ଘରୋଇ ଉଡ଼ାଣ ପାଇଁ ୧ ପ୍ରତିଶତ ଭାଟରେ ଇନ୍ଧନ ଯୋଗାଣ: ଅସିତ ତ୍ରିପାଠୀ

ଭୁବନେଶ୍ୱର: ଘରୋଇ ଉଡ଼ାଣ ପାଇଁ ୧ ପ୍ରତିଶତ ଭାଟରେ ଇନ୍ଧନ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି । ଭୁବନେଶ୍ୱରରେ ବିଭିନ୍ନ ଏୟାରଲାଇନ୍ସ ସିଇଓଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ ପରେ ଶ୍ରୀ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସିଙ୍ଗାପୁର, ବ୍ୟାଙ୍ଗକ, ଆବୁଧାବି କିମ୍ବା ଦୁବାଇକୁ ବିମାନ ଚଳାଚଳ ପାଇଁ ପ୍ରସ୍ତାବ ଦିଆଯାଇଛି । ପ୍ରୟାଗରାଜ ଓ କଲାଇକୁଣ୍ଡାକୁ ବିମାନ ଉଡ଼ାଣ ପାଇଁ ସୁଯୋଗ ସୃଷ୍ଟି କରାଯାଉଛି । ଉତ୍ତର ପୂର୍ବାଞ୍ଚଳ ଓ ବିମାନ ଯୋଗାଯୋଗ ନଥିବା ଅଞ୍ଚଳ ଉପରେ ଗୁରୁତ୍ୱ ଦିଆଯାଉଛି । ଏସବୁ ଅଞ୍ଚଳକୁ ଘରୋଇ ବିମାନ ଉଡ଼ାଣ ପାଇଁ ପ୍ରସ୍ତାବ ଦିଆଯାଇଥିବା ଶ୍ରୀ ତ୍ରିପାଠୀ କହିଛନ୍ତି ।
ପ୍ରକାଶ ଯେ, ବୁଧବାର ଭୁବନେଶ୍ୱରରେ ବିଭିନ୍ନ ଏୟାରଲାଇନ୍ସ ସିଇଓଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୈଠକ ଚାଲିଥିଲା । ଓଡ଼ିଶାରୁ ଅଧିକରୁ ଅଧିକ ଅନ୍ତର୍ଜାତୀୟ ବିମାନ ଚଳାଚଳ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂ, ଯୁଗ୍ମ ସଚିବ ଉଷା ପାଢୀ, ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ଅଧ୍ୟକ୍ଷ ଅରବିନ୍ଦ ସିଂହ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ବିଭିନ୍ନ ସ୍ଥାନକୁ ୧୩ଟି ନୂଆ ବିମାନ ଚଳାଚଳ ପାଇଁ ଆଲୋଚନା କରାଯାଇଛି । ଭୁବନେଶ୍ୱରରୁ ବେଙ୍ଗଲୁରୁ ଓ ସୁରତକୁ ଗତ ୨୦ରୁ ବିମାନ ଚଳାଚଳ ଆରମ୍ଭ ହୋଇଛି । ୨୪ରୁ ଝାରସୁଗୁଡ଼ାରୁ କୋଲାକାତା ବିମାନ ଉଡ଼ାଣ ନେଇ ନିଷ୍ପତ୍ତି ହୋଇଛି । ୩୧ରୁ ଭୁବନେଶ୍ୱର-ବାରାଣସୀ ମଧ୍ୟରେ ବିମାନ ଚଳାଚଳ ନେଇ ନିଷ୍ପତ୍ତି ହୋଇଛି । ଝାରସୁଗୁଡ଼ା-ମୁମ୍ବାଇ, ପ୍ରୟାଗରାଜ-ଭୁବନେଶ୍ୱର ବିମାନ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ଭୁବନେଶ୍ୱରରୁ ବ୍ୟାଙ୍କକ, ସିଙ୍ଗାପୁର ଓ ଆବୁଧାବି ବିମାନ ଚଳାଚଳ ନେଇ ଆଲୋଚନା ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ