ଘର ଅପେକ୍ଷା ଅଫିସ୍‌ରେ ଅଧିକ ଖୁସି ରହନ୍ତି ମହିଳା

ଅନେକ ଲୋକେ ଅଫିସ୍‌କୁ ସବୁଠାରୁ ଚାପଯୁକ୍ତ ସ୍ଥାନ ବୋଲି କହିଥାନ୍ତି। ସନ୍ଧ୍ୟା ହେବା ମାତ୍ରେ ଘରକୁ ଫେରିବାକୁ ଅପେକ୍ଷା କରି ବସୁଥିବା ନଜର ଆସିଥାନ୍ତି। ତେବେ ଏହାର ଠିକ୍‌ ଓଲଟା ଜାଣିବାକୁ ମିଳିଛି ଆମେରିକାର ପେନ ଷ୍ଟେଟ୍‌ ୟୁନିଭର୍ସିଟିରେ ହୋଇଥିବା ଗବେଷଣାର ଫଳାଫଳରୁ। ଅନେକ ଲୋକେ ବିଶେଷକରି ମହିଳାମାନେ ନିଜ ଘର ଅପେକ୍ଷା ଅଫିସ୍‌ରେ କମ୍‌ ଚାପ ଅନୁଭବ କରନ୍ତି। ଆପଣ ଭାବୁଥିବେ ଏହା କିପରି ସମ୍ଭବ? ଚାଲନ୍ତୁ ଜାଣିବା ଏହି ଗବେଷଣାର ଫଳାଫଳ ସମ୍ପର୍କରେ।
କିପରି ହୋଇଥିଲା ଗବେଷଣା
ଗବେଷକମାନେ ଗବେଷଣାରେ ସାମିଲ୍‌ ୧୨୨ ଜଣ ପ୍ରତିଯୋଗୀଙ୍କୁ ପୂରା ସପ୍ତାହ କୋର୍ଟିସୋଲ ଅର୍ଥାତ୍‌ ଷ୍ଟ୍ରେସ୍‌ ହରମୋନ୍‌ ସ୍ତର ପରୀକ୍ଷା କରିଥିଲେ। ଏଥିସହିତ ଦିନର ଅଲଗା ଅଲଗା ସମୟରେ ନିଜ ମୁଡ୍‌କୁ ରେଟ୍‌ କରିବା ପାଇଁ କହିଥିଲେ। ଏହି ଗବେଷଣାର ଫଳାଫଳରୁ ଜଣାପଡ଼ିଥିଲା ଯେ ନିଜ ଘର ତୁଳନାରେ କାର୍ଯ୍ୟକ୍ଷେତ୍ରରେ ମହିଳା କମ୍‌ ଚାପ ଅନୁଭବ କରନ୍ତି।
ମହିଳା ବନାମ ପୁରୁଷ
ଏ ସମ୍ପର୍କରେ ଗଭୀର ଭାବେ ଯାଞ୍ଚ କରାଯିବା ପରେ ଗବେଷକମାନେ ଜାଣିବାକୁ ପାଇଥିଲେ ଯେ ମହିଳାମାନେ ଘର ତୁଳନାରେ ଅଫିସ୍‌ରେ ଅଧିକ ଖୁସି ରହିଥାନ୍ତି। ସେହିପରି ପୁରୁଷମାନେ ଅଫିସ୍‌ ତୁଳନାରେ ଘରେ ଅଧିକ ଖୁସି ଅନୁଭବ କରନ୍ତି। ବିଭିନ୍ନ ପ୍ରକାରର ସାମାଜିକ ଓ ଆର୍ଥିକ ବ୍ୟାକ୍‌ଗ୍ରାଉଣ୍ଡରେ ମଧ୍ୟ ଏହି ଫଳାଫଳ ଏକା ଭଳି ନଜର ଆସିଥିଲା।
ଏହାର କାରଣ କ’ଣ
ଗବେଷକମାନଙ୍କ କହିବାନୁସାରେ ଚାକିରିରେ ସନ୍ତୁଷ୍ଟି ଏହାର ସବୁଠାରୁ ବଡ଼ କାରଣ। ଅନେକ ସମୟରେ ଦେଖିବାକୁ ମିଳିଥାଏ ମହିଳାଙ୍କୁ ଯେଉଁ ଚାକିରି ପସନ୍ଦ ନୁହେଁ, ତାହାକୁ ସେ ସହଜରେ ପରିବର୍ତ୍ତନ କରି ତାଙ୍କୁ ଖୁସି ଦେଉଥିବା ଚାକିରି ଖୋଜନ୍ତି। କିନ୍ତୁ ପୁରୁଷଙ୍କୁ ଚାକିରି କ୍ଷେତ୍ରର ସନ୍ତୁଷ୍ଟି ନ ମିଳିଲେ ମଧ୍ୟ ସମାନ ଚାକିରିରେ ରହିଥାନ୍ତି।
କମ୍‌ ଚାପରେ ୱାର୍କିଂ ମମ୍‌
ଏହି ଗବେଷଣାରେ କୁହାଯାଇଛି ଯେ ଛୁଆ ପିଲା ନ ଥିବା ମହିଳାଙ୍କ ତୁଳନାରେ କର୍ମଜୀବୀ ମା’ମାନେ କମ୍‌ ଚାପରେ ରହିଥାନ୍ତି। ସେହିପରି ୱିକ୍‌ଏଣ୍ଡ ଦିନ କର୍ମଚାରୀମାନେ ସବୁଠାରୁ ଅଧିକ ଚାପମୁକ୍ତ ଥାଆନ୍ତି ବୋଲି ଗବେଷଣାରୁ ଜଣାପଡ଼ିଛି। ଏହି ଗବେଷଣା ସମ୍ପର୍କରେ ବିଶେଷଜ୍ଞଙ୍କ କହିବାନୁସାରେ ଅଫିସ୍‌ରେ ମହିଳାମାନେ କେବଳ କାମ ଉପରେ ଧ୍ୟାନ ଦିଅନ୍ତି, ତେଣୁ ସେଠାରେ ସେ କମ୍‌ ଚାପ ଅନୁଭବ କରନ୍ତି। କିନ୍ତୁ ଘରକୁ ଫେରିବା ପରେ ତାଙ୍କୁ ଘର କାମ କରିବାକୁ ପଡ଼ିଥାଏ ଓ ମଲ୍ଟି ଟାସ୍କ ଉଠାଇବାକୁ ପଡ଼ିଥାଏ। ତେଣୁ ସେମାନଙ୍କ ଚାପ ବଢ଼ିଯାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ