ଘରଚଟିଆଙ୍କ ସୁରକ୍ଷା ପାଇଁ ଯୁବ ସ୍ୱେଚ୍ଛାସେବୀ ବ୍ରହ୍ମାନନ୍ଦଙ୍କ ସଚେତନତା କାର୍ଯ୍ୟକ୍ରମ
ଆସିକା, (ୱାଇଏନ୍ଏସ୍):ଘରଚଟିଆକୁ ନିଜ ଘର ବାରଣ୍ଡାରେ ଆଶ୍ରୟ ଦିଅନ୍ତୁ, ଘରଚଟିଆ ପକ୍ଷୀ ଲୋପ ପାଇବା ପକ୍ଷରୁ ସେମାନଙ୍କୁ ସୁରକ୍ଷା ଦିଅନ୍ତୁ ଓ ନିଜ ଦାଣ୍ଡଦୁଆରରେ ଫୁଲ ଗଛଟିଏ ଲଗାନ୍ତୁ ଇତ୍ୟାଦି ବାର୍ତ୍ତା ନେଇ ଯୁବ ସମାଜସେବୀ ଏ. ବ୍ରହ୍ମାନନ୍ଦ ଆଚାରୀ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ତାଙ୍କର ଏହି ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଥିବା ଲକ୍ଷ୍ୟ କରାଯାଇଛି । ବିଶ୍ୱ ଘରଚଟିଆ ଦିବସ ଅବସରରେ ଗୁରବାର କବିସୂର୍ଯ୍ୟନଗର ଏନ୍ଏସି ଅଧିନସ୍ଥ ଦେଶୀବେହେରା ସାହିର ଯୁବ ସ୍ୱେଚ୍ଛାସେବୀ ଏ. ବ୍ରହ୍ମାନନ୍ଦ ଆଚାରୀ ଦର୍ଶକଙ୍କ ମନ ମୋହିଲା ଭଳି ବେଶଭୂଷାରେ ସଜ୍ଜିତ ହୋଇ ସାହିବସ୍ତିକୁ ଘୁରି ବୁଲି ଘରଚଟିଆ ମାନଙ୍କ ସୁରକ୍ଷା ଓ ସେମାନଙ୍କ ବଂଶ ବିସ୍ତାର ପାଇଁଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଥିବା ଦେଖିବାକୁ ମିଳିଥିଲା । ଅତୀତରେ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଘର ଚଟିଆ ମାନଙ୍କ ଚଳପ୍ରଚଳ ଥିଲା । କିନ୍ତୁ ସାଂପ୍ରତିକ ପରିସ୍ଥିତିରେ ନାନା କାରଣରୁ ଏହି ଘରଚଟିଆ ପକ୍ଷୀ ମାନେ ନିଜର ଅସ୍ଥିତ୍ୱ ହରାଇବାକୁ ବସିଲେଣି । ଘରଚଟିଆ ଛୋଟିଆ ପକ୍ଷୀଟିଏ ହୋଇଥିଲେ ବି ତାର କିଚିରି ମିଚିରି ଶବ୍ଦରେ ଆଖପାଖ ପରିବେଶ ଫାଟି ଉଠିଥାଏ । ଦୈନନ୍ଦିନ ଜୀବନରେ ଆମ ଚାରିପଟେ ଯେତେସବୁ ପକ୍ଷୀ ରହିଛନ୍ତି ସେମାନଙ୍କ ମଧ୍ୟରୁ ଅତି ଛୋଟିଆ ପକ୍ଷୀ ଘରଚଟିଆ ଅନ୍ୟତମ । ଭୋର ସମୟରେ ଘରଚଟିଆ ପକ୍ଷୀର ରାବ ଶୁଣି ନିଦ ଭାଙ୍ଗି ଯାଇଥାଏ । ସେଥିପାଇଁ ଘରଚଟିଆ ପକ୍ଷୀକୁ ପ୍ରାକୃôତିକ ଆଲ୍ରାମ୍ କହିଲେ ବି ଅତ୍ୟୁକ୍ତି ହେବ ନାହିଁ ହେଲେ ଘରଚଟିଆ ପକ୍ଷୀକୁ ଆଉ ପୂର୍ବଭଳି ଦେଖିବାକୁ ମିଳୁନାହିିଁ । ଗ୍ରାମାଂଚଳ ଓ ସହରାଂଚଳରେ ଝାଟିମାଟି ଓ ଚାଳଘର ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଥିବା ଯୋଗୁଁ ଏହି ଘରଚଟିଆ ପକ୍ଷୀଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ସମୟ ବଦଳିବା ସହ ଆଧୁନିକତାକୁ ତାଳ ଦେଇ ଗ୍ରାମାଂଚଳରୁ ଦୂରେଇ ସହରମୁହାଁ ହେବାରେ ଲାଗିଛନ୍ତି ବହୁ ବ୍ୟକ୍ତି । ସେହିିଭଳି ଗ୍ରାମାଚଂଳରେ ମଧ୍ୟ ଦେଖିବାକୁ ମିଳୁଛି ସହରୀ ସଭ୍ୟତାର ଛାପ । ଏହିଭଳି ପରିବର୍ତ୍ତନ ଭିତରେ ନିଜକୁ ଖାପ ଖୁଆଇ ବଂଚିପାରୁ ନାହିଁନ୍ତି ଘରଚଟିଆ । ଯାହାରି ଫଳରେ ବିଲୁପ୍ତ ପ୍ରାୟ ହେବାକୁ ବସିଛି ଘରଚଟିଆ ପକ୍ଷୀ । ଗ୍ରାମାଚଂଳ ଓ ସହରାଂଚଳରେ ଚାଳଘର ନଥିବା ଯୋଗୁଁ ଜନମାନସରୁ ହଜିବାରେ ବସିଛନ୍ତି ଘରଚଟିଆ ପକ୍ଷୀ । ଘରଚଟିଆ ପକ୍ଷୀଙ୍କ ସୁରକ୍ଷା ପାଇଁ ଗତ ୨୦୧୦ ମସିହା ଠାରୁ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସ ୨୦ ତାରିଖକୁ ବିଶ୍ୱସ୍ତରରେ ଘରଚଟିଆ ଦିବସ ଭାବେ ପାଳନ କରାଯାଉଛି । କ୍ଷୁଦ୍ର ପକ୍ଷୀ ଘରଚଟିଆ ଜନମାନସରୁ ଦୂରେଇ ଯିବା ପୂର୍ବରୁ ସାଧାରଣଜନତା ଏହି ବିରଳ ପ୍ରଜାତିର ପକ୍ଷୀଙ୍କ ସୁରକ୍ଷା ଓ ବଂଶବିସ୍ତାର ପାଇଁ ଆଗେଇ ଆସି କାର୍ଯ୍ୟ କରିବାକୁ ଯୁବ ସ୍ୱେଚ୍ଛାସେବୀ ଏ. ବ୍ରହ୍ମାନନ୍ଦ ଆଚାରୀ ସଚେତନତା ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି ।