ଘରେଘରେ ପାଳିତ ହେଲା ଷଠି ଓଷା

ନିମାପଡା, (ସନ୍ତୋଷ ଦାଶ):ଭାଦ୍ରବ ଶୁକ୍ଳ ଷଷ୍ଠୀରେ ପ୍ରତି ଓଡ଼ିଆ ଘରେ ଷଠିଓଷା ପାଳିତ ହୋଇଛି। ଶିଶୁମାନଙ୍କ ମଙ୍ଗଳ କାମନା କରି ଏଇ ପୂଜାଟି ଘରର ମହିଳା ମାନେ କରିଥାନ୍ତି । ଦେବୀ ଷଷ୍ଠୀ ହେଉଛନ୍ତି କାର୍ତ୍ତିକେୟଙ୍କ ପତ୍ନୀ ଦେବସେନା ଯାହାଙ୍କୁ କୌମାରୀ ରୂପେ ମଧ୍ୟ ଜଣାଯାଏ। ଷଠୀ ବୁଢ଼ୀ , ତା’ର ସବୁ ପିଲାଙ୍କୁ ପଣତ କାନି ରେ ଘୋଡେଇ ରଖିଥାଏ ସାରୁ, ବଜ୍ରମୂଳି, ଅପମାରଙ୍ଗ,ବାଉଁଶ, ବରକୋଳି,ଓଲୁଅ ଡାଳକୁ ନେଇ ବଜ୍ରମୂଳି ଭାବରେ ମା ଷଠୀ ଦୂଷେଇଙ୍କ ପାଖରେ ପୂଜା ହୁଏ।ଶୀଳ ଓ ଶିଳପୁଆକୁ ମା ଷଠି ଦେବୀ ମନେ କରି ଭାତ, ଡାଲି, ମାଛ ଭଜା, ଚକୁଳି ପିଠା, ଦୁଇ ପ୍ରକାର ଶାକାହାରୀ ତରକାରୀ ଭଳି ଛଅ ପ୍ରକାର ଖାଦ୍ୟ ସମର୍ପଣ କରାଯାଏ।ଶିଳପୁଆକୁ ହଳଦୀ କନାରେ ବନ୍ଧାଯାଏ ଓ ତା’ ଉପରେ ହଳଦୀ ରଖାଯାଏ । ଅପାମାରଙ୍ଗ, ବାଉଁଶ, ଧାନ, ବଜ୍ରମୂଳୀ, ସାରୁ ଆଦି ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବନ୍ଧାଯାଏ । ଗୋଟେ ପୂର୍ଣ୍ଣ କୁମ୍ଭ ତା’ ପାଖରେ ରଖାଯାଏ । ଗଳି ଗୁଆ, ସିନ୍ଦୁର ଫରୁଆ, କଜଳ ପାତି ତା’ ପାଖରେ ଥୁଆ ହୁଏ । ତା’ପରେ ଦୁବ, ବରକୋଳି ପତ୍ର ଓ ଅରୁଆ ଚାଉଳରେ ବନ୍ଦାପନା ହୁଏ । ସମସ୍ତେ ପୂଜା ହୋଇଥିବା ହଳଦୀ କନାକୁ ହାତରେ ବାନ୍ଧନ୍ତି ।ରାତିରେ, ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବାନ୍ଧିଥିବା ଗୋଛାରେ ଶିଶୁମାନଙ୍କ ରକ୍ଷାବିଧାନାର୍ଥ ତାଙ୍କ ପିଠିରେ ମାଆ ଆଦି ବର୍ଷୀୟସୀମାନେ ଧୀରେ ଧୀରେ ଆଘାତ କରନ୍ତି । ଯାହାକୁ ଷଠିବାଡ଼ିଆ କହନ୍ତି । ଏତଦ୍ୱାରା ଶିଶୁମାନଙ୍କର ସମସ୍ତ ରିଷ୍ଟ ଖଣ୍ଡିତ ହୋଇଥାଏ ବୋଲି ବିଶ୍ୱାସ ରହିଛି।ଷଠି ଓଷା ଆମ ଓଡ଼ିଆ ପରିବାର ରେ ଏକ ସୁନ୍ଦର ପର୍ବ ଭାବେ ପାଳନ ହୋଇଆସୁଛି କାହିଁ କେତେ କାଳରୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ