ଘରୋଇ ସୁରକ୍ଷାକର୍ମୀଙ୍କୁ ଛୁରୀମାଡ କରି ଲୁଟ୍ , ଦୁଇ ଅଭିଯୁକ୍ତ ଗିରଫ
ଯୋଡା,(ସମୀର କୁମାର ଦାସ):କେନ୍ଦୁଝର ଜିଲା ଯୋଡା ସହରସ୍ଥିତ ଏସାର ପେଟ୍ରୋଲ ପମ୍ପ ସମୁଖରେ ଥିବା ମହିନ୍ଦ୍ରା ଓାର୍କସପ୍ ଠାରେ ଶୁକ୍ରବାର ଅପରାହ୍ନ ୩ ଟା ସମୟରେ ଜଣେ ଘରୋଇ ସୁରକ୍ଷା କର୍ମୀଙ୍କୁ ଛୁରୀମାଡ କରି ଲୁଟ୍ କରିବା ଅଭିଯୋଗରେ ଯୋଡା ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦ୍ୱୟ ହେଲେ ଯୋଡା ମୁଖାର୍ଜୀ ହଟିଂର ରାଜେଶ ପାତ୍ର ଓ ଆମ୍ ବାଗାନ୍ ର ମୁକୁନ୍ଦା ସାଣ୍ଡିଲ୍ । ପୋଲିସର ସୂଚନାନୁଯାୟୀ , ଶୁକ୍ରବାର ଅପରାହ୍ନ ୩ ଟା ସମମୟରେ ମହିନ୍ଦ୍ରା ଓାର୍କସପରେ ସୁରା ନାଏକ ଘରୋଇ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟରତ ଥିଲେ । ଏହି ସମୟରେ ଉକ୍ତ ଦୁଇ ଅଭିଯୁକ୍ତ ସେଠାକୁ ଆସି ସୁରକ୍ଷାକର୍ମୀ ସୁରା ନାଏକଙ୍କୁ ଛୁରାମାଡ କରି ଓାର୍କସପରେ ଥିବା ଏକ ଚାରିଚକିଆ ଗାଡିରୁ ଦୁଇଟି ଚକା ଲୁଟି ନେଇଥିଲେ । ଛୁରାମାଡରେ ଆହତ ହୋଇଥିବା ସୁରା ନାଏକ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଅଭିଯୁକ୍ତ ରାଜେଶ ପାତ୍ରକୁ କାବୁ କରିନେଇ ପୋଲିସରେ ଜିମା ଦେଇଥିଲେ । ସେହିପରି ପୋଲିସ ଶନିବାର ଅନ୍ୟଜଣେ ଅଭିଯୁକ୍ତ ମୁକୁନ୍ଦା ସାଣ୍ଡିଲକୁ ଗିରଫ କରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ପୋଲିସ ସେମାନଙ୍କଠାରୁ ଲୁଟ୍ କରିଥିବା ୨ ଟି ଚକା ଉଦ୍ଧାର କରିବା ସହିତ ଗୋଟିଏ ଛୁରୀ ଜବତ କରିଛି ।


