ଘରୋଇ ଡାକ୍ତର କରୋନା ପରୀକ୍ଷା ପାଇଁ ସୁପାରିଶ କରିପାରିବେ

ନୂଆଦିଲ୍ଲୀ : ଦେଶରେ ଖୁବ ଶୀଘ୍ର କୋଭିଡ ନମୁନା ପରୀକ୍ଷା ସଂଖ୍ୟା ଏକ କୋଟି ଛୁଇଁବ । ସରକାର ଏଦିଗରେ କେତେଗୁଡିଏ ପ୍ରତିବନ୍ଧକ ହଟାଇଥିବାରୁ ଏହା ସମ୍ଭବ ହେଉଛି । କେନ୍ଦ୍ର ସରକାରଙ୍କ ଦ୍ଵାରା କେତେଗୁଡିଏ ପଦକ୍ଷେପ ନିଆଯିବା ଯୋଗୁଁ ନମୁନା ପରୀକ୍ଷଣର ହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏପର୍ଯ୍ୟନ୍ତ ୯୦,୫୬,୧୭୩ ପରୀକ୍ଷା କରାଯାଇଥିବା ବେଳେ କ୍ରମବର୍ଦ୍ଧିଷ୍ଣୁ ପରୀକ୍ଷାଗାର ଏଥିରେ ସହାୟକ ହୋଇଛନ୍ତି । ଦେଶରେ ଅଦ୍ୟାବଧି ୭୬୮ଟି ସରକାରୀ ଓ ୨୯୭ଟି ଘରୋଇ ଏହିପରି ମୋଟ ୧୦୬୫ଟି ପରୀକ୍ଷାଗାର ରହିଛି । ଦିନ ପିଛା ନମୁନା ପରୀକ୍ଷା ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କେବଳ ଗତକାଲି ୨,୨୯,୫୨୮ ଜଣ ବ୍ୟକ୍ତିଙ୍କ ନମୁନା ପରୀକ୍ଷା କରାଯାଇଛି । ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କ୍ରମେ ବର୍ତ୍ତମାନ ଜଣେ ପଞ୍ଜୀକୃତ ଘରୋଇ ଡାକ୍ତର ମଧ୍ୟ ନମୁନା ପରୀକ୍ଷା ପାଇଁ ସୁପାରିଶ କରିପାରିବେ । କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଯଥାଶୀଘ୍ର ନମୁନା ପରୀକ୍ଷଣ ସଂଖ୍ୟା ବଢାଇବା ସହ ଘରୋଇ ସମେତ ସମସ୍ତ ଯୋଗ୍ୟ ଡାକ୍ତରମାନଙ୍କୁ ଆଇସିଏମଆର ମାର୍ଗଦର୍ଶିକା ଅନୁଯାୟୀ ନମୁନା ପରୀକ୍ଷା ପାଇଁ ବ୍ୟବସ୍ଥା ପତ୍ର ବା ଔଷଧ ଚିଠା ଲେଖିବା ପାଇଁ ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶୀଘ୍ର ରୋଗ ନିରୂପଣ ଓ ସଂକ୍ରମଣ ରୋକିବା ପାଇଁ ‘ଟେଷ୍ଟ-ଟ୍ରେସ-ଟ୍ରିଟ’ ପଦ୍ଧତି ଅବଲମ୍ବନ ହୋଇଥିବାରୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନଗୁଡିକୁ ପରୀକ୍ଷଣ କେନ୍ଦ୍ରଗୁଡ଼ିକର ସଂପୂର୍ଣ୍ଣ ଉପଯୋଗ ପାଇଁ ପରାମର୍ଶ ଦେଇଛନ୍ତି । ଏହା ହେଲେ ଜନସାଧାରଣ ବିଶେଷ ଭାବେ ଉପକୃତ ହୋଇପାରିବେ ।
ଏକ ବିଶେଷ ପଦକ୍ଷେପ ସ୍ୱରୂପ ଆଇସିଏମଆର ବିଭିନ୍ନ ପରୀକ୍ଷାଗାରଗୁଡିକ ଯେକୌଣସି ବ୍ୟକ୍ତିର ପରୀକ୍ଷା କରିପାରିବେ ଓ ରାଜ୍ୟ ସରକାର ଏଥିପାଇଁ କୌଣସି ପ୍ରତିବନ୍ଧକ ହେବେ ନାହିଁ । ସଅଳ ପରୀକ୍ଷା ଭୂତାଣୁ ସଂକ୍ରମଣ ରୋକିବା ସହ ବହୁତ ମୂଲ୍ୟବାନ ଜୀବନ ବଞ୍ଚାଇପାରିବ । କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଆରଟିପିସିଆର ପରୀକ୍ଷାର ବହୁଳ ଉପଯୋଗ ପାଇଁ ପରାମର୍ଶ ଦେଇଛନ୍ତି । ରାପିଡ଼ ଆଣ୍ଟିଜେନ ପରୀକ୍ଷା ସହଜ, ଶୀଘ୍ର ଓ ନିରାପଦ ଏବଂ ଏହା ଆବଧାଞ୍ଚଳ ସମେତ ହସ୍ପିଟାଲଗୁଡିକରେ ମଧ୍ୟ ଆଇସିଏମଆର ନିର୍ଦ୍ଦେଶାବଳୀ ଅନୁସାରେ ମଧ୍ୟ କରାଯାଇପାରିବ । କେନ୍ଦ୍ର ସରକାର ନମୁନା ପରିକ୍ଷାକୁ ଏକ ଅଭିଯାନ ଭାବେ ଗ୍ରହଣ କରି ବିଭିନ୍ନ ଶିବିରର ଆୟୋଜନ ଓ ଭ୍ରାମ୍ୟମାଣ ବାହାନ ଜରିଆରେ ଏହା କରିବାକୁ ପରାମର୍ଶ ଦେଇଛନ୍ତି । ଏହା ଲୋକମାନଙ୍କ ନିକଟରେ ପହଞ୍ଚି ପରୀକ୍ଷା କରାଇବା ସହ ସଂକ୍ରମଣ ରୋକିବାରେ ବିଶେଷ ସହାୟକ ହୋଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ