ଘରୁ ଡ଼ାକିନେଇ ବନ୍ଧୁଙ୍କୁ ହତ୍ୟା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ ଥାନା ଅଧିନ ଲକ୍ଷ୍ମୀପୁର ପଞ୍ଚାୟତ ଅନ୍ତର୍ଗତ ବେତାରସିଂ ଗ୍ରାମରେ ଗୁରୁବାର ରାତିରେ ଜଣକୁ ଘରୁ ଡ଼ାକିନେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି l ମୃତକ ଜଣକ ହେଲେ ଉକ୍ତ ଗ୍ରାମର ମଣି ଭୂୟାଁ(୪୫) l ଅଭିଯୁକ୍ତ ଜଣକ ନରେନ୍ଦ୍ର ଶବର(୩୨) ହତ୍ୟାକାଣ୍ଡ ଭିଆଇ ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡିଛି l ପ୍ରକାଶ ଯେ, ଗୁରୁବାର ରାତ୍ର ପ୍ରାୟ ନଅଟା ବେଳେ ଅଭିଯୁକ୍ତ ନରେନ୍ଦ୍ର ଶବର ମାତ୍ରାଧିକ ନିଶାଶକ୍ତ ହୋଇଥିବାରୁ ପ୍ରଥମେ ଲକ୍ଷ୍ମଣ ଭୂୟାଁ ଙ୍କୁ ତା’ର ନିଜ ଘରକୁ ସାଙ୍ଗରେ ନେଇ ଛାଡ଼ିଦେବାକୁ କହିଥିଲା l କିନ୍ତୁ ଲକ୍ଷ୍ମଣ ଭୂୟାଁ ଥକି ଯାଇଥିବା କହି ସାଥିରେ ଯିବାକୁ ବାରଣ କରିଥିଲେ l ଶେଷରେ ଅଭିଯୁକ୍ତ ନରେନ୍ଦ୍ର ମଣି ଭୂୟାଁଙ୍କୁ ସଲାସୁତରା କରି ଘରେ ଛାଡିବାକୁ ଡାକି ନେଇଥିଲା l ଯେତେବେଳେ ଦୁହେଁ ଘରେ ପହଁଞ୍ଚିଲେ ସେତେବେଳେ ଅଭିଯୁକ୍ତ ନିଜ ଘରେ ରଖିଥିବା କାଙ୍କ ବାହାର କରି ମଣି ଭୂୟାଁଙ୍କ ମୁଣ୍ଡରେ ଆକ୍ରମଣ କରି ହତ୍ୟା କରିଥିଲା l ଫଳରେ ଘଟଣା ସ୍ଥଳରେ ହିଁ ମଣି ଭୂୟାଁଙ୍କ ମୃତ୍ୟୁ ହୋଇଯାଇଥିଲା I ହତ୍ୟା ପରେ ଅଭିଯୁକ୍ତ ରାୟଗଡ଼ ଥାନା କୁ ଯାଇ ଆତ୍ମସମର୍ପଣ କରିଥିଲା l ଘଟଣାକୁ ନେଇ ମୃତକଙ୍କ ଭାଇ ଲକ୍ଷ୍ମଣ ଭୂୟାଁ ରାୟଗଡ଼ ଥାନା ରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ କୁ ଭିତ୍ତିକରି ରାୟଗଡ଼ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଘଟଣା ସ୍ଥଳରେ ପହଞ୍ଚି କେସ ନଂ୬୦/୨୩ ରେ ମାମଲା ରୁଜୁ କରି ମୃତ ଦେହ କୁ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ