ଘରପଛପଟୁ ଗଳିତ ଶବ ଉଦ୍ଧାର, ସ୍ୱାମୀ ହତ୍ୟାକରି ପୋତିଥିବା ସନ୍ଦେହ
ହାଟଡ଼ିହି, (ସୌମ୍ୟରଞ୍ଜନ ଆଚାର୍ଯ୍ୟ ), କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଧିନସ୍ଥ ଅଣା ଗ୍ରାମରୁ ଆଜି ଜଣେ ମହିଳାଙ୍କ ଗଳିତ ଶବକୁ ଘର ପଛପଟୁ ପୋତାଯାଇଥିବା ଅବସ୍ଥାରେ ଉଦ୍ଧାର କରିଛି ପୁଲିସ । ଗତ ରଜ ସମୟରୁ ନିଖୋଜ ହୋଇଯାଇଥିବା ଗ୍ରାମର ମଧୁସ୍ମିତାଙ୍କ ଶବ ବୋଲି ପୁଲିସ ଅନୁମାନ କରୁଛି । ଏହି ଘଟଣାରେ ପୁଲିସ କାହାକୁ ଗିରଫ କରିନଥିବାବେଳେ ମହିଳାଙ୍କ ଶ୍ୱଶୁର ଓ ଦିଅରକୁ ପଚରାଉଚରା କରୁଛି । ଅନକ୍ଷପକ୍ଷରେ ମହିଳାଙ୍କ ସ୍ୱାମୀ ଫେରାର ହୋଇଯାଇଥିବାରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସାଧାରଣରେ ଆଲୋଚନା ହେଉଛି । ସୁଚନା ରୁ ଜଣାଯାଇଛି ଯେ ଗ୍ରାମର ପ୍ରସାନ୍ତ ମଲ୍ଲିକଙ୍କ ପୁଅ ପ୍ରଦୀପ ମଲ୍ଲିକ ପୁର୍ବରୁ ନୁଆରମ୍ପାସ ଗ୍ରାମରୁ ବିବାହ କରିଥିବାବେଳେ ଗତ ୮ବର୍ଷ ପୁର୍ବେ ଯାତ୍ରା ପାର୍ଟିରେ କାମ କରୁଥିବା ସମୟରେ ମଧୁସ୍ମିତା ନାମକ ଜଣେ ଯୁବତୀକୁ ଭଲପାଇ ଘରେ ଆଣି ରଖିଥିଲା । ପ୍ରଦୀପଙ୍କ ପ୍ରଥମ ସ୍ତ୍ରୀଙ୍କ ସହ ମାନ ମନାନ୍ତର ହେବାରୁ ପ୍ରଥମପତ୍ନୀ ବାପଘରକୁ ପଳାଇଥିଲା । ପ୍ରଦୀପ ମଧୁସ୍ମିତାଙ୍କ ସହ ଘରେ ରହୁଥିବାବେଳେ ତାଙ୍କର ଗୋଟିଏ ୭ବର୍ଷର ପୁଅଟିଏ ମଧ୍ୟ ଅଛି । କିନ୍ତୁ ଗତ କିଛକିମାସ ହେଲା ସ୍ୱାମୀ ସ୍ତ୍ରୀ ମଧ୍ୟରେ ବାରମ୍ବାର ଝଗଡା ଲାଗିବା ଓ ପ୍ରଦୀପ ମଧୁସ୍ମିତାକୁ ପିଟାମରା କରୁଥିବା ନେଇ ମଧୁସ୍ମିତା ଗତ ରଜ ପୁର୍ବରୁ ଥାନାରେ ଅଭିଯୋଗ କରିବାକୁ ଯାଇଥିଲା । କିନ୍ତୁ ଗତ ରଜ ପରଠାରୁ ଆଉ ମଧୁସ୍ମିତାଙ୍କ ଖୋଜ ଖବର ମିଳିନଥିଲା । ଏପରିକି ପ୍ରଦୀପ ମଧ୍ୟ ଘର ଛାଡି କେଉଁଆଡେ ପଳାଇଥିଲା । ଗତ ଦୁଇ ତିନିଦିନ ହେଲା ପ୍ରଦୀପଙ୍କ ଘର ପଛପଟୁ ଦୁର୍ଗନ୍ଧ ଆସିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଏନେଇ ସନ୍ଦେହ ଉପୁଜିବା ପରେ କେହି ଏ ସମ୍ପର୍କରେ ପୁଲିସକୁ ଜଣାଇ ଦେଇଥିଲେ । ଗତକାଲି ଅପରାହ୍ନରେ ନନ୍ଦିପଦା ପୁଲିସ ପ୍ରଦୀପଙ୍କ ଘରେ ପହଞ୍ଚି ତଦନ୍ତ କରିବା ସମୟରେ ଘର ପଛପେଟ ମହିଳାଙ୍କୁ ପୋତାଯାଇଥିବା ସନ୍ଦେହ କରି ପରିବାର ଲୋକଙ୍କୁ ପଚରା ଉଚୁରା କରିଥିଲେ । ମାତ୍ର ପରିବାର ଲୋକେ ପୁଲିସକୁ କୌଣସି ସନ୍ତୋଷ ଜନକ ଉତ୍ତର ଦେଇନଥିଲେ । ରାତି ହୋଇଯିବାରୁ ପୁଲିସ ତଦନ୍ତକୁ ଅଧିକ ବାଟ ଆଗେଇ ନପାରି ଘଟଣାସ୍ଥଳରେ ରାତି ସାରା ପୁଲିସ ମୃତୟନ କରିଥିଲା । ଏପରିକି ମଧୁସ୍ମିତାର ପୁଅ ଯେତେେବେଳେ ମାକୁ ଖୋଜେ ପରିବାର ଲୋକେ ସେ ଯାତ୍ରାପାର୍ଟିକୁ ପଳାଇଛି ବୋଲି କହି ବୁଝାଇ ଦେଇଥାନ୍ତି । ଆଜି ମଧ୍ୟାହ୍ନରେ ଆନନ୍ଦପୁର ଏସଡିପିଓ ଚାର୍ଜରେ ଥିବା ଘଟଗାଁ ଏସଡିପିଓ ରବିନ୍ଦ୍ର ମଲ୍ଲିକ, ମାଜିଷ୍ଟେଟ ତଥା ହାଟଡିହି ତହସିଲଦାର ଗାୟତ୍ରୀ ସୋରେନ, ନନ୍ଦିପଦା ଥାନା ଆଇଆଇସି ମାନସ ସ୍ୱାଇଁ, ଏସ.ଆଇ ଅରୁପ ସାମଲ, କେନ୍ଦୁଝର ସାଇଣ୍ଟିଫିକ ଟିମ, ଏସ.ଆଇ ସୂର୍ଯ୍ୟକାନ୍ତ ସେଠୀ ପ୍ରମୁଖ ଉପସ୍ଥିତ ରହି ଉକ୍ତ ସ୍ଥାନକୁ ଖୋଳିବାପରେ ଘରପଛ ପଟରୁ ଗଳିତ ଶବକୁ ଉଦ୍ଧାର କରାଯାଇଛି । ଶବଟିକୁ ପୋତାଯିବା ପରେ ତା ଉପରେ ମେଣ୍ଟଲ ପଥର ପକାଇ ଦିଆଯାଇଥିଲା । ଉଦ୍ଧାର ହୋଇଥିବା ଶବଟି ମଧୁସ୍ମିତାଙ୍କର ବୋଲି ପୁଲିସ ଅନୁମାନ କରୁଛି । ଶବଟିକୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପୋଷ୍ଟମଟମ ପାଇଁ ପଠାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଷ୍ପଷ୍ଟ ହେବ ବୋଲି ଏସ.ଡି.ପି.ଓ ଶ୍ରୀ ମଲ୍ଲିକ କହିଛନ୍ତି । ସେହିପରି ପ୍ରଦୀପ ତା ରହୁଥିବା ଘରେ ଚାବି ପକାଇ ଫେରାର ହୋଇଯାଇଥିବାରୁ ସେ ଏହି ଘଟଣାରେ ସମ୍ପୃକ୍ତ ବୋଲି ଆଲୋଚନା ହେଉଛି । ପୁଲିସ ଏବେ ପ୍ରଦୀପକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି ।