ଘରକୁ ରଖନ୍ତୁ ସୁବାସିତ
ନିଜ ଘରକୁ ସବୁବେଳେ ସଫା ଏବଂ ସୁନ୍ଦର ରଖିବାକୁ ସମସ୍ତେ ଚାହାନ୍ତି । ଆଉ ଏଥିପାଇଁ ବିଭିନ୍ନ ପ୍ରକାର ଡେକୋରେଟିଭ୍ ସାମଗ୍ରୀ ବି ବ୍ୟବହାର କରନ୍ତି । ହେଲେ ଏସବୁ ପରେ ବି ଯଦି ଘର ଭିତରେ କୌଣସି ପ୍ରକାରର ଗନ୍ଧ ହେଉଥାଏ ତେବେ ଏହା ମାନସିକ ସ୍ତରରେ ବି ନକାରାତ୍ମକ ପ୍ରଭାବ ପକାଇଥାଏ । ତେଣୁ ମୁଡ୍ ଫ୍ରେଶ୍ ରଖିବା ଲାଗି ଘରକୁ କିପରି ପ୍ରାକୃତିକ ଉପାୟରେ ସୁବାସିତ ରଖିହେବ ଜାଣି ରଖନ୍ତୁ ।
ଫୁଲ: ଆପଣ ଘରେ ଫୁଲଦାନିରେ ତାଜା ଫୁଲ ରଖିପାରିବେ । ଏହା ନା କେବଳ ସୁନ୍ଦର ଏବଂ ଆକର୍ଷଣୀୟ ଲାଗିବ ବରଂ ଏହାର ପ୍ରାକୃତିକ ମହକରେ ଘର ସୁଗନ୍ଧିତ ହୋଇ ଉଠିବ । ଶୁଖିଯାଇଥିବା ଫୁଲକୁ ନ ଫିଙ୍ଗି ଝରକାରେ ଅବା ଟେବୁଲ୍ ଉପରେ ବାନ୍ଧିରଖନ୍ତୁ । ଏପରି କରିବା ଦ୍ୱାରା ଆପଣ ଯେବେ ବି ଫ୍ୟାନ୍ ଖୋଲିବେ ଅବା ଝରକା ଦେଇ ପବନ ଆସିବ ଘର ଭିତରର ବାତାରଣ ସମ୍ପୂର୍ଣ୍ଣ ଫ୍ରେଶ୍ ଲାଗିବ । ଆପଣ ଚାହିଁଲେ ତାଜା ଫୁଲର ପାଖୁଡ଼ା ନେଇ ପାଣିରେ ଭଲ ଭାବେ ପ୍ରାୟ ଅଧ ଘଣ୍ଟା ଫୁଟେଇ ଦେବେ ଉକ୍ତ ପାଣିକୁ ଛାଣି ସ୍ପ୍ରେ ବୋତଲରେ ରଖିପାରିବେ । ଏହି ଫ୍ଲୋରାଲ ସ୍ପ୍ରେକୁ ଘରେ ପକାଇଲେ ଘର ମହକିବ ।
କର୍ପୂର: ଏହା ମଧ୍ୟ ଏକ ଭଲ ପ୍ରାକୃତିକ ଫ୍ରାଗ୍ନାନ୍ସ ପ୍ରଡକ୍ଟ । ଏହାକୁ ଡ୍ରଇଂ ରୁମ୍ ଏବଂ ଅନ୍ୟାନ୍ୟ ରୁମ୍ରେ ରଖିପାରିବେ । ଏହା ପବନ ସଂସ୍ପର୍ଶରେ ଆସିବା ଦ୍ୱାରା ଧୀରେ ଧୀରେ ଉଡ଼ିଯାଇଥାଏ ଏବଂ ଘର ଭିତରେ ଏହାର ମହକ ଖେଳିଯାଏ ।
ଗୋଲାପ ଜଳ: ଘର ଭିତରେ ହେଉ କିମ୍ବା ବାଲକୋନିରେ ଥିବା ଗଛରେ ଗୋଲାପ ଜଳ ସ୍ପ୍ରେ କରନ୍ତୁ । ପବନ ଚଳାଚଳ ସହିତ ଏହାର ସୁଗନ୍ଧ ଆପଣଙ୍କୁ ଏକ ଫ୍ରେଶ୍ ବାତାବରଣ ଯୋଗାଇବ ।
କଫି: ଏହାର ମହକ ମୁଡ୍ଫ୍ରେସ୍ କରିବାରେ ବେଶ୍ ସାହାଯ୍ୟ କରିଥାଏ । ଏକ ଛୋଟ ଜାଗାରେ କଫି ପାଉଡର କାଢ଼ି ଟେବୁଲ ଉପରେ ରଖିଦିଅନ୍ତୁ । ଏହା ବ୍ୟତୀତ କଫି କ୍ୟାଣ୍ଡେଲ୍ ଜଳାଇବା ଦ୍ୱାରା ମଧ୍ୟ ଏହାର ସୁଗନ୍ଧ ସାରା ଘରକୁ ଖେଳିଯିବ ।
ବେକିଂ ସୋଡ଼ା ଏବଂ ଲେମ୍ବୁ: ଲେମ୍ବୁର ବାସ୍ନା ଏଭଳି ତାହା ଆଖପାଖରେ ହେଉଥିବା ଦୁର୍ଗନ୍ଧକୁ ଦୂର କରିଦିଏ । ତେଣୁ ଏକ ପାତ୍ରରେ ଅଳ୍ପ ପାଣି ସହ କିଛି ଟୋପା ଲେମ୍ବୁରସ ମିଶାଇ ରଖନ୍ତୁ କିମ୍ବା ଏକ କାଚ ବୋତଲରେ ବେକିଂ ସୋଡ଼ା ଏବଂ ଲେମ୍ବୁକୁ ଛୋଟ ଛୋଟ କାଟି ଘରର ଏକ ପାଶ୍ୱର୍ରେ ରଖନ୍ତୁ । ଏଥିରୁ ବାହାରୁଥିବା ମୃଦୁ ମୃଦୁ ସୁଗନ୍ଧ ଆପଣଙ୍କୁ ବେଶ୍ ଭଲ ଲାଗିବ ଏବଂ ଫ୍ରେଶ୍ ଲାଗିବ ।


