ଘରୋଇ ଚିକିତ୍ସାଳୟରେ ସଙ୍ଗରୋଧ ଶଯ୍ୟା ଦେୟ ଏକ-ତୃତୀୟାଂଶ ହ୍ରାସ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶକ୍ରମେ ଦିଲ୍ଲୀରେ କରୋନା ସଂକ୍ରମଣର ପରିସ୍ଥିତି ଉପରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବ୍ୟକ୍ତିଗତ ଭାବେ ତଦାରଖ କରୁଛନ୍ତି । ଶାହଙ୍କ ନିର୍ଦ୍ଦେଶକ୍ରମେ କେତେଗୁଡିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବା ସହ ୨୪୨ଟି ଆବଧାଞ୍ଚଳରେ ଘରକୁ ଘର ସ୍ୱାସ୍ଥ୍ୟ ସର୍ଭେ କରାଯାଇଛି । ପ୍ରାୟ ୨.୩ ଲକ୍ଷ ଲୋକଙ୍କ ସର୍ଭେ ହେବାର ଜଣାପଡିଛି । ଏହାବ୍ୟତୀତ ନିର୍ଦ୍ଦେଶକ୍ରମେ ନମୁନା ପରୀକ୍ଷା ବୃଦ୍ଧି ସହ ଗତକାଲି ଠାରୁ ରାପିଡ଼ ଆଣ୍ଟିଜେନ ପଦ୍ଧତିରେ ପରୀକ୍ଷଣ କରାଯାଉଛି । ୧୯୩ଟି ପରୀକ୍ଷା କେନ୍ଦ୍ରରେ ଦିନକ ମଧ୍ୟରେ ୭,୦୪୦ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ଆଗାମୀ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି ଜଣାପଡିଛି ।
ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନମୁନା ପରୀକ୍ଷଣର ହାର ମଧ୍ୟ ଦ୍ଵିଗୁଣିତ ହୋଇଛି । ଗତ ୧୫ ରୁ ୧୭ ତାରିଖ ମଧ୍ୟରେ ୨୭,୨୬୩ ପରୀକ୍ଷା କରାଯାଇଥିବା ବେଳେ ଆଗରୁ ଏହା ୪,୦୦୦ ରୁ ୪,୫୦୦ ମଧ୍ୟରେ ସୀମିତ ରହିଥିଲା । ସାଧାରଣ ଲୋକଙ୍କୁ ସହାୟତା ଦେବା ପାଇଁ ନୀତି ଆୟୋଗ ସଦସ୍ୟ ଡଃ ଭି.କେ.ପଲଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ଶାହ ଏକ କମିଟି ଗଠନ କରିଛନ୍ତି, ଯାହାଫଳରେ କି କରୋନା ସଂକ୍ରମିତ ରୋଗୀଙ୍କ ଘରୋଇ ଚିକିତ୍ସାଳୟରେ ଦେୟ ଧାର୍ଯ୍ୟ ହୋଇଛି । ଅବଶ୍ୟ ଏହି ଦେୟ ସଙ୍ଗରୋଧ ଶଯ୍ୟା, ଭେଣ୍ଟିଲେଟର ସହାୟକ ଆଇସିୟୁ ଓ ବିନାଭେଣ୍ଟିଲେଟର ଆଇସିୟୁ ଅନୁସାରେ ଭିନ୍ନ ହେବ ।