ଘରୋଇ ବିଦ୍ୟାଳୟ ସଙ୍ଘର ପ୍ରସ୍ତାବକୁ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ସ୍ୱାଗତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସରକାର ଶିକ୍ଷା ଅଧିକାର ଆଇନ-୨୦୦୯ ଉପରେ ନୀତି ନିର୍ଦ୍ଧାରଣ କରୁଥିଲେ ସୁଦ୍ଧା ଏହାର ସୁଫଳ ସାଧାରଣ ଜନତାଙ୍କ ପାଖରେ ଅପହଞ୍ଚ ହୋଇପଡିଛି କାରଣ ଏହାର ପ୍ରଚାର ପ୍ରସାର ଅଭାବ ଓ ଘରୋଇ ବିଦ୍ୟାଳୟମାନଙ୍କର ନିୟମ ଉପରେ ଅଜ୍ଞାନତା । ଯାହା ଫଳରେ କି ଏହି ନିୟମ ପୂର୍ଣ୍ଣ ମାତ୍ରାରେ କାର୍ଯ୍ୟକାରୀ ହୋଇପାରୁ ନାହିଁ କିମ୍ବା ଏହାର ସୁଫଳ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଓ ଆର୍ଥିକ ଅନଗ୍ରସର ଅଭିଭାବକଟିଏ ନେଇ ପାରୁ ନାହିଁ । ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲା ଘରୋଇ ବିଦ୍ୟାଳୟ ସଙ୍ଘର କର୍ମକର୍ତ୍ତାମାନେ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ ପାବନୀ କୁମାର ରାଉତଙ୍କୁ ସୈାଜନ୍ୟ ମୂଳକ ସାକ୍ଷାତ କରି ଏହି ମଣ୍ଡଳରେ ଥିବା ଘରୋଇ ବିଦ୍ୟାଳୟ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ଶିକ୍ଷା ଅଧିକାର ଆଇନ ଉପରେ ଏକ କର୍ମଶାଳା କରିବାକୁ ପ୍ରସ୍ତାବ ଦେଇଥିଲେ । ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ରାଉତ ଏହି ପ୍ରସ୍ତାବକୁ ସ୍ୱାଗତ କରିବା ସହିତ ଚଳିତ ମାସର ଶେଷ ସପ୍ତାହରେ ଏକ କର୍ମଶାଳାର ଆୟୋଜନ କରିବାକୁ ପ୍ରତିଶୃତି ଦେଇଥିଲେ । ସଙ୍ଘ ପକ୍ଷରୁ ନିରଞ୍ଜନ ବେହେରା, ପ୍ରଭାତ ପରିଡା, ରଞ୍ଜନ କୁମାର ବିଶ୍ୱାଳ, ଅଜୟ ପୃଷ୍ଟି, ଆଦିକନ୍ଦ ରାଉଳ, ଚିତ୍ତରଞ୍ଜନ ଆଚାର୍ଯ୍ୟ, ରବୀନ୍ଦ୍ର ଦାଶ ଓ ଏନାମୁଲ ହକ ପ୍ରମୁଖ ଉପସ୍ଥିତ ଥିଲେ ।