ଘରେ ଘରେ ମାଣଧାନ ରେ ପୂଜା ପାଇଲେ ମା ଲକ୍ଷ୍ମୀ
ନିମାପଡ଼ା, (ସନ୍ତୋଷ ଦାଶ):ଆଜି ମାର୍ଗଶୀର ମାସର ପବିତ୍ର ଗୁରୁବାର। ଘରେ ଘରେ ମାଣ ବସା ପୂଜା ଭକ୍ତି ଓ ନିଷ୍ଠାର ସହିତ ପାଳନ କରାଯାଇଛି। ମାଣବସା ଓଷା ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ।ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି।ଏହି ପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ। ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ।ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି,ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ ।ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା “ଧାନବେଣୀ”ରେ ସଜାଯାଇଥାଏ।ଧାନକେଣ୍ଡାକୁ ଗୁନ୍ଥି ଏହି ମେଣ୍ଟା ବା ବେଣୀ ତିଆରି କରାଯାଏ ।ଚାଉଳ, ଧାନ ଆଦି ଶସ୍ୟ ମାପିବା ପାଇଁ ମାଣର ବ୍ୟବହାର ହୋଇଥାଏ । ଏହି ଓଷାରେ ଧାନମାଣ ବସାଇ ତାହାକୁ ପୂଜା କରାଯାଉଥିବାରୁ ଓଷାଟି ମାଣବସା ନାମରେ ପରିଚିତ। ମାଣବସା ଗୁରୁବାରର କିମ୍ବଦନ୍ତୀ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ବର୍ଣ୍ଣନା କରାଯାଇଛି।ଏହି ପୁରାଣ ମା ଲକ୍ଷ୍ମୀ ଙ୍କ ନିକଟରେ ପାଠ କରାଯାଇ ଅନ୍ନ, ଡାଲମା, ଭଜା, ଶାଗ, ଖଟା, ଖିରି, ପିଠା ପ୍ରଭୁତି ଭୋଗ ଲାଗି କରିବାପରେ ଘରେ ସମସ୍ତେ ଭୋଜନ କରିଥାନ୍ତି। ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ୱାର ଲିପାପୋଛା କରି ଝୋଟିଚିତା ପକାଇଥାନ୍ତି।ଗୁରୁବାର ଦିନ ବଡ଼ିଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥାନ୍ତି।ଗାଁମାନଙ୍କରେ ମହିଳାମାନେ ମାଟିଘରକୁ ଗୋବରରେ ଲିପାପୋଛା କରି ନୂତନ ଚାଉଳର ପିଠଉରେ ଝୋଟି ଏବଂ ଲକ୍ଷ୍ମୀପାଦରେ ଆଙ୍କନ୍ତି।ଘରର ପ୍ରତ୍ୟକ ଦୁଆର ଅଗଣା କାନ୍ଥ ଓ ଚାରିପାଖ ଝୋଟି ଚିତାଦ୍ୱାରା ସଜାଯାଇଥାଏ। ମାଣ ଖଟୁଲି ଉପରେ ଏକ ନୂଆ ମାଣରେ ଧଳାଧାନ ଭରି ରଖାଯାଏ।ହଳଦୀ ଓ ଗୁଗୁଳ ବାଟି ମାଣର ଉପରପାଶ୍ୱର୍ରେ ଲେପ ଦିଆଯାଏ ଯାହା ଏକ ମୁହଁର ରୂପ ନେଇଥାଏ।ସେଥିରେ କଉଡିକୁ ଆଖିଭାବେ ବ୍ୟବାରକରି ନିଜର ସୃଜନ ଶୈଳିଦ୍ୱାରା ମାଣକୁ ଏକ ସୁନ୍ଦର ମୁହଁର ରୂପ ଦେଇ ଖଟୁଲିରେ ରଖି ତା ଉପରେ ଧାନର ମେଣ୍ଟାକୁ ରଖାଯାଏ।ନାଲିଛିଟ ଓ ସୁନ୍ଦର ପାଟକନାରେ ଓଢଣୀ ଦେଇ ଏହାକୁ ଏକ ନବ ବଧୂର ରୂପ ସଦୃଶ କରାଯାଏ।ମା’ଲକ୍ଷ୍ମୀଙ୍କର ଖଟୁଲି ବା ଆସ୍ଥାନ ଚାରିପଟେ ଷୋଳ ପାଖୁଡା ବିଶିଷ୍ଟ ଦିବ୍ୟ, ପଦ୍ମ ଅଙ୍କନ କରାଯାଇଥାଏ।ଘରର ଚତୁଃପାଶ୍ୱର୍ରୁ ମା’ଙ୍କର ପଦ୍ମ ପାଦର ଚିତା ଆସ୍ଥାନ ପର୍ଯ୍ୟନ୍ତ ଅଙ୍କାଯାଏ । କେହି କେହି ଗବପତ୍ର,ଗୟାତୁଳସୀ,କଳାପାତି,ସିନ୍ଦର ଫରୁଆ ମଧ୍ୟ ରଖିଥାନ୍ତି।ପୂଜା ପାଇଁ ପୂର୍ବରୁ ପ୍ରସ୍ତୁତ କରି ରଖା ଯାଇଥାଏ ଅମଳ ହୋଇଥିବା ଶୁକ୍ଳଧାନ , ମାଣ, ଗୁଆ, କଉଡି, ନଡିଆ, ଦୁବ, ବରକୋଳି ପତ୍ର, ସିନ୍ଦୂର, ଧୂପଦୀପ ଓ ନୈବେଦ୍ୟ।ମାଣ ବସାଇବା ପୂର୍ବରୁ ସେହିମାଣକୁ ହଳଦୀ ପାଣିରେ ଧୋଇ ଖରାରେ ଶୁଖିଯିବା ପରେ ସିନ୍ଦୂର ବୋଳାଯାଏ। ପ୍ରଥମେ ଏକ ଖଟୁଲିରେ କିଛି ନୂଆଧାନ ରଖାଯାଏ।ସିନ୍ଦୂର ବୋଳାଯାଇଥିବା ମାଣ ବା ଗଉଣୀକୁ ଲକ୍ଷ୍ମୀ ଦେବୀଙ୍କର ପ୍ରତୀକ ସ୍ୱରୂପ ନୂଆ ଧଳାଧାନରେ ପୂର୍ଣ୍ଣକରି ତା’ ଉପରେ ଗୁଆ ରଖାଯାଏ।ସେହି ମାଣକୁ ଖଟୁଲି ଉପରେ ବସାଇ ତା’ଉପରେ ଧାନବେଣୀ ରଖି ନୂତନ ପାଟଲୁଗାର ଓଢ଼ଣୀ ଢଙ୍କାଯାଏ।ଲକ୍ଷ୍ମୀଙ୍କୁ ଏକ ନବବଧୂ ବେଶରେ ସଜାଯାଇ ଚନ୍ଦନ ସିନ୍ଦୂର ଆଦି ଦେଇ ସ୍ଥାପନା କରାଯାଏ।ବିଧି ଅନୁଯାୟୀ ଖଟୁଲି ଉପରେ ଲକ୍ଷ୍ମୀଙ୍କର କାଠରେ ନିର୍ମିତ ପ୍ରତିମା,ପାନିଆଁ, ଆଇନା, କଜ୍ଜଳ ଏବଂ ଖଟୁଲି ପାଖରେ ଆଖୁ, ମୂଳା ନିକଟରେ ରଖାଯାଇ ପୂଜା କରାଯାଇଥାଏ। ଏହିପରି ମାସ ର ପ୍ରତ୍ୟେକ ଗୁରୁବାର ମାଣବସାଯାଇ ଶେଷ ଗୁରୁବାର ଦିନ ବ୍ରତ ସାରି ଉଜୁଆଯିବ।ଏହି ଦିନ ପୂର୍ବଭଳି ସମସ୍ତ ନୀତିରେ ମାଣ ବସାଇ ମଣ୍ଡା ପିଠା ଓ ଖିରି ଭୋଗ କରାଯାଏ। ସଞ୍ଜ ଭୋଗ ପରେ ସେହି ମାଣରେ ଥିବା ଧାନକୁ ଆଉ ଏକ ଜାଗାରେ ଅଜାଡ଼ି ରଖାଯାଏ।ପୂଜାର ଅନ୍ୟ ସମସ୍ତ ସଜକୁ ସହକାରେ ନେଇ ପୋଖରୀ ଆଦି ଜଳାଶୟରେ ବିସର୍ଜନ କରାଯାଏ। ଶେଷ ହୋଇଥାଏ ମାର୍ଗଶୀର ମାସର ଗୁରୁବାର ମାଣବସା ଓଷା । ମାଣ ବସା ଓଷା ପାଇଁ ପୁରପଲ୍ଲୀ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।


