ଘରବାହୁଡାଙ୍କ ପଞ୍ଜୀକରଣ ପାଇଁ ପଞ୍ଚାୟତରେ ଭିଡ, ଘର ଘର ବୁଲୁଛନ୍ତି ଆଶା ଓ ଅଙ୍ଗନୱାଡି କର୍ମୀ
ବନ୍ତ,(ଚାନ୍ଦିନୀ ମହାନ୍ତି):କରୋନା ଲକ୍ ଡାଉନ୍ ପାଇଁ ରାଜ୍ୟର ବହୁ ଓଡିଆ ଲୋକ ବାହାରେ ରହୁଥିବା ବେଳେ ସେମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏନେଇ ଶୁକ୍ରବାର ରାଜ୍ୟ ସରକାର ଏକ ୱେବ୍ ପୋର୍ଟାଲ ଖୋଲିବା ସହିତ ପ୍ରତି ପଞ୍ଚାୟତରେ ଅଫ୍ଲାଇନ୍ ମାଧ୍ୟମରେ ଆବେଦନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି । ଏହାକୁ ତଦାରଖ କରିବା ପାଇଁ ପ୍ରତି ପଞ୍ଚାୟତରେ ଜଣେ ଲେଖାଏ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ଏପରିପେକ୍ଷୀରେ ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତକୁ ପ୍ରଶାସନ ପକ୍ଷରୁ ଆବେଦନ ଫର୍ମ ଯୋଗାଇ ଦିଆଯାଇଛି । ଗତ ଦୁଇ ଦିନ ମଧ୍ୟରେ ବିଭିନ୍ନ ପଞ୍ଚାୟତରେ ବାହାରେ ରହୁଥିବା ଲୋକ ମାନଙ୍କ ସମ୍ପର୍କୀୟ ମାନେ ଫର୍ମ ନେବା ଏବଂ ଆବେଦନ କରିବା ପାଇଁ ଭିଡ ଜମାଇଛନ୍ତି । ରବିବାର ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ବ୍ଲକର ବନ୍ତ ପଞ୍ଚାୟତରେ ୧୩୨, ପଧାନପଡାରେ ୨୦୦, ସେଣ୍ଢତୀରାରେ ୩୦୦, ନିଳୋକରେ ୧୦୦, ଅଣିଜୋରେ ୨୫୦, ବଡବର୍ଚ୍ଚିକୟାଁରେ ୧୩୦, ବଡମହିଷଗୋଠରେ ୧୫୦, ଚାରିଗାଁରେ ୪୫୦, ଗୋପିନାଥପୁରରେ ୧୬୦, ବିଟିପୁରରେ ୧୧୫, ଓଡଙ୍ଗରେ ୩୧୨ ଜଣେ ଲୋକଙ୍କୁ ଆବେଦନ ଫର୍ମ ଦିଆଯାଇଥିବା ଜଣାଯାଇଛି । କେନ୍ଦୁଆପଦା ପଞ୍ଚାୟତରେ ଆଶା ଓ ଅଙ୍ଗନୱାଡି କର୍ମୀ ମାନେ ଘର ଘର ବୁଲି ବାହାରେ ରହୁଥିବା ଓଡିଆ ଲୋକ ମାନଙ୍କ ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ କରୁଥିବା ଜଣାଯାଇଛି । ସେହିପରି ସଟ୍ ଡାଉନ୍ ଯୋଗୁ ଅନ୍ୟ କେତେକ ପଞ୍ଚାୟତରେ ଲୋକ ମାନେ ଆବେଦନ ଫର୍ମ ନେଇନଥିବା ଜଣାଯାଇଛି ।


