ଘରେ ଘରେ ପାଳିତ ହେଲା ଶାମ୍ବ ଦଶମୀ

ନିମାପଡା, (ସନ୍ତୋଷ ଦାଶ):ଆଜି ପୌଷ ମାସ ର ପବିତ୍ର ଶୁକ୍ଳ ଦଶମୀ ତିଥି। ପାରମ୍ପରିକ ପ୍ରଥାନୁସାରେ ଘରେ ପାଳିତ ହୋଇଥିଲା ଶାମ୍ବ ଦଶମୀ। । ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟପୂଜାର ପର୍ବ, ଯେପରି କୁମାରପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ । ବର୍ଷର ବାରମାସ ଯାକ ବିଭିନ୍ନ ପର୍ବପର୍ବାଣି ପାଳିତ ହେଉଥିଲେ ମଧ୍ୟ ମୁଖ୍ୟତଃ ଶ୍ରାବଣ ଅମାବାସ୍ୟା ଚିତାଲାଗିଠାରୁ ପୌଷ ଶୁକ୍ଳ ଦଶମୀ ଶାମ୍ବଦଶମୀ ମଧ୍ୟରେ ଅଧିକାଂଶ ପର୍ବ ପାଳିତ ହୋଇଥାଏ । ଏହି ସମୟ ମଧ୍ୟରେ ପାଳିତ ହେଉଥିବା ପବପର୍ବାଣିରେ ଏଥିପାଇଁ ଗାଉଁଲୀ ଢଗ ରହିଛି ଯଥା-“”ଅଇଲା ଚିତୋଉ ନାନୀ/ ବାରଓଷା ପର୍ବ ସଙ୍ଗରେ ଘେନି, ଶାମ୍ବର ଦଶମୀ ଅଲଣାଦାଉ/ ସବୁ ଓଷା ବାର ଏଇଠି ଥାଉ । ପ୍ରାତଃ ରୁ ଓଡ଼ିଆ ଘରେ ସଧବା ନାରୀମାନେ ନିଜ ସନ୍ତାନ ସନ୍ତତି ଙ୍କ ମଙ୍ଗଳ କାମନା କରି ଶାମ୍ବଦଶମୀ ପର୍ବ ନିଷ୍ଠାର ସହ ପାଳନ କରି ଥିଲେ। ଏହି ପର୍ବର ବିଶେଷତ୍ୱ ହେଉଛି ସୂର୍ଯ୍ୟଙ୍କର ଆକାଶରେ ତିନି ସ୍ଥିତିକୁ ଲକ୍ଷ୍ୟ କରି ଘରେ ତିନି ପ୍ରକାର ଧୂପ ବା ପୂଜା ଅନୁଷ୍ଠିତ ହୋଇଥିଲା। ଅରୁଣୋଦୟ ସମୟରେ ପ୍ରଥମ ଧୂପ । ହିନ୍ଦୁ ନାରୀ ଶୁଦ୍ଧପୂତ ଶୁଚିମନ୍ତ ହୋଇ ବ୍ରାହ୍ମ ମୁହୂର୍ତ୍ତ ରେ ସୂର୍ଯ୍ୟ ନାରାୟଣ ଙ୍କୁ ଫଳମୂଳ ଓ ମିଷ୍ଟାନ୍ନ ଇତ୍ୟାଦି ନୈବେଦ୍ୟ ଲାଗି କରିଥିଲେ। ଏହି ବ୍ରାହ୍ମମୁହୂର୍ତ୍ତରେ ପୂଜାନୈବେଦ୍ୟ ବା ପ୍ରଥମ ଧୂପ ଅନୁଷ୍ଠାନ କରି ସୂର୍ଯ୍ୟପୁରାଣ ପାଠ କରିଥିଲେ । ମଧ୍ୟାହ୍ନରେ ମଧ୍ୟାହ୍ନ ସୂର୍ଯ୍ୟ ତେଜୋଦୀପ୍ତ ଭାସ୍କରଙ୍କୁ ଦ୍ୱିତୀୟ ଧୂପ ଦିଆଯାଇଥିଲା। ଏହା ଶାମ୍ବ ଦଶମୀର ମୁଖ୍ୟ ଧୂପ । ଏଥିରେ ଗଇଁଠା, ଅଟକାଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡ଼ି, ଘଡ଼ଘଡ଼ା ତିଅଣ ଆଦି ଭୋଗ ଲାଗି ହୋଇଥିଲା । ଶେଷଧୂପ ବା ତୃତୀୟ ଧୂପ ହେଉଛି ସନ୍ଧ୍ୟା ସମୟର ଅସ୍ତାଚଳଗାମୀ ସୂର୍ଯ୍ୟଦେବଙ୍କ ନିମିତ୍ତ । ଏହି ଧୂପରେ ମଧ୍ୟ ଏଣ୍ଡୁୁରି, କାକରା, ମାଲପୁଆ, ଗଜା ଆଦି ନୈବେଦ୍ୟ ଅର୍ପଣ କରାଯାଇଥିଲା। କିମ୍ବଦନ୍ତୀ ରହିଛି ଯେ, ଏହି ଶାମ୍ବ ଦଶମୀ ତିଥିରେ କୃଷ୍ଣ ଙ୍କ ପୁତ୍ର ଶାମ୍ବ ସୂର୍ଯ୍ୟ ନାରାୟଣ ଙ୍କୁ ଆରାଧନା କରି କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ। ସେହି କାରଣ ରୁ ପରିବାର ର ସ୍ବାମୀ ଓ ସନ୍ତାନ ଙ୍କୁ ସର୍ବବ୍ୟାଧି ରୁ ମୁକ୍ତି ଦେବାକୁ ଓଡ଼ିଆ ଘରେ ଏହି ପର୍ବ ପାଳନ କରିବାର ବିଧି ରହିଆସିଛି କାହିଁ କେତେ କାଳରୁ। ଶାମ୍ବ ଦଶମୀ ପାଇଁ ପୁର ଠାରୁ ପଲ୍ଲୀ ଉତ୍ସବ ମୁଖର ହୋଇ ପଡ଼ିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ