ଘରକୁ ଫେରୁଥିଲେ, ରାସ୍ତାରେ ଟଳିପଡ଼ିଲେ
ଭୁବନେଶ୍ୱର: କରୋନା ଲକଡାଉନ ଯୋଗୁଁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଶା ଫେରୁଛନ୍ତି । କିଏ ବସରେ ତ କିଏ ଟ୍ରେନ ଯୋଗେ ଓଡ଼ିଶାକୁ ଫେରୁଛନ୍ତି । ଏହା ସତ୍ତ୍ୱେ ବି ଅଧିକାଂଶ ଲୋକ ଏବେ ବି ବାହାର ରାଜ୍ୟରେ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରୁ କିଏ ସାଇକେଲରେ ତ କିଏ ଚାଲିଚାଲି ଘରକୁ ଫେରୁଛନ୍ତି ।
ତେବେ ଚାଲି ଚାଲି ଘରକୁ ଆସୁଥିବାବେଳେ ହଠାତ ରାସ୍ତାରେ ଝୁଣ୍ଟିପଡ଼ି ଜଣେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ ହେବାଭଳି ଏକ ଅଭାବନୀୟ ଘଟଣା ଘଟିଛି । ଜଳେଶ୍ୱର ଲକ୍ଷ୍ମଣନାଥ ତନଖି ଫାଟକ ନିକଟରେ ଜଣେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ଘର ପୁରୀ ଜିଲ୍ଲା କାକଟପୁର ଅନ୍ତର୍ଗତ ଟିକରପଡ଼ା ଗ୍ରାମରେ ବୋଲି ଜଣାଯାଇଛି । ସମ୍ପୃକ୍ତ ବ୍ୟକ୍ତି ଜଣକ କୋଲକାତାରେ ଏକ କମ୍ପାନୀରେ କାମ କରୁଥିଲେ । ସେ କରୋନା ଲକଡାଉନ ଯୋଗୁଁ କୋଲକାତାରେ ଫସିଯାଇଥିଲେ । ଏହାରି ଭିତରେ ସେ ଚାଲିଚାଲି ଘରକୁ ଫେରିବା ପାଇଁ ମନସ୍ଥ କରିଥିଲେ । ସେ ଘରକୁ ଫେରୁଥିବା ସମ୍ପର୍କରେ ପରିବାର ଲୋକଙ୍କୁ ଫୋନ କରି ମଧ୍ୟ ଜଣାଇଥିଳେ । ତେବେ ଚାଲି ଚାଲି ଆସୁଥିବାବେଳେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟସ୍ଥ ଲକ୍ଷ୍ମଣନାଥ ତନଖି ଫାଟକ ଠାରୁ କିଛି ଦୂରରେ ସେ ଝୁଣ୍ଟିପଡ଼ି ତଳେ ପଡ଼ିଯାଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।