଁ କ୍ଷତିକାରକ ରଙ୍ଗ, ପିଗମେଣ୍ଟସ୍‌ ଆଦି କେମିକାଲସ୍‌ ବ୍ୟବହୃତ ହେଉଛି। ଆପଣ ଖାଦ୍ୟପଦାର୍ଥକୁ ଖବରକାଗଜରେ ପ୍ୟାକ୍‌ କରିବା ଦ୍ୱାରା ଏହିସବୁ କେମିକାଲ୍‌ ଆପଣଙ୍କ ଶରୀରରୁ ଯାଇ କ୍ଷତି ଘଟାଇଥା’ନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ