ଘର ତିଆରିକୁ କେନ୍ଦ୍ର କରି ୨ ପରିବାର ହାତାହାତି, ୪ ଆହତ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଏତାଲା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ନିର୍ଦ୍ଧାରିତ ନିରୁପଣ ଜମି ଠାରୁ ଅଧିକ ୬ଇଞ୍ଚ ଜାଗାରେ ଘର ନିର୍ମାଣ କରିବାକୁ କେନ୍ଦ୍ର କରି ୨ ପଡୋଶୀ ପରିବାର ମଧ୍ୟରେ ବଚସା ଓ ହାତାହାତି ହୋଇଛନ୍ତି। ଆକ୍ରମଣ ଓ ପ୍ରତି ଆକ୍ରମଣରେ ଉଭୟ ଗୋଷ୍ଠୀର ୪ ଜଣ ଆହତ ହୋଇଛନ୍ତି। ଆହତ ମାନେ ହେଲେ ବଂଶୀଧର ରାଉତ (୬୪) ତାଙ୍କରି ୨ ପୁଅ କୃଷ୍ଣ ରାଉତ ଓ ତୋଫାନ ରାଉତ ଏବଂ ଅନ୍ୟ ଗୋଷ୍ଠୀର ଜଣେ ମହିଳା ଝୁନୁ ରାଉତ। ଏଭଳି ଏକ ଘଟଣା ଗୁରୁବାର ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମରେ ଦେଖିବାକୁ ମିଳିଛି।
ପୁଲିସ ସୂଚନା ପ୍ରକାରେ, ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମର ମଝି ସାହିରେ ବଂଶୀଧର ରାଉତ ଓ ରଞ୍ଜନ ରାଉତଙ୍କ ଜମି ରହିଛି। ସଂପୃକ୍ତ ଜମିରେ ଘର ନିର୍ମାଣ କରିବାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଘଟଣାକୁ କେନ୍ଦ୍ର କରି ବଶୀଧର ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟରେ ସୀମା ନିର୍ଦ୍ଧାରଣ ସକାଶେ ପଞ୍ଜିକୃତ କରିଥିଲେ। କିଛି ଦିନ ପୂର୍ବେ ପାଣ୍ଡିଆ ରାଜସ୍ବ ନିରୀକ୍ଷକ ଓ ପୁଲିସ ଉପସ୍ଥିତରେ ସୀମା ନିର୍ଦ୍ଧାରଣ କରାଯାଇଥିଲା। ଗୁରୁବାର ବଂଶୀଧର ସଂପୃକ୍ତ ଜମିରେ ଘର ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ପଡୋଶୀ ରଞ୍ଜନ ରାଉତ ଘଟଣା ସ୍ଥଳକୁ ଆସି ଘର ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଧମକ ଦେଇଥିଲେ। ପରେ ୨ ପରିବାର ପକ୍ଷରୁ ବଚସା ଓ ହାତାହାତି ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ରଞ୍ଜନ ଧରିଥିବା ଏକ ଲୁହା କାତିରେ ବଂଶୀଧର ଓ ତାଙ୍କ ୨ ପୁଅ କୃଷ୍ଣ ଓ ତୋଫାନଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ବାପା ଓ ୨ ପୁଅ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ପରେ ଗୁରୁବାର ଘଟଣା ନେଇ ବଂଶୀଧର ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୨/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ଘର ନିର୍ମାଣକୁ କେନ୍ଦ୍ର କରି ଉଭୟ ପରିବାରଙ୍କ ମଧ୍ୟରେ ପୂର୍ବରୁ ଶତୃତା ଲାଗି ରହିଥିଲା। ଗୁରୁବାର ବଂଶୀଧର ଘର ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ରଞ୍ଜନ ଓ ତାଙ୍କ ସ୍ତ୍ରୀ ଝୁନୁ ଘଟଣା ସ୍ଥଳରେ ପହଞ୍ଚି ନିର୍ଦ୍ଧିଷ୍ଟ ପରିମିତ ଜମିରେ ଘରର ବାଡ ନିର୍ମାଣ କରିବାକୁ କହିବାରୁ ବଂଶୀଧର ଓ ତାଙ୍କ ୨ ପୁଅ ଉତ୍ୟକ୍ତ ହୋଇ ଲୁହାରଡ ଓ ଠେଙ୍ଗାରେ ଝୁନୁଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ମହିଳା ଜଣଙ୍କ ଆହତ ହୋଇଥିଲେ। ସ୍ଵାମୀ ରଞ୍ଜନ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଘଟଣା ନେଇ ରଞ୍ଜନ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୩/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି।‌

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ