ଘରୁ ୬ କ୍ଵିଣ୍ଟାଲ ୭୯ କିଲୋ ଗଞ୍ଜେଇ ସହ ମାଫିଆ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଞ୍ଜେଇ ମାଫିଆ ମାନେ କାର, ଟ୍ରକ, ବସ ଓ ବାଇକରେ ଅଭିନବ ଉପାୟରେ ଗଞ୍ଜେଇ ରାଜ୍ୟ ବାହାରକୁ ଚାଲାଣ କରୁଥିବା ସମୟରେ ପୁଲିସ ହାବୁଡରେ ପଡୁଥିବା ବେଳେ ଅଡବା ପୁଲିସ ଏକ ଦୁର୍ଗମ ଗ୍ରାମରୁ ବିପୁଳ ପରିମାଣର ଗଞ୍ଜେଇ ଜଣେ ବ୍ୟକ୍ତିଙ୍କ ଘରୁ ଜବତ କରିବାରେ ସଫଳ ହୋଇଛି । ସୂଚନା ଯୋଗ୍ୟ ବିଶେଷ ସୂତ୍ରରୁ ଖବର ପାଇ ଗଜପତି ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ରା.ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକ ଓ ପାରଳାଖେମୁଣ୍ଡି ଡିଏସପି କୈଳାଶ ଚନ୍ଦ୍ର ବୁରୁଦାଙ୍କ ତତ୍ତ୍ଵାବଧାନରେ ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ଏସଆଇ ହୃଷିକେଶ ପଣ୍ଡା ଏବଂ କର୍ମଚାରୀମାନେ ମିଳିତ ଭାବେ ଗୁଲୁବା ପଞ୍ଚାୟତ ଅନ୍ତର୍ଗତ ବାରଲାଗୁଡ଼ା ଗ୍ରାମର ତିଳେଶ୍ଵର ନାୟକ (୩୭)ଙ୍କ ଘରେ ସୋମବାର ଭୋରରୁ ପୁଲିସ ଟିମ ଚଢ଼ାଉ କରିଥିଲେ। ତାଙ୍କ ଘରୁ ୨୧ଟି ଜରି ବସ୍ତାରେ ରଖାଯାଇଥିବା ୬ କ୍ଵିଣ୍ଟାଲ ୭୯ କିଲୋ ଏ ଗଞ୍ଜେଇ ସବୁକୁ ଜବତ କରିବା ସହ ତିଲେଶ୍ଵରକୁ ମଧ୍ୟ ଗିରଫ କରିଥିଲେ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ବଜାରରେ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ । ମାଜିଷ୍ଚ୍ରେଟ ଦାୟିତ୍ୱରେ ରହିଥିବା ଅତିରିକ୍ତ ତହସିଲଦାର ହିମାଂଶୁ ଶେଖର ପଲାଇଙ୍କ ଉପସ୍ଥିତିରେ ଗଞ୍ଜେଇ ବସ୍ତା ଗୁଡିକୁ ଓଜନ କରାଯାଇଥିଲା। ଅଡବା ଥାନା କେସ ନଂ ୩୯/୨୨ ରେ ମାମଲା ରୁଜୁ ହେବା ସହ ଗଞ୍ଜେଇ ମାଫିଆ ନାୟକକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି ।