ଘର ଗ୍ରିଲ ଭାଙ୍ଗି ଚୋରି ଘଟଣା ଜଣେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ପଞ୍ଚାୟତ ଦାଉଣି ଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକ ଙ୍କ ଘର ଗ୍ରିଲ ଭାଙ୍ଗି ଘର ମଧ୍ୟରୁ ପ୍ରାୟ ୧୪ ଭରି ସୁନା,୨୮ ଭରି ରୁପା ଅଳଙ୍କାର ଏବଂ ନଗଦ ୨ ହଜାର ଟଙ୍କା ଚୋରି ମାମଲା ରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ଙ୍କୁ କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଜଗବନ୍ଧୁ ବାର୍ଲା ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ଅଶୋକ କୁମାର ସାହୁ।ଥାନା ମାମଲା ନଂ.୨୨୩/୨୪ ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ଜୁଲାଇ ୧୯ ତାରିଖରେ ଘରେ କେହି ନଥିବା ସୁଯୋଗ ନେଇ ଅଭିଯୁକ୍ତ ଅଶୋକ ତାଙ୍କ ଅନ୍ୟ ୨ ସହଯୋଗୀ ଙ୍କ ସହାୟତାରେ ଚୋରି କରି ଫେରାର ହୋଇଯାଇଥିଲେ।ଚନ୍ଦ୍ରଶେଖର ଙ୍କ ସ୍ତ୍ରୀ ସୁଲତା ପଟ୍ଟନାୟକ ଘଟଣାର ପରଦିନ କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ।ପୋଲିସ ପକ୍ଷରୁ ଏହି ଚୋରି ଘଟଣାର ତଦନ୍ତକୁ ଜୋରଦାର କରିଥିଲେ ମଧ୍ୟ କୌଣସି ସୁରାକ ମିଳିପାରିନଥିଲା। ସୁଲତା ଏନେଇ ବ୍ରହ୍ମପୁର ଏସ.ପି ଡ଼. ସର୍ବଣା ଏମ ଙ୍କୁ ଭେଟି ଏକାଧିକ ଥର ଚୋରି ଘଟଣାର ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ଅନୁରୋଧ କରିଥିଲେ।ଚିକିଟି ଏସଡିପିଓ ବିଶ୍ୱାମିତ୍ର ହରପାଲ,କେ.ନୂଆଗାଁ ଥାନା ଆଇଆଇସି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିଲେ। ଘଟଣା ଦିନ ରାତିରେ ଅଭିଯୁକ୍ତ ଅଶୋକ ଏବଂ ଅନ୍ୟ ୨ ଜଣ ରାତି ପ୍ରାୟ ସାଢ଼େ ୧୨ ଟାରେ ଚାଲି ଚାଲି ଦାଉଣିି ଗ୍ରାମ ର ଚନ୍ଦ୍ରଶେଖର ପଟ୍ଟନାୟକ ଙ୍କ ଘର ରାସ୍ତା ରେ ଯାଉଥିବା ନେଇ ଗ୍ରାମର ଜଣେ ଯୁବକ ସୂଚନା ଦେବାପରେ ପୋଲିସ ତାଙ୍କ ବୟାନ ରେକର୍ଡ କରିଥିଲେ।ପରେ ପୋଲିସ ଏହି ଘଟଣାରେ ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ର ଗୁପ୍ତେଶ୍ୱର କୁଣ୍ଡ ଏବଂ ନାରାୟଣ ପୁର ଗ୍ରାମରେ ରହୁଥିବା ଚିକିଟି ବ୍ଲକ ଚାନ୍ଦପୁର ଗ୍ରାମର କୃତିବାସ ସାହୁ ଙ୍କୁ ଉଠାଇ ନେଇ ପଚରାଉଚୁରା କରିଥିଲେ। ଭୁବନେଶ୍ୱର ସ୍ଥିତ ରାଜ୍ୟ ଫରେନ୍ସିକ ଲ୍ୟାବ ରେ ଉଭୟ ଅଭିଯୁକ୍ତଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଥିଲା।ସେଠାରୁ ରିପୋର୍ଟ ମିଳିବା ପରେ ଉଭୟ ଙ୍କୁ ପୁଣି ପଚରାଉଚୁରା କରାଯିବା ପରେ ପୋଲିସ ନିକଟରେ ଉଭୟେ ସେମାନଙ୍କ ଦୋଷ ସ୍ବୀକାର କରିଥିଲେ। ଚୋରି କରିଥିବା ୨ ହଜାର ଟଙ୍କା କୁ ପୋଲିସ ଅଭିଯୁକ୍ତ ଗୁପ୍ତେଶ୍ୱର ଙ୍କ ନିକଟରୁ ଜବତ କରି ଉଭୟଙ୍କୁ ଗତ ମାର୍ଚ୍ଚ ୫ ତାରିଖରେ କୋର୍ଟ ଚାଲାଣ କରିଥିଲେ।